ଗୋଟିଏ ଡିଭିଜନ୍‌, ସାତଟି ସିଙ୍ଗଲ୍‌ ବେଞ୍ଚ୍‌ ମାମଲାର ଶୁଣାଣି କରିବେ

କଟକ : ପୂର୍ବଭଳି ଭିଡିଓ କନଫରେନ୍‌ସିଂ (ଭିସି) ବ୍ୟବସ୍ଥାରେ ହାଇକୋର୍ଟରେ ମାମଲା ଶୁଣାଣି କରାଯିବ। ଏ ନେଇ ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୫ରୁ କିଭଳି କୋର୍ଟ କାର୍ଯ୍ୟ ଚାଲିବ, ସେ ନେଇ ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ନେଇ ଜୁନ୍ ୩୦ରେ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ବିଚାରକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ କୋର୍ଟ କାର୍ଯ୍ୟ ସଂକ୍ରାନ୍ତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ସମସ୍ତ କାର୍ଯ୍ୟ ଦିବସରେ ହାଇକୋର୍ଟରେ ଗୋଟିଏ ଦୁଇଜଣିଆ ଖଣ୍ଡପୀଠ (ଡିଭିଜନ୍ ବେଞ୍ଚ୍) ଓ ସାତଟି ଜଣିକିଆ ଖଣ୍ଡପୀଠ (ସିଙ୍ଗଲ୍‌ ବେଞ୍ଚ) ବସି ଭିସି ବ୍ୟବସ୍ଥାରେ ମାମଲା ଶୁଣାଣି କରିବେ। ନୂଆ ମାମଲା ସହିତ ଡକୁମେଣ୍ଟ ଦାଖଲ ଡ୍ରପ୍ ବକ୍ସ, ଇ-ମେଲ୍ ବା ଇ-ଫାଇଲିଂ ପୋର୍ଟାଲରେ କରାଯାଇପାରିବ। ଦିନ ୧୦ଟା ୩୦ରୁ ୧୨ଟା ୩୦ ମିନିଟ ପର୍ଯ୍ୟନ୍ତ କପି ସେକ୍ସନ ନିକଟରେ ରଖାଯାଇଥିବା ଡ୍ରପ୍ ବକ୍ସରେ ନୂଆ ମାମଲା ଓ ଡକୁମେଣ୍ଟ୍‌ ଦାଖଲ କରାଯାଇ ପାରିବ। ଫାଇଲର ଉପଯୁକ୍ତ ସାନିଟାଇଜେସନ୍ ସୁନିଶ୍ଚିତ କରିବାକୁ ତଥା ସୁରକ୍ଷା ଦୃଷ୍ଟିରୁ ଡ୍ରପ୍ ବକ୍ସ ମାଧ୍ୟମରେ ଦାଖଲ ହେଉଥିବା ମାମଲାର ପଞ୍ଜୀକରଣ ଦାଖଲର ଏକଦିନ ପରେ କରାଯିବ।

ସେହିଭଳି ଭାବେ ମାମଲା ତାଲିକାଭୁକ୍ତ ପାଇଁ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ମେନସନ୍ ମେମୋ ଦାଖଲ କରାଯାଇ ପାରିବ। ଜରୁରୀ ମାମଲା କ୍ଷେତ୍ରରେ ମୌଖିକ ଭାବେ ଭିସି ବ୍ୟବସ୍ଥାରେ ରେଜିଷ୍ଟ୍ରାର (ଜୁଡିସିଆଲ୍‌) ଓ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ‌ମେନସନ୍ କରାଯାଇ ପାରିବ। ହାଇକୋର୍ଟ ପରିସରକୁ ପ୍ରବେଶ ଉପରେ କଟକଣା ରହିବ। ହାଇକୋର୍ଟର ଅଧିକାରୀ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ରହିବ। କିନ୍ତୁ ଆବେଦନରେ ଥିବା ତ୍ରୁଟି ଦୂର (ଡିଫେକ୍ଟ ରିମୁଭାଲ) କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶରେ ଆଇନଜୀବୀମାନେ ହାଇକୋର୍ଟକୁ ଆସି ପାରିବେ। ସବୁ କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟାଳୟ କାର୍ଯ୍ୟ କରିବ। କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ପାଖରେ ରଖିବେ। ଜୁଲାଇ ୫ରୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ଏପରି ବ୍ୟବସ୍ଥା ଭିତରେ ହାଇକୋର୍ଟ କାର୍ଯ୍ୟ କରିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।