କରୋନା ପଜିଟିଭ୍‌ ଜାଣିବା ପରେ ହୃଦ୍‌ଘାତ; ମେଡିକାଲ ବାରଣ୍ଡାରେ ପ୍ରାଣ ଚାଲିଗଲା

ପତ୍ନୀଙ୍କ କାକୁତିମିନତି ଶୁଣି‌ଲେନି ଡାକ୍ତର, ନର୍ସ 

ଢେଙ୍କାନାଳ:  କରୋନା କାଳରେ ‌ଗୋଟିଏ ପରେ ଗୋଟିଏ କରୁଣ  ଦୃଶ୍ୟ ସାମ୍‌ନାକୁ ଆସିବାରେ ଲାଗିଛି।  ଆଜି ଢେଙ୍କାନାଳର ଏକ ଦୃଶ୍ୟ ଆହୁରି ହୃଦୟ ବିଦାରକ। ଅସୁସ୍ଥ ଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବାବେଳେ କରୋନା ପରୀକ୍ଷାରୁ  ତାଙ୍କର ପଜିଟିଭ୍‌ ବାହାରିଥିଲା। ଏହା ଜାଣିବା ପ‌ରେ ସମ୍ପୃକ୍ତ ରୋଗୀ ହଠାତ୍‌  ଛାତିରେ ଗୁରୁତର ଯନ୍ତ୍ରଣା ଅନୁଭବ କରି  ସେହି ଚିକିତ୍ସାଳୟ ବାରଣ୍ଡାରେ ଖସି ପଡ଼ିଥିଲେ।  ପାଖରେ ଥିବା ତାଙ୍କ ସ୍ତ୍ରୀ ଚିକତ୍ସା ପାଇଁ  ଡାକ୍ତର, ନର୍ସଙ୍କୁ କାକୁତି ମିନତି ହୋଇ ନିବେଦନ କରିଥିଲେ। ମାତ୍ର, କେହି ଶୁଣି ନଥିଲେ। ଏପରିକି, ଗୋଟିଏ ପଟେ ଏହି ରୋଗୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ସେଠି ଉପସ୍ଥିତ ଥିବା ଲୋକ ଦେଖଣାହାରୀ ସାଜିଥିଲେ। ମୋବାଇଲ୍‌ କ୍ୟାମେରାରେ ତାଙ୍କ ଛଟପଟ ଦୃଶ୍ୟକୁ କଏଦ କରିବାରେ ବ୍ୟସ୍ତ ଥିଲେ। ତା’ରି ଭିତରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସାଧାରଣ ରୋଗୀ ଭାବେ ଆସି ଶେଷରେ ମୃତ୍ୟୁକୋଳକୁ ଚାଲିଯାଇଥିଲେ। ମାତ୍ର କିଛି ସମୟ ମଧ୍ୟରେ ଘଟିଥିବା ଏହି ଘଟଣାର ଦୃଶ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କର୍ତ୍ତବ୍ୟ ଓ ଉପସ୍ଥିତ ଲୋକଙ୍କ ମାନବିକତା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମ୍ପୃକ୍ତ ରୋଗୀଙ୍କ ଛାତିକୁ ଚାପି ଧରି ପତ୍ନୀଙ୍କ  ବଂଚାଇବାର ପ୍ରୟାସ ଏବଂ ମୃତ୍ୟୁ ଜାଣିବା ପରେ ବୁକୁଫଟା କ୍ରନ୍ଦନର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। 

ସୂଚନା ଅନୁଯାୟୀ, ଓଡ଼ାପଡ଼ା ବ୍ଲକ ନାଧରା ଗ୍ରାମର ସୁଶାନ୍ତ ପୃଷ୍ଟି(୫୨) ଅନୁଗୁଳ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ  କାର୍ଯ୍ୟ କରନ୍ତି। କିଛିଦିନ ହେବ ସେ ଅସୁସ୍ଥ ହୋଇ ଗାଁରେ ରହିଥିଲେ। ଗତ ୧୩ ତାରିଖ ରାତିରେ ସେ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ୧୪ ତାରିଖ ସକାଳେ ସ୍ତ୍ରୀ ଅନୁପମା ପୃଷ୍ଟି ଏବଂ ଅନ୍ୟ ଦୁଇଜଣ ପରିବାର ସଦସ୍ୟ ତାଙ୍କୁ ଧରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିଲେ। ସକାଳ ୭ଟାରେ ସେମାନେ ଚିକିତ୍ସାଳୟରେ ପହଞ୍ଚିଥିଲେ। ପ୍ରଥମେ ତାଙ୍କର କରୋନା ପରୀକ୍ଷା  ପରେ ଚିକିତ୍ସା କରାଯିବ ବୋଲି ତାଙ୍କୁ ସେଠାରେ ଉପସ୍ଥିତ କର୍ମଚାରୀମାନେ କହିଥିଲେ। ସେ ଅପେକ୍ଷା କରି ରହିଥିବା ବେଳେ ପୂବାହ୍ନ ୧୦ଟା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ସୁଶାନ୍ତ ସେଠାରେ ଅପେକ୍ଷା କରିଥିବା ବେଳେ ୧୦ଟା ୪୫ମିନିଟ୍‌ରେ ତାଙ୍କ ରିପୋର୍ଟରେ  କରୋନା ପଜିଟିଭ୍ ବାହାରିଥିଲା। ଏହା ଜାଣିବା ପରେ ହଠାତ୍ ସୁଶାନ୍ତ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରି ଚିକିତ୍ସାଳୟ ବାରଣ୍ଡାରେ ଖସିପଡ଼ି  ଛଟପଟ ହୋଇଥିଲେ।  ପାଖରେ ଥିବା ତାଙ୍କ ସ୍ତ୍ରୀ ଅନୁପମା ଡାକ୍ତର ଏବଂ ନର୍ସଙ୍କୁ ଚିକିତ୍ସା ପାଇଁ କାନ୍ଦି କାନ୍ଦି ନେହୁରା ହୋଇଥିଲେ। ସେମାନେ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କ  ଛାତିକୁ ବାରମ୍ବାର ଚାପିବା ପାଇଁ ପରାମର୍ଶ ଦେଇଥିଲେ। ଅନୁପମା ପାଟି କରି କାନ୍ଦି ନିଜ ସ୍ୱମୀଙ୍କ ଛାତିକୁ ବାରମ୍ବାର ଚାପୁଥିବା ବେଳେ  ସେଠାରେ ଉପସ୍ଥିତ ଥିବା  ଡାକ୍ତର, ନର୍ସ, ସ୍ୱେଚ୍ଛାସେବୀ, ସୁରକ୍ଷା କର୍ମୀମାନେ ସମସ୍ତେ ଦେଖଣାହାରୀ ପାଲଟିଯାଇଥିଲେ। କେହି ଜଣେ ହେଲେ ସହାୟତା ପାଇଁ ଆଗେଇ ଆସିନଥିଲେ। ଶେଷରେ ଛଟପଟ ହୋଇ ଅବସ୍ଥାରେ ସୁଶାନ୍ତଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଚିକତ୍ସାଳୟ ପରିସର ମଧ୍ୟରେ ଏଭଳି ହୃଦୟ ବିଦାରକ ଦୃଶ୍ୟକୁ କେହି  ଭିଡିଓ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ପରେ ଘଟଣା ପଦାକୁ ଆସିଥିଲା।

ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ,  ସଂପୃକ୍ତ ରୋଗୀ ଚିକିତ୍ସା ପାଇଁ ପରିବାର ସହ ଡାକ୍ତରଖାନାକୁ ଆସିଥିଲେ। ପ୍ରଥମେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ତାଙ୍କର  ପଜିଟିଭ୍ ବାହାରିଥିବା ସେ ଶୁଣିବା ମାତ୍ରେ ହଠାତ୍ ସେଠାରେ ଟଳିପଡ଼ିଥିଲେ।  ଏହା ଜାଣିବା ମାତ୍ରେ  ଡାକ୍ତର ଓ ଷ୍ଟାଫ୍ ଘଟଣାସ୍ଥଳକୁ ଯାଇ ଚିକିତ୍ସା କରିଥିଲେ ମଧ୍ୟ  ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏ ସଂପର୍କରେ ମ୍ୟୁନିସିପାଲିଟିକୁ ଖବର ଦିଆଯାଇ ସଂପୃକ୍ତ  ରୋଗୀଙ୍କ  ଶବକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରାଥମିକ ପର୍ଯ୍ୟାୟ ତଦନ୍ତ ରିପୋର୍ଟ ଜିଲ୍ଲାପାଳ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ଦିଆଯାଇଛି। ଅଧିକ ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇ ସେମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଥିବା ଶ୍ରୀମତୀ ମିଶ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର