ସମ୍ବଲପୁର: ବଢୁଛି ହୃଦ୍‌ରୋଗ। ଯୁବ ବୟସରେ ବି ଅଚାନକ ଚାଲିଯାଉଛି ଜୀବନ। କିନ୍ତୁ ହେଲେ ପଶ୍ଚିମ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ କୌଣସି ଡାକ୍ତରଖାନାରେ ହୃଦ୍‌ଶଲ୍ୟ ବିଭାଗ ଖୋଲିପାରିଲା ନାହିଁ। ହୃଦ୍‌ରୋଗ ସମ୍ପର୍କିତ କୌଣସି ସମସ୍ୟା ପାଇଁ ଅସ୍ତ୍ରୋପଚାର କରିବାକୁ ହେଲେ ରୋଗୀ ଏସ୍‌ସିବି, ଏମ୍‌ସ କିମ୍ବା ରାଜ୍ୟ ବାହାରକୁ ଯାଉଛନ୍ତି। ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ରେ ଥିବା ହୃଦ୍‌ରୋଗ ବିଭାଗର ଜରୁରିକାଳୀନ ବିଭାଗକୁ ସଂଧ୍ୟାରେ ପହଞ୍ଚିଲେ ଚିକିତ୍ସା ପାଇଁ ଡାକ୍ତର ନଥାନ୍ତି।  ଅନ୍‌କଲ୍‌ରେ ଚିକିତ୍ସା କରାଯାଉଥିବା କହିଛନ୍ତି ହୃଦ୍‌ରୋଗ ବିଭାଗ ବିଶେଷଜ୍ଞ ଡାକ୍ତର ପ୍ରଫେସର ସୁନୀଲ ଶର୍ମା। 

Advertisment

ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା ଏମିତି, ୨୪ ଘଣ୍ଟା ଉପଲବ୍‌ଧ ହେଉନାହାନ୍ତି ଡାକ୍ତର

ଭିମ୍‌ସାର ହୃଦ୍‌ରୋଗ ବିଭାଗର ଓପିଡିକୁ ପ୍ରତିଦିନ ୨୦୦ରୁ ୩୦୦ ରୋଗୀ ଆସୁଛନ୍ତି। ଏଣେ ଚିକିତ୍ସା ପାଇଁ ଅଛନ୍ତି ଅଛନ୍ତି ଜଣେ ପ୍ରଫେସର ଓ ଜଣେ ଆସୋସିଏଟ୍‌ ପ୍ରଫେସର। ୨୦୧୮ମସିହାରୁ ଏଠାରେ ଡାକ୍ତର ନିଯୁକ୍ତି ହୋଇ ନାହିଁ। କିଛିଦିନ ପୂର୍ବରୁ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ଥିବା ଜଣେ ଡାକ୍ତର ଚାକିରି ଛାଡ଼ିବା ପରେ ସମସ୍ୟା ଅତି ଗୁରୁତର ହୋଇ ପଡ଼ିଛି। ଏମିତିରେ ବି ପୂର୍ବରୁ ୨ଟି ଆସିଷ୍ଟାଣ୍ଟ ପ୍ରଫେସର୍‌, ୩ଟି ବରିଷ୍ଠ ଆବାସିକ ଡାକ୍ତର ପଦ ଖାଲିପଡ଼ିଛି। ଫଳରେ ଜରୁରିକାଳୀନ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଇଣ୍ଟେନ୍‌ସିଭ୍‌ କେୟାର ମଧ୍ୟରେ ଥିବା ଅନ୍ତଃବିଭାଗରେ ଭର୍ତ୍ତି ୨୮ ରୋଗୀ ମଧ୍ୟ ଉପଯୁକ୍ତ ସେବା ପାଉ ନଥିବା ଅଭିଯୋଗ ହେଉଛି। ଏଣେ ଏକା ସାଂଗରେ ଏତେ ସଂଖ୍ୟାରେ ରୋଗୀଙ୍କ ଚିକିତ୍ସା କରିବାବେଳକୁ ଡାକ୍ତର ନାକେଦମ୍‌ ହେଉଛନ୍ତି। ଏହି ସ୍ଥିତି କିନ୍ତୁ ନର୍ସିଂହୋମ୍‌ମାନଙ୍କୁ ବେଶ୍‌ ସୁହାଉଛି। ବୁର୍ଲା ବଡ଼ଡାକ୍ତରଖାନାରେ ମାଗଣା ଉଚ୍ଚମାନର ଚିକିତ୍ସା ପାଇଁ ଆସୁଥିବା ଗରିବ ରୋଗୀଙ୍କୁ ଛୋଟିଆ ନର୍ସିଂହୋମ୍‌କୁ ଯିବାକୁ ପଡ଼ୁଛି। ଯେଉଁଠି ଖର୍ଚ୍ଚାନ୍ତ ହେବା ସହିତ ହଇରାଣ ହେଉଛନ୍ତି।  

ସୂଚନା ଅନୁଯାୟୀ, ଭିମ୍‌ସାର ହୃଦ୍‌ରୋଗ ବିଭାଗରେ ସପ୍ତାହକୁ ୩ ଦିନ ଓପିଡି ସହିତ ଆଇପିଡିରେ ଏଞ୍ଜିଓପ୍ଲାଷ୍ଟି, ଏଞ୍ଜିଓଗ୍ରାମ, ପେସ୍‌ମେକର ଆଦି ଚିକିତ୍ସା କରାଯାଉଛି। ମାତ୍ର ୨ ଜଣ ଡାକ୍ତରଙ୍କ ଭରସାରେ ଏତେ ରୋଗୀଙ୍କ ସମସ୍ତ ଚିକିତ୍ସା କରିବା ବଡ଼ ଚ୍ୟାଲେଞ୍ଜ ବୋଲି ଡାକ୍ତରମାନେ ମତ ଦେଉଛନ୍ତି। ଅନ୍ୟଦିଗରେ ବିଶେଷଜ୍ଞଙ୍କ ମତରେ ହୃଦ୍‌ରୋଗ ସମସ୍ୟା ଯେଉଁ ଭଳି ବଢୁଛି, ଏଠାରେ ହୃଦ୍‌ଶଲ୍ୟ ବିଭାଗ ଖୋଲିବା ଆବଶ୍ୟକ। ୫ ବର୍ଷରୁ ଅଧିକ ସମୟ ହେଲା ଭିମ୍‌ସାର ହୃଦ୍‌ରୋଗ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇ ଆସୁଥିବା କହାଯାଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ନ ହେବା ଦୁର୍ଭାଗ୍ୟଜନକ। ବିଶେଷକରି ଭିମ୍‌ସାର ସୁପରସ୍ପେସାଲିଟି ଡାକ୍ତରଖାନା ଖୋଲିବା ପରେ ହୃଦ୍‌ଶଲ୍ୟ ବିଭାଗ ଖୋଲିବାର ଯେଉଁ ଆଶା ଥିଲା, ତାହା ମଧ୍ୟ କାର୍ଯ୍ୟକାରୀ ହେଲା ନାହିଁ। ହୃଦ୍‌ଶଲ୍ୟ ବିଭାଗ ଖୋଲି ନ ଥିବାରୁ, ଏଠାରେ ହୃଦ୍‌ ଚିକିତ୍ସାର ଗୁଣାତ୍ମକ ମାନ ବି ବଢ଼ିପାରୁ ନାହିଁ। ଭିମ୍‌ସାର ହୃଦ୍‌ରୋଗ ବିଭାଗ ମୁଖ୍ୟ ପ୍ରଫେସର ଶର୍ମା କହିଛନ୍ତି, ବିଭାଗର ସମସ୍ୟା ନେଇ ସେ ସ୍ବାସ୍ଥ୍ୟ ବିଭାଗକୁ ଚିଠି କରିଛନ୍ତି। ପୂର୍ବରୁ ବିଭିନ୍ନ ସ୍ତରରେ ବିଭାଗ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ସେ କହିଛନ୍ତି।