କୁଜଙ୍ଗ: ଜଗତସିଂହପୁର ଜିଲ୍ଲାର ହସିଣା ଗାଁରେ ଗତକାଲି ସନ୍ଧ୍ୟାରୁ କାହାରି ଘରେ ଚୂଲି ଜଳି ନାହିଁ। ଚାରିଆଡ଼େ କାନ୍ଦବୋବାଳି। କିଏ ସ୍ତ୍ରୀ , ଝିଅକୁ ହରାଇ ଚେତାଶୂନ୍ୟ ତ କିଏ ନିଜର ଗେଲବସରର ପୁଅ, ଝିଅଙ୍କୁ ଆଖିଆଗରେ ମୃତ୍ୟୁବରଣ କରୁଥିବାରୁ ଦୁଃଖଦ ଛବିକୁ ମନରୁ ଲିଭାଇ ପାରୁ ନାହିଁ। ଗାଁ ସାରା ଲୋକେ କାନ୍ଦୁୁଛନ୍ତି। କେହି କାହାକୁ ପ୍ରବୋଧନା ଦେବା ଅବସ୍ଥାରେ ନାହାଁନ୍ତି। ଗତକାଲି ସକାଳେ ହସଖୁୁସିରେ ବଣଭୋଜି କରିବାକୁ ହୁକିଟୋଲା ଯାଇଥିଲେ। ଆଉ ତାର ୧୨ ଘଣ୍ଟା ପରେ ଗାଁର କୋମଳମତି ଶିଶୁମାନଙ୍କ ସହିତ ୯ଜଣଙ୍କ ଜୀବନ ଦୀପ ଅକାଳରେ ଲିଭିଯିବା ଓ ଜଣେ ମହାନଦୀ ମୁହାଣର ଗଭୀର ଜଳରେ ନିଖୋଜ ହୋଇଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାଁଁନ୍ତି ଗାଁ ଲୋକେ। କେବଳ କାନ୍ଦବୋବାଳିରେ ଗାଁଟା ଫାଟି ପଡ଼ୁଛି ସିନା, କାହାରି ମୁହଁରେ ଭାଷା ନାହିଁ ଏହି ଦୁଃଖଦ ଘଟଣାକୁ ବର୍ଣ୍ଣନା କରିବାକୁ। କିଏ ନିଜ ପୁଅର ଗୁଣ ବଖାଣି ବାହୁନି ବାହୁନି କାନ୍ଦୁଛି ତ କିଏ ନିଜ ଝିଅର ସ୍ମତିରେ ଆଖିରୁ ଝିଅ ଗଡ଼ାଉଛି। ହୃଦୟ କୋରି ପକାଇଲା ଭଳି ଏହି ଚିତ୍ର ଏବେ ଦେଖିବାକୁ ମିଳୁଛି କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗାଁରେ।

Advertisment

publive-image

ମିଳିଥିବା ସୂଚନା ଅନୁସାରେ, କୁଜଙ୍ଗ ନିକଟରୁ ହସିଣା ଗ୍ରାମର ୮ଟି ପରିବାରର ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକର ହୁକିଟୋଲାକୁ ଯାଇଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗଭୀର ଜଳରେ ବୁଡ଼ି ୧୦ ଜଣ ନିଖୋଜ ହୋଇଯାଇଥିଲେ। ଅନ୍ଧାର ରାତିରେ ସ୍ଥାନୀୟ ଲୋକେ ଖୋଜାଖୋଜି କରି ୮ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଯେଉଁଠାରେ ଡଙ୍ଗାବୁଡ଼ିଥିଲା, ସେଠାରେ କୁମ୍ଭୀର ଚଳପ୍ରଚଳ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ଆଜି ସକାଳୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଅଜୟ ସ୍ୱାଇଁଙ୍କ ପତ୍ନୀ ପ୍ରଭାତି ସ୍ୱାଇଁ(୩୬ ବର୍ଷ), ନରହରି ତରାଇଙ୍କ ପତ୍ନୀ ଅନୁପମା ତରାଇ(୩୦ ବର୍ଷ), ନରହରିଙ୍କ ପୁଅ ସାଇ ତରାଇ (୪ ବର୍ଷ), ପବିତ୍ର ସାହୁଙ୍କ ପୁଅ ଦେବାଶିଷ ସାହୁ, ସଚିତ୍ର ପାଣିଙ୍କ ଝିଅ ଦେବସ୍ମିତା ପାଣି(୬ ବର୍ଷ), ମଣ୍ଟୁ ସାହୁଙ୍କ ଝିଅ ରୋଜି ସାହୁ(୧୪ ବର୍ଷ) ଓ ପୁଅ ଧୁନା ସାହୁ(୧୦ ବର୍ଷ), ନିଭୟ ସ୍ୱାଇଁଙ୍କ ଝିଅ ସୁଶ୍ରୀ ପଲ୍ଲବୀ ସ୍ୱାଇଁ( ୫ ବର୍ଷ)ଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅକ୍ଷୟ ସ୍ୱାଇଁଙ୍କ ଝିଅ ଶୁଭଶ୍ରୀ ସ୍ୱାଇଁ ଏବେ ବି ନିଖୋଜ ଅଛନ୍ତି।

ଏ ସମ୍ପର୍କରେ ଜିଲ୍ଲାପାଳ ଦାଶରଥୀ ଶତପଥୀ କହିଛନ୍ତି ଯେ ଏହା ଏକ ଦୁଃଖଦ ଘଟଣା। ବର୍ତ୍ତମାନ ନିଖୋଜ ଥିବା ଶିଶୁଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଚାଲିଛି। ଆବଶ୍ୟକଠାରୁ ଅଧିକ ଯାତ୍ରୀ ଯୋଗୁଁ ଡଙ୍ଗା ବୁଡ଼ିିଥିବା ଜିଲ୍ଲାପାଳ ଶ୍ରୀ ଶତପଥୀ କହିଛନ୍ତି। ଅପରପକ୍ଷେ ଡଙ୍ଗାରେ ଲାଇଫ ବୋଟ୍‌ ନ ଥିବା ବେଳେ ଅଧିକ ଯାତ୍ରୀ ଏହି ଦୁର୍ଘଟଣାର କାରଣ ବୋଲିି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି।

publive-image
ତେବେ ଆଜି ସକାଳେ ମୃତଦେହଗୁଡ଼ିକ ବ୍ୟବଛେଦ ହେବା ପରେ ଗାଁକୁ ଫେରିଛି। ଗାଁରେ ମୃତକମାନଙ୍କ ଦାହସଂସ୍କାର କାର୍ଯ୍ୟ ହେବ। ଜିଲ୍ଲାପାଳ ଶ୍ରୀ ଶତପଥୀ ମୃତକଙ୍କ ପରିବାରକୁ ରେଡ୍‌କ୍ରସ ପାଣ୍ଠିିରୁ ୧୦ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ଶୁଦ୍ଧି କର୍ମ ପାଇଁ ଦୁଇ ହଜାର ଟଙ୍କା ଲେଖାଏଁ ତୁରନ୍ତ ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି।