ଭୁଶୁଡିଲା ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରର ବୃହତ୍ତ ଅଂଶ, ସୁଧୁରିବାକୁ ଲାଗିବ ପୁଣି ବର୍ଷ ବର୍ଷ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ବାତ୍ୟା ‘ଫନି’ ଓଡିଶାର ପର୍ଯ୍ୟଟନ ଶିଳ୍ପକୁ ପଙ୍ଗୁ କରି ଦେଇଛି। ମାତ୍ର କିଛି ଘଣ୍ଟାର ଏହି ବାତ୍ୟା ଦୀର୍ଘ ଦିନ ଧରି ଗଢି ଉଠିଥିବା ଓଡିଶାର ପର୍ଯ୍ୟଟନ ଶିଳ୍ପକୁ ଭାଙ୍ଗି ଚୁରମାର କରି ଦେଇଛି। ମହାବାତ୍ୟା-୧୯୯୯ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଉପରେ ଶକ୍ତ ପ୍ରହାର କରିଥିଲା। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ତାଣ୍ଡବ ରଚିଥିଲା। ଆଉ ଏହା ଭିତରେ ୨୦ ବର୍ଷ ବିତି ଯାଇଥିଲା।

ପର୍ଯ୍ୟଟନକୁ ନେଇ ଅର୍ନ୍ତଜାତୀୟ ସ୍ତରରେ ଓଡିଶା ଦୁଇ ପାଦ ଆଗକୁ ଯାଇଥିଲା। ମହାବାତ୍ୟାକୁ ପଛ କରି ଅଣ୍ଟା ସଳଖି ଛିଡା ହୋଇଥିଲା କିନ୍ତୁ ମେ’ ୩ ତାରିଖରେ ବାତ୍ୟା ଫନିର ରାଡାରରେ ପୁଣିଥରେ ଏବେ ଆସିଛି ଓଡିଶାର ପର୍ଯ୍ୟଟନ ଶିଳ୍ପ। ପ୍ରଳୟଙ୍କାରୀ ବାତ୍ୟା ଫୋନିର ୨୦୦ କିଲୋମିଟରରୁ ଅଧିକ ପବନ ବେଗରେ ଭୁଷୁଡି ପଡିଛି ଓଡିଶା ପର୍ଯ୍ୟଟନ ଶିଳ୍ପର ମୁଳଦୁଆ। କାରଣ ଓଡିଶାର ପର୍ଯ୍ୟଟନ ଶିଳ୍ପର ମୁଳପିଣ୍ଡି କୁହାଯାଉଥିବା ପୁରୀ, କୋଣାର୍କ, ଗୋପାଳପୁର, ଚିଲିକା, ସାତପଡାକୁ ବାତ୍ୟା ଧ୍ୱଂସ୍ତବିଧ୍ୱସ୍ତ କରିଛି।

ବାତ୍ୟା ଯୋଗୁଁ ଅଧିକାଂଶ ବିଦେଶୀ ପର୍ଯ୍ୟଟକ ପୁରୀ ଆସିବାକୁ ଏବେ ପଛଘୁଞ୍ଚା ଦେଉଛନ୍ତି। ଏପରିକି ପର୍ଯ୍ୟଟକ ମାନେ ହୋଟେଲ ବୁକିଂକୁ ମଧ୍ୟ ବାତିଲ କରିଛନ୍ତି। ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକର ପେଟ ଉପରେ ପଡୁଛି। ପ୍ରତିବର୍ଷ ଓଡିଶାକୁ ପ୍ରାୟ ୧ କୋଟି ୨୦ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି। ଏପରିକି ଓଡିଶାକୁ ଆସୁଥିବା ପ୍ରତିବର୍ଷ ପର୍ଯ୍ୟଟକ ହାରରେ ୯-୧୦ ପ୍ରତିଶତ ବୃଦ୍ଧି ମଧ୍ୟ ଦେଖିବାକୁ ମିଳୁଥିଲା। ଗତ କିଛି ବର୍ଷ ହେବ ପୁରୀ, ଚିଲିକା ଭଳି ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଟୁରିଷ୍ଟ ହବ ପାଲଟିଥିଲା କିନ୍ତୁ ବାତ୍ୟା ପରେ ଏହି ଟୁରିଷ୍ଟ ଡେଷ୍ଟିନେସନର ସ୍ଥିତି ବଦଳିଯାଇଛି।

Psu Connect Media

ବ୍ୟସ୍ତବହୁଳ ବେଳାଭୂମି ଏବେ ଖାଁ ଖାଁ ଦିଶୁଛି। ପେଟପାଟଣା ପାଇଁ ବେଳାଭୂମିରେ ଦୋକାନ ପକାଇଥିବା ଛୋଟ ଛୋଟ ବ୍ୟବସାୟୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ଗ୍ରୀଷ୍ମ ଋତୁରେ ପୁଣିଥରେ ପର୍ଯ୍ୟଟକ ଓଡିଶା ଫେରିବେ ସେ ଆଶା ମଧ୍ୟ ମଉଳିଯାଇଛି କିନ୍ତୁ ଖୁବଶୀଘ୍ର ପୁଣିଥରେ ଜଗନ୍ନାଥ ଧାମକୁ ପର୍ଯ୍ୟଟକ ମାନେ ଧାଇଁ ଆସିବେ ସେ ଆଶା ମଧ୍ୟ ଛାଡି ନାହାନ୍ତି।

ସେହିଭଳି ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଚିଲିକାରେ ମଧ୍ୟ ଖୁବଶୀଘ୍ର ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ବାନ୍ଧିଛନ୍ତି। କାରଣ ପର୍ଯ୍ୟଟକ ଆସିଲେ ହିଁ ସେମାନଙ୍କ ଘରେ ଚୁଲି ଜଳିଥାଏ।

ସମ୍ବନ୍ଧିତ ଖବର