ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ; ୨୬ରୁ ହାର୍ଟ ହସ୍‌ପିଟାଲ କାର୍ଯ୍ୟକ୍ଷମ

ଝାରସୁଗୁଡ଼ା: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଝାରସୁଗୁଡ଼ା ବିଏମ୍‌ଆର୍‌ସି ହାର୍ଟ ହସ୍‌ପିଟାଲ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରିଚାଳନା ଦାୟିତ୍ବ ନେଇଥିବା କୋଲକାତାର ବିଏମ୍ଆର୍‌ସି ହସ୍‌ପିଟାଲର ଏକ ଟିମ୍ ପ୍ରସ୍ତୁତି ଜାରି ରଖିଥିବା ବେଳେ ଆଉଟଡୋର୍, ଲାବରେଟୋରି ପାଇଁ ଆବଶ୍ୟକ ମେଡିକାଲ ସାମଗ୍ରୀ, ରୋଗୀଙ୍କ ବସିବା ପାଇଁ ଚୌକି, ଷ୍ଟ୍ରେଚର ଆଦିକୁ ପ୍ରାଥମିକ ପର୍ଯ୍ୟାୟରେ ପ୍ରସ୍ତୁତ କରାଯାଉଛି। ୨୬ ତାରିଖରୁ ହସ୍ପିଟାଲର ବହିର୍ବିଭାଗ ସେବା ଆରମ୍ଭ ହେବ ଓ ପରବର୍ତ୍ତୀ ସମୟରେ ଅନ୍ତର୍ବିଭାଗ କାର୍ଯ୍ୟ ଆରମ୍ଭ କରିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ହାର୍ଟ ହସ୍ପିଟାଲ ପାଇଁ ଆସିଥିବା ୭୨ ପ୍ରକାର ଯନ୍ତ୍ରପାତିରୁ ପ୍ରାୟ ୫୦ ପ୍ରକାର ଯନ୍ତ୍ରପାତିକୁ ରାଜ୍ୟ ସରକାର ବିଭିନ୍ନ ମେଡିକାଲ କଲେଜକୁ ସ୍ଥାନାନ୍ତର କରି ନେଇଥିଲେ। ତେବେ କେଉଁ କେଉଁଟା ସ୍ଥାନାନ୍ତର ହୋଇଛି ଓ କେଉଁ ଯନ୍ତ୍ରପାତି ପୁଣିଥରେ ଏହି ହସ୍ପିଟାଲକୁ ଆସିବ ତା’ର ଏକ ତାଲିକା ପ୍ରସ୍ତୁତ ହୋଇଥିଲା। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଉକ୍ତ ତାଲିକା ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିବା ବେଳେ ଯନ୍ତ୍ରପାତିଗୁଡ଼ିକ ବି ଦିନେ ଦୁଇଦିନ ଭିତରେ ପହଞ୍ଚିବ ବୋଲି ସୂଚନା ମିଳିଛି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ପୂର୍ବରୁ ହିଁ ହସ୍‌ପିଟାଲ କାର୍ଯ୍ୟକ୍ଷମ ପାଇଁ ପ୍ରୟାସ ଜାରି ରହିଥିବା ଅଧିକାରୀ ଜଣକ କହିଛନ୍ତି। ଏହି ସୁପରସ୍ପେସାଲଟି ହାର୍ଟ ହସ୍‌ପିଟାଲ କାର୍ଯ୍ୟକ୍ଷମ ହେଲେ ସମଗ୍ର ପଶ୍ଚିମ ଓଡ଼ିଶାର ହୃଦ୍‌ରୋଗୀ ଉପକୃତ ହୋଇପାରିବେ।

ସମ୍ବନ୍ଧିତ ଖବର