କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆରମ୍ଭ ହେବ ହାର୍ଟ ଅପରେସନ୍‌

ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଡାକ୍ତର ପ୍ରଭାତ ଦାସ ସ୍ଥିତି ଅନୁଧ୍ୟାନ କଲେ

ଭୁବନେଶ୍ବର : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଘଟଣା କ୍ରମରେ ରାଜ୍ୟ ସରକାର କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ହାର୍ଟ ସର୍ଜରି ୟୁନିଟ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି େନଇଛନ୍ତି। ହାର୍ଟ ଅପରେସନ୍‌, ଓପନ ହାର୍ଟ ସର୍ଜରି, କମ୍ପ୍ଲେକ୍ସ ଆଞ୍ଜିଓଗ୍ରାଫି, ଡିଭାଇସ୍‌ କ୍ଲୋଜର, ଇଲେକେଫ୍ରା ଫିଜିଓଲୋଜିକାଲ ଷ୍ଟଡି ଆଦି ସମସ୍ତ କାର୍ଯ୍ୟ କରାଯିବ। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ପରିସରରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। ଆଜି କ୍ୟାପିଟାଲ ହସ୍ପିଟାଲ ସ୍ଥିତି ଅନୁଧ୍ୟାନ କରିବା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଏସବୁ ପାଇଁ ଆବଶ୍ୟକ ଗୃହ ଉପଲବ୍ଧ ରହିଛି। କିନ୍ତୁ ଅପରେସନ୍‌ ଥିଏଟର ପାଇଁ ଆନୁଷଙ୍ଗିକ ଚିକିତ୍ସା ସରଞ୍ଜାମ ଓ ଯନ୍ତ୍ରପାତି ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯିବ। ଏବେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ଦୈନିକ ୩ ହଜାରରୁ ୩୫୦୦ ରୋଗୀ ବହିର୍ବିଭାଗରେ ଚିକିତ୍ସିତ ହେବା ପାଇଁ ଆସୁଥିବା ବେଳେ, କାର୍ଡିଓଲୋଜି ବହିର୍ବିଭାଗରେ ପ୍ରତିଦିନ ୧୦୦ରୁ ଅଧିକ ରୋଗୀ ଚିକିତ୍ସା ପରାମର୍ଶ ପାଇଁ ଆସୁଛନ୍ତି।

ଏହି ଅବସରରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ହସ୍‌ପିଟାଲ୍‌ରେ ହାର୍ଟ ସର୍ଜରି କେନ୍ଦ୍ର ଖୋଲିବା ପୂର୍ବରୁ ସରକାର ଶ୍ରୀ ସତ୍ୟସାଇ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହାୟର ମେଡିକାଲ୍‌ ସାଇନସେସ୍‌, ବାଙ୍ଗାଲୁରୁର କାର୍ଡିଆକ୍‌ ସାଇନସ୍‌ ବିଭାଗର ଅଧ୍ୟକ୍ଷ ଡାକ୍ତର ପ୍ରଭାତ କୁମାର ଦାସଙ୍କୁ ଏଠାରେ ଯୋଗଦେବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ଡା. ଦାସ ଭୁବନେଶ୍ବର ଆସିଥିଲେ। ଆଜି ସେ ମନ୍ତ୍ରୀ ଶ୍ରୀ ଦାସଙ୍କ ସହିତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ହାର୍ଟ ଅପରେସନ୍‌ ପାଇଁ ଚିହ୍ନଟ ସ୍ଥଳ ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଏଠାରେ ଖୁବ୍‌ ଶୀଘ୍ର ହାର୍ଟ ଅପରେସନ୍‌ ଆରମ୍ଭ ହେବ ବୋଲି ଡା. ଦାସ କହିଥିଲେ। ଏହି ହସ୍ପିଟାଲକୁ କାର୍ଡିଆକ୍‌ ସେଣ୍ଟର ଅଫ୍‌ ଏକ୍ସଲେନ୍ସରେ ପରିଣତ କରାଯିବ।

ସେହିଭଳି ଏଠାରେ ଗୋଟିଏ ଅତିରିକ୍ତ କ୍ୟାଥ୍‌ ଲ୍ୟାବ୍‌ ପ୍ରତିଷ୍ଠା କରାଯିବା ଫଳରେ ଅଳ୍ପ ସମୟ ମଧ୍ୟରେ ଜଟିଳ ଆଞ୍ଜିଓପ୍ଲାଷ୍ଟି, ଯେମିତିକି ହାର୍ଟର ହୋଲ୍‌କୁ ବିନା ଅପରେସନ୍‌ରେ ବନ୍ଦ କରାଯାଇପାରିବ େସ ଚିକିତ୍ସା ବି ପ୍ରଦାନ କରାଯିବ। ହାର୍ଟର ଅନିୟମିତତା ସଂଚାଳନକୁ କରେଣ୍ଟ ଦେଇ ଠିକ୍‌ କରାଯାଇପାରିବା ଓ ଗୁରୁତର ହାର୍ଟ ରୋଗୀଙ୍କ ପାଇଁ ଓପନ୍‌ ହାର୍ଟ ସର୍ଜରୀ ଓ ଶିଶୁମାନଙ୍କ ହାର୍ଟ ସମ୍ବନ୍ଧୀୟ ଅସୁସ୍ଥତାର ମଧ୍ୟ ଚିକିତ୍ସା କରାଯାଇପାରିବ।

ଉଲ୍ଲେଖଯୋଗ୍ୟ ଯେ ଡା. ପ୍ରଭାତ କୁମାର ଦାସ ଶ୍ରୀ ସତ୍ୟସାଇ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହାୟର ମେଡିକାଲ୍‌ ସାଇନସେସ୍‌ ବାଙ୍ଗାଲୁରୁ ଓ ପୁଟ୍ଟପୂର୍ତ୍ତି ଉଭୟ ହସ୍‌ପିଟାଲର କାର୍ଡିଆକ୍‌ ସାଇନ୍ସ ବିଭାଗର ଅଧ୍ୟକ୍ଷ ଭାବେ ବିଗତ ୨୪ ବର୍ଷ ହେଲା ଚିକିତ୍ସା କରି ଆସୁଛନ୍ତି। ହୃଦ୍‌ଚିକିତ୍ସା କ୍ଷେତ୍ରରେ ଡା. ଦାସଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ସରକାର କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ପରିସରରେ ହାର୍ଟ ସର୍ଜରି ୟୁନିଟ୍‌ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଯାଉଛନ୍ତି। ଏଥିପାଇଁ ଆବଶ୍ୟକ ଅପରେସନ୍‌ ଥିଏଟର କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ ହୋଇ ଚିକିତ୍ସା ସେବା ଆରମ୍ଭ ହେବ। ଭବିଷ୍ୟତରେ ଆହୁରି ଦକ୍ଷ ହୃଦରୋଗ ବିଶେଷଜ୍ଞ ଏଠାରେ ଯୋଗଦେବେ। ସରକାର ହାର୍ଟକେୟାର କ୍ଷେତ୍ରରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ଉତ୍କର୍ଷ କେନ୍ଦ୍ର ଭାବେ ପରିଣତ କରିବାକୁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଖୁବ୍‌ ଶୀଘ୍ର ଏ ସଂପର୍କରେ ଅନ୍ୟ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ କାର୍ଯ୍ୟକୁ ତ୍ବରାନ୍ତିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଡା. ଅଶୋକ କୁମାର ପଟ୍ଟନାୟକ କହିଲେ ଯେ ହସ୍‌ପିଟାଲ୍‌ ପରିସରରେ ହାର୍ଟ ଅପରେସନ୍‌ ପାଇଁ ଗୃହ ନିର୍ମାଣ କାର୍ଯ୍ୟ ସରିଛି । ଖୁବ୍‌ ଶୀଘ୍ର ଅପରେସନ୍‌ ଥିଏଟରକୁ କାର୍ଯ୍ୟକ୍ଷମ କରାଯିବ। ସରକାର ଏ ଦିଗରେ ସବୁପ୍ରକାର ଉଦ୍ୟମ କରୁଛନ୍ତି। ଏହି ଅବସରରେ ଡା. ଆର୍‌.ଏସ୍‌.ଏନ୍‌ ମୂର୍ତ୍ତି, ଡା. ପି.କେ. ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର