ବେତନଟୀ ସଦର: ସମଗ୍ର ମୟୂରଭଂଜର ଗର୍ବ ତଥା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଅଞ୍ଚଳର ଖ୍ୟାତି ସଂପନ୍ନ ହୃଦରୋଗ ବିଶେଷଜ୍ଞ ଅଜୟ କୁମାର ରାଉତ(୬୪)ଙ୍କର ଆଜି ପରଲୋକ ଘଟିଛିl ଶୁକ୍ରବାର ଅପରାହ୍ନରେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଅବସ୍ଥାରେ ତାଙ୍କର ହୃଦଘାତ ଘଟିଥିବାବେଳେ ସଙ୍ଗେ ସଙ୍ଗେ ତାଙ୍କୁ ବୁର୍ଲାସ୍ଥିତ ଭୀମସାର ମେଡିକାଲ କଲେଜକୁ ଚିକିତ୍ସା ନିମିତ୍ତ ନିଆଯାଇଥିଲା ଓ ସେଠାରେ ମାତ୍ର କିଛି ସମୟର ଚିକିତ୍ସା ପରେ ତାଙ୍କର ପରଲୋକ ଘଟିଛିl

Advertisment

ସୂଚନା ଅନୁଯାଇ ଡାକ୍ତର ରାଉତ ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଉପକଣ୍ଠ ହେମପୁରଗ୍ରାମରେ ୧୯୫୯ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ସରିବା ପରେ ଭୀମସାର ମେଡିକାଲ କଲେଜରେ ନିଜର ଡାକ୍ତରୀ ପାଠ ଆରମ୍ଭ କରିଥିଲେ। ପରେ ମୟୂରଭଞ୍ଜ କୁଶୁଳୁଦା ଡାକ୍ତରଖାନାରେ ଚାକିରି ଜୀବନ ଆରମ୍ଭ କରିଥିଲେ।। ଭେଷଜ ବିଶେଷଜ୍ଞ ଭାବେ ବିଭିନ୍ନ ଡାକ୍ତରଖାନାରେ ମଧ୍ୟ କାର୍ଯ୍ୟ କରିଥିଲେl ହେଲେ ସେତିକିରେ ବି ତାଙ୍କ ମନ ମାନିନଥିଲା। ନିଜର ପାଠପଢା  ଜାରି ରଖି ହୃଦରୋଗ ବିଶେଷଜ୍ଞ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ପରେ ଭୀମସାର ମେଡିକାଲ କଲେଜ ବୁର୍ଲାରେ ଦୀର୍ଘ ୧୫ବର୍ଷ କାମ କରିବାପରେ ବିଗତ ୪ବର୍ଷ ହେଲା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିଲେ।

ଏହି ଖବର ପଢ଼ନ୍ତୁ: ହୃଦ୍‌ଘାତରେ ଗୁଜରାଟ ହୃଦ୍‌ରୋଗ ବିଶେଷଜ୍ଞଙ୍କ ଅକାଳ ବିୟୋଗ

ଓଲଟପୁରସ୍ଥିତ ନିରତାରର ଉପନିର୍ଦେଶକ ବରିଷ୍ଠ ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାଇ ଡାକ୍ତର ରାଉତ ଉକ୍ତ ଅଞ୍ଚଳରେ ଜଣେ ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଭାବରେ ଗରିବ ଅସହାୟମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଥିଲେ। ଏମିତିକି ଡାକ୍ତରୀ ପଢିବାକୁ ଆସୁଥିବା ଗରିବ ପରିବାରର ଛାତ୍ରଛାତ୍ରୀଙ୍କୁ ସେ ପାଠପଢା ସହିତ ପ୍ରାୟ ସମୟରେ ଆର୍ଥିକ ସାହାଯ୍ୟ ମଧ୍ୟ କରୁଥିଲେ। ବିଶେଷତଃ ରେଢ଼ାଖୋଲ ଅଞ୍ଚଳର ଜନସାଧାରଣଙ୍କୁ ଡାକ୍ତର ରାଉତଙ୍କ ଅହେତୁକ ଶ୍ରଦ୍ଧା, ଆଦର ଓ ଚିକିତ୍ସା କ୍ଷେତ୍ରରେ ସ୍ୱତନ୍ତ୍ରତା ଅଭୁଲା ଅଟେ।

ସେ ଯେତେବେଳେ ନିଜ ଗ୍ରାମକୁ ଆସନ୍ତି ଆଖପାଖ ଲୋକଙ୍କର ତାଙ୍କ ନିକଟରେ ଭିଡ଼ ଲାଗେ ଓ ସେ ବିନା ଦ୍ଵିଧାରେ ମାଗଣାରେ ସେମାନଙ୍କର ଚିକିତ୍ସା କରିଥାନ୍ତିl ନିଜ ଅଞ୍ଚଳର ଉନ୍ନତି, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଉନ୍ନତିମୂଳକ କାର୍ଯ୍ୟରେ ସର୍ବଦା ନିଜକୁ ସଂଶ୍ଲିଷ୍ଟ କରିଥିବା ବେଳେ ମାଟି ମା’ ପ୍ରତି ତାଙ୍କର ଅହେତୁକ ଭଲପାଇବା ପାଇଁ ତାଙ୍କ ମୃତ୍ୟୁରେ ବୈଶିଙ୍ଗା ଅଞ୍ଚଳର ଜନସାଧାରଣ ଗଭୀର ଶୋକବ୍ୟକ୍ତ କରିଛନ୍ତିl ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ରଞ୍ଜିତା, ଝିଅ ଡା. ଗୀତିକ୍ରିଷ୍ଣା ରାଉତ, ପୁଅ ଡା. ଅରବିନ୍ଦ ରାଉତ ଓ ଭାଇ ଡା. ବିଜୟ ରାଉତ ଉପସ୍ଥିତ ଥିଲେ। ଶନିବାର ତାଙ୍କ ପାର୍ଥିବ ଶରୀରକୁ ହେମପୁରସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ପରିବାରର ସମସ୍ତ ସଦସ୍ୟ  ଓ ଆଖପାଖ ଅଞ୍ଚଳର ଶତାଧିକ ଲୋକ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିଲା।

ଏହି ଖବର ପଢ଼ନ୍ତୁ: ହୃଦ୍‌ରୋଗ ବିଭାଗରେ ଅଚଳାବସ୍ଥା