କଟକ : ମାଆ ଯାଉଛି, ଝିଅ କାନ୍ଦୁଛି । କରୋନା ସହ ଲଢିବାକୁ ଘରେ କୁନି ଝିଅକୁ ଛାଡି ଡ୍ୟୁଟି ବାହାରି ଯାଉଛି ମାଆ । ବିଦାୟ ପୂର୍ବରୁ ତା ଗେହ୍ଲି ଝିଅକୁ ଗେଲ କରି ଯିବା ବେଳେ ବିଚ୍ଛେଦର ମୁହୂର୍ତ୍ତକୁ ବୁଝି ପାରୁଛି ଏଡିକି ବକଟେ ଛୁଆ । ମାଆ ଯାଉଥିବାରୁ ଝିଅ ରାହା ଧରି କାନ୍ଦୁଛି ତ ମାଆ ବି ସଙ୍କଟ ସମୟରେ ନିଜ ଲୁହକୁ ଲୁଚାଇ କର୍ତ୍ତବ୍ୟ କରିବାକୁ ଧିରେଧିରେ ମମତାଠୁ ବିଦାୟ ନେଉଛି। ସ୍କୁଟି ଆଗେଇ ମାଆ ଘରୁ ବାହାରି ଯାଉଛି ସିନା ହେଲେ ମାଆର ଫେରିବା ବାଟକୁ ତା ଝିଅ ଲୁହଭିଜା ଆଖିରେ ଆଖିଏ ଅପେକ୍ଷା ନେଇ ଚାହିଁ ରହିଛି…
ଭୂତାଣୁ ଭୟରେ ଭୟଭୀତ ସାରା ବିଶ୍ୱ। ଅଦୃଶ ଶତ୍ରୁକୁ ଅକଟାଇବାକୁ ଆଗେଇ ଆସିଛନ୍ତି ଦେଶବାସୀ। ଆଉ ସମସ୍ତଙ୍କୁ ସୁରକ୍ଷା ଦେବାକୁ ରକ୍ଷା କବଜ ସାଜିଛନ୍ତି କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା। କିଏ ପରିବାର ଭୁଲିଛି ତ କିଏ ପିଲାକୁ ଛାଡି ରାତି ଦିନ ଡ୍ୟୁଟି କରୁଛି। ତ୍ୟାଗ ଓ ସମର୍ପଣ ଭାବ ନେଇ ଭାରତ ଭୂମିରେ କରୋନାକୁ ହରାଇବାକୁ ପଣ କରିଛନ୍ତି ଏ ରକ୍ଷକମାନେ।
ତେବେ ସେମିତି ଜଣେ ମହିଳା ସିପାହୀ, ସଙ୍କଟ ସମୟର ସିଙ୍ଘବାହିନୀ ହେଉଛନ୍ତି କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଗାଁର କନଷ୍ଟେବଳ ସୁମିତ୍ରା ବେହେରା। ଯିଏ ମମତା-ମୁକାବିଲା ମଝିରେ ସ୍ନେହର ସେତୁଟେ ସାଜିଛନ୍ତି। ଦେଶର ସମ୍ବେଦନଶୀଳ ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ଯେତେବେଳେ ପୁଲିସ ଆଗେଇ ଆସୁଛି ସେତେବେଳେ ସୁମିତ୍ରା କେମିତି ବା ଘରେ ହାତବାନ୍ଧି ବସି ପାରିଥାନ୍ତେ। ତେଣୁ ନିଜ ଦଶମାସର ଝିଅକୁ ଘରେ ଛାଡି ସାରା ଦେଶକୁ ସୁରକ୍ଷା ଦେବାକୁ ଆଗେଇ ଯାଆନ୍ତି ସୁମିତ୍ରା । ତେବେ ଘରର ଆଉ ନିଜ ଝିଅର ସବୁ କାମ ତୁଟାଇ ତାଲାବନ୍ଦ ବେଳେ ଡ୍ୟୁଟି କରିବାକୁ ବାହାରି ଆସନ୍ତି ସୁମିତ୍ରା।
ସେପଟେ କରୋନା କଣ ବୁଝି ନଥିବା ଝିଅ କିନ୍ତୁ ବେଶ ଭଲ ଭାବେ ବୁଝି ସାରିଛି କି ଏ ବିପଦ ସମୟରେ ତା ପୁଲିସ ମାଆ ହିଁ ମହାମାରୀର ମୁକାବିଲା କରିବ। ଆଉ ମମତାକୁ ଘରେ ଛାଡି ବାହାରକୁ ବାହାରିବ। ସେଥିପାଇଁ ବୋଧେ ମନକୁ ବୁଝାଇ ମାଆକୁ ସିପାହୀ ସଜାଉଛି, ଡ୍ୟୁଟି ବାହାରିବା ବେଳେ ଖାକି ଟୋପି ପିନ୍ଧାଇ ବିଜୟର ଟୀପା ପିନ୍ଧାଉଛି କୁନି ଝିଅ। ଆଉ ତା ହସର ହତିଆର ଦେଇ ମାଆକୁ ମୁକାବିଲା ପାଇଁ ହାତ ହଲାଇ ବିଦାୟ ଦେଉଛି…