କଟକ: ଆସନ୍ତା ୩ ମାସ ଭିତରେ କଟକ ବଡଡାକ୍ତରଖାନାରେ ଆରମ୍ଭ ହେବ ରାଜ୍ୟର ପ୍ରଥମ ହୃ୍ତ୍ପିଣ୍ଡ ପ୍ରତିରୋପଣ। ରାଜ୍ୟରେ ହୃ୍ତ୍ପିଣ୍ଡ ପ୍ରତିରୋପଣ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚେନ୍ନାଇସ୍ଥିତ ଏମ୍ଜିଏମ୍ (ମହାତ୍ମା ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲ୍) ସହିତ ଗତମାସରେ ଚୁକ୍ତି ସ୍ବାକ୍ଷର କରିଥିଲା। ଚୁକ୍ତି ଅନୁଯାୟୀ ଉକ୍ତ ଟିମ୍ ଏସ୍ସିବି ଆସି ଭିତ୍ତିଭୂମି ଓ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏସ୍ସିବି କାର୍ଡିଓଥୋରାସିକ୍ ବିଭାଗରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ସିଟିଭିଏସ୍ ଓପିଡିର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ରୋଗୀଙ୍କ ସ୍କ୍ରିନିଂ ସହ ହୃ୍ତ୍ପିଣ୍ଡ ପ୍ରତିରୋପଣ ଜରୁରି ଥିବା ରୋଗୀଙ୍କୁ ଚିହ୍ନଟ କରାଯିବ। ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ହୃ୍ତ୍ପିଣ୍ଡ ପ୍ରତିରୋପଣ ଏସ୍ସିବିରେ ଆରମ୍ଭ ହେବ। ଏସ୍ସିବି ବଡ଼ଡାକ୍ତରଖାନାରେ ଡାକ୍ତରଙ୍କ ସହ ଏମ୍ଜିଏମ ଟିମ ସମସ୍ତ ପ୍ରକ୍ରିୟାର ତଦାରଖ କରିଛନ୍ତି। ପୂର୍ବରୁ ଏସ୍ସିବି ବଡ଼ଡାକ୍ତରଖାନାରେ ବୃକ୍କ, ଯକୃତ ଓ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହ କରାଯାଇଛି।
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରତିରୋପଣ ସ୍କ୍ରିନିଂ ଓପିଡି ଉଦ୍ଘାଟିତ
ରୋଗୀଙ୍କ ସ୍କ୍ରିନିଂ ଓ ଭିତ୍ତିଭୂମି ଅନୁଧ୍ୟାନ କଲେ ଏମ୍ଜିଏମ୍ ଟିମ୍
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଏମ୍ଜିଏମ୍ର ଅତିରିକ୍ତ ନିର୍ଦ୍ଦେଶକ ଡା. ସୁରେଶ ରାଓ, ଏସ୍ସିବି ଅଧ୍ୟକ୍ଷ ପ୍ରଫେସର ଡା. ଲୁସି ଦାସ, ଏସ୍ସିବି କାର୍ଡିଓଥୋରାସିକ୍ ବିଭାଗ ମୁଖ୍ୟ ପ୍ରଫେସର ଡା. ମନୋଜ କୁମାର ପଟ୍ଟନାୟକ, କେନ୍ଦୁଝର ମେଡିକାଲ କଲେଜ ନିଶ୍ଚେତକ ବିଭାଗ ମୁଖ୍ୟ ପ୍ରଫେସର ଡା. ଦେବାଶିଷ ସ୍ବାଇଁ, ଏସ୍ସିବି କାର୍ଡିଓଲୋଜି ବିଭାଗ ଆସୋସିଏଟ୍ ପ୍ରଫେସର ଡା. ଦୀପକ ରଞ୍ଜନ ଦାସ, ଏସ୍ସିବି କୁଳସଚିବ ଡ. ଅବିନାଶ ରାଉତଙ୍କ ସମେତ ବହୁ ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ। ଆଜି ପ୍ରଥମ ଦିନରେ ୧୦ରୁ ଅଧିକ ରୋଗୀଙ୍କ ସ୍କ୍ରିନିଂ କରାଯାଇଥିଲା। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଏମ୍ଜିଏମ୍ ହସ୍ପିଟାଲ୍ ସହିତ କରିଥିବା ଏମ୍ଓୟୁ ଅନୁସାରେ ଏସ୍ସିବିରେ ୧୦ଟି ହୃତ୍ପିଣ୍ଡ ପ୍ରତିରୋପଣ ମାଗଣାରେ କରାଯିବ। ସେଥିପାଇଁ ରାଜ୍ୟ ସରକାରଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। କିନ୍ତୁ ଲିଭର୍ ପ୍ରତିରୋପଣ ପାଇଁ ହୋଇଥିବା ଚୁକ୍ତିରେ ସରକାରଙ୍କୁ ଅର୍ଥ ଦେବାକୁ ପଡୁଛି।