ଝିଅ ବିକ୍ରିର ହୃଦୟବିଦାରକ ଅନ୍ତ : ଉଜୁଡ଼ିଗଲା ପୂରା ପରିବାର

ସୁନ୍ଦରଗଡ଼, (ଡମ୍ବରୁଧର ନାୟକ): ଦାରିଦ୍ର୍ୟର ନିର୍ମମତାକୁ ଦେଖିଛନ୍ତି କି? ଦେଖିଛନ୍ତି କି ଗରିବ ଝୁପୁଡ଼ିରେ ନାହିଁ ନାହିଁର ଜୀବନ ବଞ୍ଚୁଥିବା ଓ ଯୁଝୁଥିବା ଦୁଃଖୀ ମଣିଷମାନଙ୍କୁ? ପରିସ୍ଥିତି କେମିତି ଝୁଣି ଝୁଣି ଲହୁଲୁହାଣ କରି ଚାଲିଥାଏ ତାଙ୍କ ଜୀବନକୁ? ସୁନ୍ଦରଗଡ଼ ଦେଖିଛି ଦାରିଦ୍ର୍ୟର ସେ ଜହ୍ଲାଦ ରୂପକୁ, ଜିଲ୍ଲାର କିଞ୍ଜିରକେଲା ନିକଟ କୁଲବା ଗାଁରେ। ସେଇ ପରିସ୍ଥିତି ପ୍ରହାର ପରେ ପ୍ରହାର ପକାଇ ଗୋଟିଏ ଆଦିବାସୀ ପରିବାରକୁ ଉଜାଡ଼ି ଦେଇଛି।

ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ନିକଟ କୁଲବା ଗାଁର ଗୋଟିଏ ନହକା ଭଙ୍ଗା କୁଡ଼ିଆରେ ବୃଦ୍ଧ ବାପାମା’ଙ୍କ ସହ ୨ ପୁଅ ଓ ଗୋଟିଏ ଝିଅକୁ ନେଇ ଏକ ଦୁଃଖୀ ସଂସାର ଦାରିଦ୍ର୍ୟର କଷାଘାତରେ ଟଳମଳ ହୋଇ ଚାଲୁଥିଲା। ଜମିବାଡ଼ି ବୋଲି କିଛି ନଥିବାବେଳେ କାମକୁ ପାରୁ ନଥିବା ବାପା ଘରେ ପଡ଼ି ରହୁଥିଲେ ଓ ମା’ କୁଲିମଜୁରି କରି ଯାହା ଆଣୁଥିଲେ ସେତିକିରେ ହାଣ୍ଡିରେ ପଡ଼ୁଥିଲା ଚାଉଳ। ଗାଁରେ ସରକାରୀ କାମ ମିଳିବା ମଧ୍ୟ ଏତେ ସହଜ ନଥିଲା। ଚାଷ କି ଅନ୍ୟ ମୂଲିଆ କାମ ବି ଦିନେ ମିଳିଲେ ଦିନେ ହାତ ବାନ୍ଧି ବସିବାକୁ ପଡ଼ୁଥିଲା। ହାତବାନ୍ଧି ବସିଲେ ଚୁଲି ଜଳୁ ନଥିଲା, ସାରା ପରିବାର ରହୁଥିଲା ଉପାସରେ। ଏଥିରେ ବାପାମା ଭାଙ୍ଗି ପଡ଼ିଥିଲେ। ନିଜ ଅପେକ୍ଷା ପିଲାଙ୍କ ଭୋକିଲା ମୁହଁ ସେମାନଙ୍କୁ ବିଚଳିତ କରିଥିଲା। ଶେଷକୁ ମା’ ଘରୁ ଗୋଡ଼ କାଢ଼ି ରୋଜଗାର ପାଇଁ ଗାଁର କିଛି ଶ୍ରମିକଙ୍କ ସହ ଦିଲ୍ଲୀ ଚାଲିଯାଇଥିଲେ। ପୁଅଝିଅଙ୍କ ସହ ସ୍ବାମୀ ସ୍ତ୍ରୀର ଫେରିବା ବାଟକୁ ଜଗିଥିଲେ ମଧ୍ୟ ସେ ଫେରି ନଥିଲେ। କ୍ରମଶଃ ତାଙ୍କ ପତ୍ତା ହଜି ଯାଇଥିଲା। ଏପଟେ ପରିବାରର ପିଛା ଛାଡ଼ୁ ନଥିଲା ଅଭାବ, ଦୁଃଖ।

ଠିକ୍ ଏହି ବେଳାରେ ଘରେ ଥିବା ଝିଅ ଉପରେ ନଜର ପଡ଼ିଲା ଜଣେ ନିକଟ ସମ୍ପର୍କୀୟ ଯୁବତୀ ଚାଲାଣକାରୀ ଦଲାଲର। ଅଭାବକୁ ସୁଯୋଗ ମଣି ଦଲାଲ ଝିଅର ବିବାହ ଓ ରୋଜଗାରର ଦାୟିତ୍ବ ନେବାକୁ କହି ୧୨ ବର୍ଷର ପୁଅ ସହ ୧୪ ବର୍ଷର ନାବାଳିକା ଝିଅକୁ ୨୦୧୫ ଅଗଷ୍ଟ ମାସରେ ମଥୁରା ନେଇଗଲା। ଗରିବ ପରିବାରରେ ଝିଅର ବିବାହକୁ ନେଇ ଚିନ୍ତାରେ ଥିବା ବାପା ଏଥିରେ ଭଳି ଯାଇଥିଲେ। ଦାରିଦ୍ର୍ୟ ତାଙ୍କୁ ଦଲାଲ ଉପରେ ବିଶ୍ବାସ କରିବାକୁ ବାଧ୍ୟ କରିଥିଲା। ହେଲେ ମଥୁରାରେ ଦଲାଲର ଅସଲ ଚେହେରା ସାମନାକୁ ଆସିଥିଲା। ୧୨ ବର୍ଷର ପୁଅକୁ ଜଣକ ଘରେ ଚାକର କରି ରଖି ସେ ଝିଅକୁ ବିକି ଦେବାକୁ ଯୋଜନା କରିଥିଲା। ପୁଅଟି ଏ କଥା ଜାଣିବା ପରେ କୌଣସିମତେ ସେଠାରୁ ଖସି ଆସିଥିଲେ ବି ନାବାଳିକା ଝିଅଟି କିନ୍ତୁ ଦଲାଲର ପଞ୍ଝାରୁ ମୁକୁଳି ପାରି ନଥିଲା।

ନାବାଳିକାକୁ ଦଲାଲ ଏଠି ସେଠି ବାରମ୍ବାର ବିକି ଚାଲିଲା। କ୍ରେତାମାନେ ନାବାଳିକାକୁ କିଣି ଅମାନୁଷିକ ଭାବେ ଗଣଦୁଷ୍କର୍ମ କରିଚାଲିଲେ। କୌଣସିମତେ ମଥୁରାର ଜହ୍ଲାଦମାନଙ୍କ କବଳରୁ ଖସି ଆସି ନାବାଳିକା ହରିୟାଣା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ତା’ର ଅସହାୟତାର ସୁଯୋଗ ନେଇ ଦୁଇଜଣ ଅଟୋ ଚାଳକ ତା’କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ସୁନ୍ଦରଗଡ଼ ପୁଲିସକୁ ଖବର ମିଳିବା ପରେ ମହିଳା ଚାଲାଣ ନିରୋଧ ଟିମ୍ ସହିତ ଏକ ପୁଲିସ ଦଳ ହରିୟାଣାରୁ ୨୦୧୫ ଡିସେମ୍ବର ୧୫ ତାରିଖରେ ନାବାଳିକାକୁ ନେଇ ଗାଁକୁ ଫେରିଥିଲେ। ସାରାରାଜ୍ୟରେ ସୁନ୍ଦରଗଡ଼ର ଝିଅ ବିକ୍ରିକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।

ତେବେ ଝିଅ ଉଦ୍ଧାର ହୋଇ ଗାଁକୁ ଫେରିବା ପରେ ପୁଲିସ ଓ ପ୍ରଶାସନର ଦାୟିତ୍ବ ଯେମିତି ସରି ଯାଇଥିଲା! ପୀଡ଼ିତା ନାବାଳିକା ଘରେ ପହଞ୍ଚିଲା ପରେ କେମିତି ରହିବ, କେମିତି ଚଳିବ, ପୁଣି ଦଲାଲଙ୍କ ହାତରେ ପଡ଼ିବ କି ନାହିଁ, ସେନେଇ ନା ପ୍ରଶାସନ, ନା ଜନପ୍ରତିନିଧି ନା ସାମାଜିକ ସଂଗଠନ କାହାର ସାମାନ୍ୟ ଦକ ନଥିଲା। ଦିନ ଦିନ ଧରି ସେମାନଙ୍କ ହାତକୁ ମିଳୁ ନଥିଲା କାମ, ପେଟକୁ ମିଳୁ ନଥିଲା ଭାତ। ଏପଟେ ବିକ୍ରି ଓ ଗଣଦୁଷ୍କର୍ମର ଯନ୍ତ୍ରଣାରେ ଛଟପଟ ହେଉଥିବା ନାବାଳିକା ଝିଅ ବେଶି ଦିନ ଗାଁରେ ରହିପାରି ନଥିଲା। ୨୦୧୬ ଜୁନ୍ ମାସରେ କାହାକୁ କିଛି ନ କହି ସେ ଘର ଛାଡ଼ି କୁଆଡ଼େ ଚାଲିଗଲା। ଏମିତି ଦାରୁଣ ଦାରିଦ୍ର୍ୟ ଓ ଝିଅ ବିକ୍ରିର ଆଘାତରେ ଭାଙ୍ଗି ପଡ଼ିଥିବା ବୃଦ୍ଧ ବାପା ବି ଏହା ପରେ ଚାଲିଗଲେ ଆରପାରିକୁ। ବାପାମା ଓ ଭଉଣୀଙ୍କୁ ହରାଇବା ପରେ ପୂରା ଅନାଥ ହୋଇଗଲେ ଦୁଇ ଭାଇ। କିଛି ଦିନ ପରେ ଭୋକ ସମ୍ଭାଳି ନପାରି ସାନ ଭାଇକୁ ଘରେ ଏକା ଛାଡ଼ି ବଡ଼ଭାଇ ଗୋଆ କି ମୁମ୍ବାଇ ଚାଲିଗଲା ଯେ ଆଉ ଫେରିଲା ନାହିଁ। ସାନ ଭାଇ ପାଖରେ କେହି ଆପଣାର ନଥିଲେ। ବାପାଙ୍କ ହାତ ତିଆରି ଭଙ୍ଗା କୁଡ଼ିଆଟି ମାଟିରେ ମିଶି ଯାଇଥିଲା। ଶେଷକୁ ଗାଁ ଦାଣ୍ଡକୁ ଚାଲି ଆସିଥିଲେ ଗରିବ କୁଡ଼ିଆର ଶେଷ ସନ୍ତକ ସାନ ପୁଅ ଶଶୀରାମ। ଗାଁ ଲୋକଙ୍କ ବୋଲହାକ କରି ଯିଏ ଯାହା ଦେଲା ଖାଇ ଦେଇ ୟା’ତା ପିଣ୍ଡାରେ ଶୋଇ ପଡ଼ୁଥିଲେ ସେ। ଏମିତି ଦିନ ଗଡ଼ି ଚାଲିଥିବା ବେଳେ ଏକ ଶୋଚନୀୟ ଘଟଣାକ୍ରମରେ ୨୦୨୦ ଜୁନ ୧୩ ତାରିଖରେ ସେ ଗାଁର ସେ ଦୁଃଖୀ ପରିବାରର ଶେଷ ସନ୍ତକ ବି ଆଖି ବୁଜି ଦେଇଥିଲେ। ସୁନ୍ଦରଗଡ଼ ସଦରଥାନା ଅଲେଇକେରାରେ ଏକ ବାଇକ୍ ଦୁର୍ଘଟଣାରେ ଶଶୀରାମ ପ୍ରାଣ ହରାଇବା ସହ ପୂରା ନିଶ୍ଚିହ୍ନ ହୋଇ ଯାଇଥିଲା ଏକ ଦୁଃଖୀ ପରିବାର।

ସମ୍ବନ୍ଧିତ ଖବର