ରାସୋଳ: ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ। ବିଛଣାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ତେଣେ ପତ୍ନୀ ବେକରେ ଶାଢ଼ି ଲଗାଇ ଝୁଲିପଡ଼ିଲେ। ସ୍ବାମୀଙ୍କ ଯନ୍ତ୍ରଣା ଦେଖି ସହି ନପାରି ପତ୍ନୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଦଣ୍ଡିରି ପଞ୍ଚାୟତ ତଳବହାଙ୍ଗିଆରୁ ଏପରି ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି।
ତଳବହାଙ୍ଗିଆ ଗ୍ରାମର ବରୁଣ ନାଏକ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ। ଲିଭର୍, କିଡ୍ନି ରୋଗରେ ସେ ପୀଡ଼ିତ। ଅର୍ଥ ଅଭାବ ଯୋଗୁଁ ତାଙ୍କର ଚିକିତ୍ସା ହୋଇପାରୁନି। ଯେଉଁଥି ପାଇଁ ପତ୍ନୀ ରଶ୍ମିତା ଭାଙ୍ଗି ପଡ଼ିଥିଲେ। ୧୫ଦିନ ତଳେ ଧାରକରଜ କରି ସ୍ବାମୀଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଅର୍ଥ ସରିଯିବାରୁ ତାଙ୍କୁ ଘରକୁ ଆଣିବାକୁ ପଡ଼ିଲା। ଦୁଇଦିନ ତଳେ ବରୁଣଙ୍କ ଯନ୍ତ୍ରଣା ଅସହ୍ୟ ହୋଇଥିଲା। ଏହାକୁ ଦେଖି ରଶ୍ମିତା ସହିପାରି ନଥିଲେ। ଗତକାଲି ରାତିରେ ସ୍ବାମୀ ଯନ୍ତ୍ରଣାରେ ଛଟପଟ ହୋଇ ରଶ୍ମିତାଙ୍କୁ ଖୋଜିଥିଲେ। ଏପଟେ ବିଛଣାରୁ ସେ ଉଠିପାରୁ ନାହାନ୍ତି, ସେପଟେ ପତ୍ନୀ ରାତି ସାରା ନିଖୋଜ। ପଡ଼ୋଶୀଙ୍କ ସହଯୋଗରେ ରଶ୍ମିତାଙ୍କୁ ଖୋଜାଖୋଜି କରିବାରେ ଘର ପାଖ ଏକ ଆମ୍ବଗଛରେ ସେ ନିଜ ଶାଢ଼ିରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତିରେ ରଶ୍ମିତାଙ୍କ ବାପଘରକୁ ବରୁଣ ଫୋନ୍ କରିଥିଲେ। କିନ୍ତୁ କେହି ଫୋନ୍ ଉଠାଇ ନଥିଲେ। ସକାଳୁ ଖବର ପାଇ ରଶ୍ମିତାଙ୍କ ପରିବାର ଓ ସମ୍ପର୍କୀୟ ପହଞ୍ଚି ଶବ ସତ୍କାର କରିଥିଲେ।
ଅନ୍ୟପଟେ ବରୁଣଙ୍କ ଯନ୍ତ୍ରଣା ଦିନକୁ ଦିନ ବଢ଼ି ଚାଲିଛି। ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ। ତା’ ସାଙ୍ଗକୁ ପତ୍ନୀଙ୍କ ଆତ୍ମହତ୍ୟା ତାଙ୍କୁ ଆହୁରି ମାନସିକ ଆଘାତ ଦେଇଛି। ଚିକିତ୍ସା ପାଇଁ ପ୍ରଶାସନ ଓ ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏଥି ପାଇଁ ଏସ୍ବିଆଇ ଆକାଉଣ୍ଟ ନମ୍ବର-୩୬୦୨୮୮୦୬୨୯୬ (ଖଜୁରିଆକଟା ଶାଖା)ରେ ଆର୍ଥିକ ସହାୟତା କରିପାରିବେ। ସୂଚନାଯୋଗ୍ୟ, ୧୪ ବର୍ଷ ତଳେ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା।