କଟକ: କ୍ୟାନ୍ସର ପୀଡ଼ିତ ସ୍ବାମୀଙ୍କୁ ଧରି କଟକ ବଡ ଡାକ୍ତରଖାନା ରାସ୍ତା କଡ଼ରେ ତିନି ଦିନ ହେଲା ପଡ଼ି ରହିଛନ୍ତି ଜଣେ ମହିଳା। ୱାର୍ଡରେ ବେଡ୍ ମିଳୁନି କି ଆବଶ୍ୟକ ପରୀକ୍ଷା ହୋଇପାରୁନି। ଅଲଟ୍ରାସାଉଣ୍ଡ ପରୀକ୍ଷା ହେବା ପରେ ଯାଇ ପରବର୍ତ୍ତୀ ଚିକିତ୍ସା ହେବ ବୋଲି କୁହାଯାଉଛି। ସୋମବାର ଦିନ ଯାଇ ତାଙ୍କର ଅଲଟ୍ରାସାଉଣ୍ଡ କରାଯିବ ବୋଲି କୁହାଯାଇଛି। ପାଖରେ ଟଙ୍କା ପଇସା ନାହିଁ। ସ୍ବାମୀ ଉଠିବସି ପାରୁ ନାହାନ୍ତି। ଏଭଳି ବିକଳ ସ୍ଥିତିରେ ବଡ ଡାକ୍ତରଖାନା ରାସ୍ତାରେ ଦମ୍ପତି ପଡ଼ି ରହିଥିବା ବେଳେ ଏହା ସରକାରୀ ସ୍ବାସ୍ଥ୍ୟସେବାର ଉଦବେଗଜନକ ଚିତ୍ରକୁ ସାମନାକୁ ଆଣିଛି। ଏସ୍ସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାର ପଦକ୍ଷେପ ନେଉଥିବା କଥା କହୁଥିବା ବେଳେ ବାସ୍ତବ ସ୍ଥିତି ଯେ ସମ୍ପୂର୍ଣ୍ଣ ଭିନ୍ନ, ଏହି ଘଟଣା ତା’ର ପ୍ରମାଣ ଦେଉଛି।
ସୂଚନା ଅନୁଯାୟୀ ଗଲା ଗୁରୁବାର ରାତିରେ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବାଲିପାଟଣା ଅଞ୍ଚଳରୁ ଜନୈକ ବ୍ୟକ୍ତି ଏସ୍ସିବିକୁ ଆସିଥିଲେ। କିନ୍ତୁ ତାଙ୍କୁ ବେଡ୍ ମିଳି ନଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଆସିଥିଲେ। ସମ୍ପୃକ୍ତ ରୋଗୀଙ୍କ ପତ୍ନୀ କହିଛନ୍ତି ଯେ ଗୁରୁବାର ରାତିରୁ ଆସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସ୍ବାମୀଙ୍କୁ ବେଡ଼୍ ମିଳି ନାହିଁ। ତାଙ୍କ ସ୍ବାମୀଙ୍କୁ କ୍ୟାନସର ହୋଇଥିବାରୁ ଘର ଲୋକ ଦୂରେଇ ଦେଇଛନ୍ତି। କିଡ଼ନିରେ ବି ଗୁରୁତର ସଂକ୍ରମଣ ରହିଛି। ପରିସ୍ରା ପାଇଁ ପାଇପ ଲାଗିଛି। ତାଙ୍କର ଅଲଟ୍ରାସାଉଣ୍ଡ ପରେ ପରବର୍ତ୍ତୀ ଚିକିତ୍ସା କରାଯିବ ବୋଲି ଡାକ୍ତର କହିଛନ୍ତି। କିନ୍ତୁ ସୋମବାର ଯାଇ ଅଲଟ୍ରାସାଉଣ୍ଡ ହେବ। ତାଙ୍କୁ ପ୍ରଥମେ ୟୁରୋଲୋଜି, ତା ପରେ ମେଡିସିନ ଓ ପରେ କାର୍ଡିଓଲୋଜି ବିଭାଗକୁ ଯିବା ପାଇଁ କୁହାଯାଇଥିଲା। ବର୍ଷାରେ ସେ ଏକା ସ୍ବାମୀଙ୍କୁ ନେଇ ବିଭିନ୍ନ ବିଭାଗକୁ ଯାଇଥିଲେ। ସେଠାରେ ବେଡ୍ ଥିଲେ ବି ତାଙ୍କୁ ଦିଆଯାଇ ନଥିଲା। ଫଳରେ ସେ ଏବେ ରାସ୍ତାକଡ଼ରେ ବର୍ଷାରେ ଅସୁସ୍ଥ ସ୍ବାମୀଙ୍କୁ ଧରି ଏସ୍ସିବି ରଂଜନ ରଶ୍ମୀ ବିଭାଗ ସମ୍ମୁଖରେ ପଡ଼ି ରହିଛନ୍ତି। ସ୍ବାମୀ ଉଠିବସି ପାରୁ ନାହାନ୍ତି। ପାଖରେ ପଇସା ନାହିଁ ଖାଇବାକୁ। ଘରୋଇ ଡାକ୍ତରଖାନାକୁ କେମିତି ଯିବୁ ବୋଲି ସେ କହିଛନ୍ତି।