ଝାରସୁଗୁଡ଼ାରେ ପ୍ରସ୍ତାବିତ ହାର୍ଟ ହସ୍‌ପିଟାଲ ନେଇ ମେଦାନ୍ତ ଗ୍ରୁପ୍ ସହ ଆଲୋଚନା କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର/ଝାରସୁଗୁଡ଼ା: ଝାରସୁଗୁଡ଼ା ଠାରେ ପ୍ରସ୍ତାବିତ ହାର୍ଟ ହସ୍ପିଟାଲ ପ୍ରକଳ୍ପ ସରକାରୀ ଓ ଘରୋଇ ସହଭାଗିତାରେ ପରିଚାଳିତ ହେବାକୁ ଥିବା ବେଳେ ଏଥିରୁ କେୟାର ଗ୍ରୁପ୍ ନିଜର ଅନିଚ୍ଛା ପ୍ରକାଶ କରି ଓହରି ଯିବା ପରେ ସରକାରଙ୍କ ପକ୍ଷରୁ ମେଦାନ୍ତ ଗ୍ରୁପ୍ ସହିତ ହସ୍ପିଟାଲ ପରିଚାଳନା ପାଇଁ ଆଲୋଚନା ହୋଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ, ଡ଼ା ବୃନ୍ଦା ଡ଼ି, ସ୍ୱତନ୍ତ୍ର ସଚିବ, ଡ଼ା ଅଜିତ୍ ମହାନ୍ତି, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଡ଼ା ବିଜୟ ମହାପାତ୍ର, ବିଭାଗୀୟ ଯୁଗ୍ମ ସଚିବ, ଜସ୍ମିନ୍ ପଟ୍ଟନାୟକ, କ୍ୟାପିଟାଲ ହସ୍ପିଟାଲର କାର୍ଡ଼ିଆକ୍ ୟୁନିଟ୍‌ର ନିର୍ଦ୍ଦେଶକ, ଡ଼ା ପ୍ରଭାତ କୁମାର ଦାଶ ପ୍ରମୁଖ ମେଦାନ୍ତ ଗ୍ରୁପର ଅଧ୍ୟକ୍ଷ ନରେଶ ତ୍ରେହାନ୍‌ଙ୍କ ସହିତ ଝାରସୁଗୁଡ଼ା ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ ଓ ଆର୍ଫଡ଼େବିଲ ହେଲଥ୍ କେୟାର ସଂପର୍କରେ ଆଲୋଚନା କରିଥିଲେ ।

ଏହି ପ୍ରକଳ୍ପ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମସ୍ତ ତଥ୍ୟ ଉପସ୍ଥାପନା କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ହାର୍ଟ ହସ୍ପିଟାଲ ପାଇଁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ସରକାର ଏଥିପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଓ ସଂରଜାମ ଯୋଗାଇ ଦେବେ । ସ୍ଥିରିକୃତ ଘରୋଇ ସଂସ୍ଥା ମାନବ ସମ୍ବଳ ସହ ଏହି ହସ୍ପିଟାଲର ପରିଚାଳନା କରିବେ । ଏବେ ରଜ୍ୟ ସରକାରଙ୍କ ପକ୍ଷରୁ ‘ମେକ୍‌ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ରାଜ୍ୟର ସ୍ୱାସ୍ଥ୍ୟ ପ୍ରକଳ୍ପରେ ଘରୋଇ ବିନିଯୋଗକାରୀଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ଝାରସୁଗୁଡ଼ାକୁ ଯୋଗାଯୋଗର ସୁବ୍ୟବସ୍ଥା ରହିଥିବା ବେଳେ ଏଠାରେ ଏକ ବିମାନ ବନ୍ଦର ରହିଛି ଏବଂ ଭାରତର ପ୍ରମୁଖ ସ୍ଥାନକୁ ଆକାଶ ମାର୍ଗରେ ବିମାନ ଚଳାଚଳ କରୁଅଛି । ମେଦାନ୍ତ ଗ୍ରୁପ୍ ସହ ସରକାରଙ୍କର ଆଲୋଚନା ଫଳପ୍ରଦ ହୋଇଥିବା ବେଳେ ଖୁବ୍ ଶୀଘ୍ର ମେଦାନ୍ତ ଗ୍ରୁପର ଏକ ଉଚ୍ଚ ସ୍ତରୀୟ
ପ୍ରତିନିଧି ଦଳ ଝାରସୁଗୁଡ଼ା ଗ୍ରସ୍ତରେ ଆସି ହାର୍ଟ ହସ୍ପିଟାଲ ପାଇଁ ପ୍ରସ୍ତୁତ ଭିତିଭୂମିର ତଦାରଖ କରିବା ସହ ପ୍ରସ୍ତାବିତ କ୍ୟାନସର କେୟାର ହସ୍ପିଟାଲ ଓ ଆର୍ଫଡ଼େବିଲ୍ ହେଲଥ୍ କେୟାର ପ୍ରକଳ୍ପ ସଂପର୍କରେ ଆଲୋଚନା କରିବେ । ମେଦାନ୍ତ ହସ୍ପିଟାଲ ଭଳି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଗରେ ଥିବା ଏକ ପ୍ରତିଷ୍ଠିତ ଗ୍ରୁପ୍ ଓଡ଼ିଶାରେ ହସ୍ପିଟାଲ ପରିଚାଳନା କରିବା ପାଇଁ ଆଗେଇ ଆସିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ଲାଗି ଶହେ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କାର୍ଡିୟାକ କେୟାର ହାର୍ଟ ହସପିଟାଲ ପରିଚାଳନା ପାଇଁ ଖ୍ୟାତନାମା ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡା. ନରେଶ ତ୍ରେହାନଙ୍କ ସହିତ ଆଲୋଚନା ହୋଇଛି। ଝାରସୁଗୁଡ଼ା ଠାରେ ଏମ୍ସିଏଲ୍ ସହାୟତାରେ ଶହେ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଡାକ୍ତରଖାନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ଡିସେମ୍ବର ମାସରେ ଏହା ଉଦ୍ଘାଟିତ ହେବାର ଥିଲା। କେୟାର ହସପିଟାଲ ଏହାର ପରିଚାଳନା ଭାର ହାତକୁ ନେଇଥିବା ବେଳେ ଏଥିପାଇଁ ୧୫ ବର୍ଷ ପାଇଁ ଏମ୍ଓୟୁ ମଧ୍ୟ ସ୍ବାକ୍ଷରିତ ହୋଇଥିଲା। କେୟାର ଆହୁରି ୧୫ ବର୍ଷ ପରିଚାଳନା ଭାର ନେବାକୁ ମଧ୍ୟ ଆଗ୍ରହୀ ଥିବା ବେଳେ କୌଣସି କାରଣକୁ ନେଇ କେୟାର ଇତିମଧ୍ୟରେ ଝାରସୁଗୁଡ଼ା କାର୍ଡିୟାକ କେୟାର ପରିଚାଳନାରୁ ଓହରି ଯାଇଥିଲା। ଫଳରେ ଏହି ହସପିଟାଲ କାର୍ଯ୍ୟକ୍ଷମ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

 

ସମ୍ବନ୍ଧିତ ଖବର