ଭଞ୍ଜନଗର: ଗତ କିଛି ଦିନ ମଧ୍ୟ‌ରେ ବଦଳି ଯାଇଛି ପାଣିପାଗ। ଫେବ୍ରୁୟାରି ପ୍ରଥମ ସପ୍ତା‌ହ ବେଳକୁ ଶୀତର ପ୍ରକୋପ ଜାରି ରହିଥିବା ବେଳେ ବର୍ତ୍ତମାନ ସ୍ଥିତି ବଦଳି ଯାଇଛି। ହଠାତ୍‌ ତାପମାତ୍ରା ବୃଦ୍ଧି ପାଇ ୩୫ ରୁ ୩୬ ଡିଗ୍ରିକୁ ବଢିଛି। ରାତିରେ ପାଗ ସାମାନ୍ୟ ଥଣ୍ଡା ରହୁଥିବା ବେଳେ ସକାଳରୁ ହିଁ ଗରମ ଅନୁଭବ ହେଉଛି। ମଧ୍ୟାହ୍ନ ବେଳକୁ ସହରରେ ଗହଳି କମିବା ଆରମ୍ଭ ହେଉଛି। ହଠାତ୍ ତାପମାତ୍ରା ବଢିଯିବାରୁ ତାକୁ ସାମ୍ନା କରିବା ସମସ୍ତଙ୍କ ପକ୍ଷେ ଅସହ୍ୟ ହୋଇପଡୁଛି। ଚଳିତ ବର୍ଷ ଫେବୃୟାରୀ ମାସରୁ ହିଁ ବହୁତ ଗରମ ଅନୁଭୂତ ହେବା ସହ ଦୀର୍ଘ ଦିନର ବର୍ଷା ଅଭାବରୁ ଭଞ୍ଜନଗର ଓ ଏହାର ଆଖପାଖରେ ରହିଥିବା ଜଙ୍ଗଲ ଗୁଡିକରେ ମଧ୍ୟ ନିଆଁ ଲାଗିବା ଆରମ୍ଭ ହେଲାଣି। ଜଙ୍ଗଲ ଭିତରେ ମୋଟାସ୍ତରରେ ଶୁଖିଲା ପତ୍ର ଝଡ଼ିପଡ଼ି ରହିଥିବା ‌ବେଳେ ନିଆଁ ଲାଗିଲେ ତାହା ଚାରିଆଡେ ବ୍ୟାପି ଯାଉଛି। ବିଶେଷ କରି ଭଞ୍ଜନଗରର ଚାରିଆଡେ ସ˚ରକ୍ଷିତ ଜଙ୍ଗଲ ରହିଥିବାରୁ ଏଠାରେ ଅଧିକ ଗରମ ଅନୁଭୂତ ହୋଇ ନ ଥାଏ। ଜଙ୍ଗଲ ହିଁ ନିକଟବର୍ତ୍ତୀ ସହରକୁ ଥଣ୍ତା ରଖୁଥିଲା ବେଳେ ଏବେ ଏହି ଜଙ୍ଗଲରେ ନିଆଁ ଲାଗୁଥିବାର ଦୃଶ୍ୟ ସମ୍ମୁଖକୁ ଆସିଛି।

Advertisment

ଏହି ଜଙ୍ଗଲ ନିଆଁ ହିଁ ଗରମ ଅନ୍ୟତମ କାରଣ ପାଲଟିଛି। ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସଙ୍ଗ‌େ ଜଙ୍ଗଲ ନିଆଁ ଚିନ୍ତାଜନକ ହୋଇ ପଡିଲାଣି। ଖରାଦିନ‌େ ଜଙ୍ଗଲରେ ପତ୍ରଝଡା ଦେବା ସହ କିଛି ସ୍ଥାନରେ ନିଆଁ ଲାଗିବା ସ୍ବଭାବିକ ହୋଇଥିବା ବ‌େଳେ ନିଆଁ ଲାଗିଥିବା ଖବର ପାଇ ବନ ବିଭାଗ କର୍ମଚାରୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ସହ ସାଟେଲାଇଟ ସହାୟତାରେ ନିଆଁର ଗତିବିଧି ଉପରେ ନଜର ରଖି ଯେପରି ଚାରିଆଡେ ନବ୍ୟାପିବ ସେଥିପାଇଁ ବନ ବିଭାଗ କର୍ମଚାରୀ ମାନେ ସଜାଗ ରହିଥିବା ଡିଏଫ୍‌ଓ ସୁଦର୍ଶନ ବେହେରା ପ୍ରକାଶ କରିଛନ୍ତି। ଗୁରୁବାର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳର ଦୁର୍ଗାପ୍ରସାଦ କୁଣ୍ଟୁଣିକୁମ୍ପା ଗ୍ରାମ ନିକଟ ଜଙ୍ଗଲ ସହ ବାପାଙ୍ଗି ଜଙ୍ଗଲର କିଛି ସ୍ଥାନରେ ନିଆଁ ଲାଗିଥିଲା। ଡିଏଫ୍‌ଓ ଶ୍ରୀ ବେହେରାଙ୍କ ସହ ବନ କର୍ମଚାରୀ ମାନେ ସେଠାରେ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

ମୁଜାଗଡ ସମେତ ତାରସିଂ, ଜଗନ୍ନାଥପ୍ରସାଦ, ଗାଲେରୀ ଓ କେନ୍ଦ୍ରୀୟ ବନାଞ୍ଚଳ‌ର ବହୁ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାକୁ ନିୟନ୍ତ୍ରଣ କରାଯାଇଛି। କେନ୍ଦ୍ରୀୟ ବନାଞ୍ଚଳର ରଗଡା ଜଙ୍ଗଲରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ଜଣାପଡିଛି। ବନବିଭାଗ କର୍ମଚାରୀ  ଫାୟାର ଲାଇନ କାଟିବା ସହ ବ୍ଳୋୟର ଓ କଞ୍ଚା ଡାଳରେ ନିଆଁକୁ ଲିଭା ଯାଉଛି। ଦୁର୍ଗପ୍ରସାଦ ଏବଂ ରଗଡାରେ ବନବିଭାଗ କର୍ମଚାରୀ  ଦୁଇଟି କ୍ୟାମ୍ପ କରି ରହିଥିବା ଡିଏଫ୍‌ଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଫାୟର ଲାଇନ କଟା ଚାଲିଥିବା ବେଳେ ଫୁଲବାଣୀ ପଟୁ ନିଆଁ ଜଳି ଆସୁଥିବା ସାଟେଲାଇଟ୍‌ ଜରିଆରେ ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିବା କ୍ଷଣି ତାକୁ ଲିଭାଯାଉଥିବା ବ‌େଳେ ନିଆଁ ନିୟନ୍ତ୍ରଣରେ ରହିଥିବା ସେ ପ୍ରକାଶ କରିଛନ୍ତି।