କଟକ,୧୧/୬(ଇମିସ): ଓଡ଼ିଶାରେ ଅଳ୍ପ ବର୍ଷା, ଗରମ ସହିତ ଅସହ୍ୟ ଗୁଳୁଗୁଳି ଯୋଗୁ ପନିପରିବା ଫସଲ ନଷ୍ଟ ହୋଇଛି। ରାଜ୍ୟରେ ଫସଲ ନଷ୍ଟ ହେବା ସହିତ ବାହାର ରାଜ୍ୟ ଉପରେ ଅତ୍ୟଧିକ ନିର୍ଭରଶୀଳତା ପରିବା ବଜାରରେ ନିଆଁ ଲଗାଇ ଦେଇଛି। ଅଧିକାଂଶ ପରିବାର ଦର କିଲୋ ପିଛା ଦୁଇରୁ ତିନି ଗୁଣ ବଢିଥିବା ବେଳେ ସବୁଠୁ ବେଶି ଦର ବଢିଛି ବିନ୍‌ର। ଦୁଇ ମାସ ଭିତରେ ବିନ୍ ଦର କିଲୋ ପିଛା ୫୦ ଟଙ୍କାରୁ ୧୮୦ ଟଙ୍କାରେ ପହଞ୍ଚି ଯାଇଛି। ଛତ୍ରବଜାର ପରିବା ଗୋଦାମ ମାଲିକମାନେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବାରୁ ପରିବା ଦର ଏବେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି।

Advertisment

ବିନ୍‌, ବିଲାତି, ପୋଟଳ, ଅମୃତ ଭଣ୍ଡା, ସିମଲା ଲଙ୍କା, କ୍ୟାପସିକମ୍, ବାଇଗଣ, କୁନ୍ଦୁରି, କଞ୍ଚାଲଙ୍କା, କଞ୍ଚା କଦଳୀ, ଅଦା, ସଜନା ଛୁଇଁ, କାକୁଡ଼ି, ଝୁଡ଼ଙ୍ଗ, କଲରା, ଜହ୍ନୀ, ଭେଣ୍ଡି ଏବେ ଅମୂଲ ମୂଲ ହେବାକୁ ବସିଛି। ଓଡ଼ିଶାରେ ଏବେ କୌଣସି ଗୋଟିଏ ବି ପରିବା ଆବଶ୍ୟକତା ମେଣ୍ଟାଇ ପାରୁନାହିଁ। ବର୍ତ୍ତମାନ ସବୁଠୁ ଅଧିକ ଦର ବଢିଥିବା ବିନ୍ ପୂର୍ବରୁ କୋଲକାତାରୁ ଆସୁଥିଲା। ଖୁଚୁରା ବଜାରରେ ବିନ୍ ମୂଲ୍ୟ ନିର୍ବାଚନ ପୂର୍ବରୁ ୫୦ରୁ ୬୦ ଟଙ୍କା ଥିଲା ବେଳେ ଏବେ ଏହାର ମୂଲ୍ୟ ୧୬୦ରୁ ୧୮୦ ଟଙ୍କାରେ ପହଞ୍ଚିଲାଣି। କୋଲକାତାରେ ବିନ୍‌ ଅମଳ ବନ୍ଦ ହୋଇଯିବାରୁ ଏବେ କର୍ଣ୍ଣାଟକ ଓ ଝାଡ଼ଖଣ୍ଡ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି ଦୁଇଟି ରାଜ୍ୟରେ ବି ଚାହିଦା ଅନୁଯାୟୀ ବିନ୍ ଉତ୍ପାଦନ ହୋଇପାରୁନାହିଁ। ଫଳରେ ଏହାର ମୂଲ୍ୟ ଅଧିକ ରହୁଛି।

ନିର୍ବାଚନ ପୂର୍ବରୁ ବିଲାତି କିଲୋ ୩୦ରୁ ୪୦ ଟଙ୍କା ଥିବା ବେଳେ ଏବେ ୫୦ରୁ ୬୦ ଟଙ୍କା ଛୁଇଁଛି। ବିଲାତି ଏବେ ନାସିକ୍, ବେଙ୍ଗାଲୁରୁ, ରାୟପୁରରୁ ଆମଦାନୀ ହେଉଛି। ସେଠାରେ ଉତ୍ପାଦନ କମ୍ ରହିଥିବାରୁ ମୂଲ୍ୟ ବୃଦ୍ଧି ହୋଇଛି। ବର୍ଷା ହେଲେ କେନ୍ଦୁଝର, ଜଗତସିଂହପୁର, କଟକ ଜିଲ୍ଲା ବାଙ୍କୀରୁ ବିଲାତି ବଜାରକୁ ଆସିବା ପରେ ହୁଏତ ଏହାର ମୂଲ୍ୟ ହ୍ରାସ ହେବା ନେଇ ବ୍ୟବସାୟୀମାନେ ଆକଳନ କରୁଛନ୍ତି। ପୋଟଳ ଏବେ କୋଲକାତାରୁ ଆମଦାନୀ ହେଉଛି। ଦେଶୀ ପୋଟଳ ଯଦିଓ ଏବେ ଅନୁଗୁଳରୁ ଆମଦାନୀ ହେଉଛି ଏହାର ପରିମାଣ ବହୁତ କମ୍ ରହିଛି। ସେଥିପାଇଁ ସେଠାରୁ ଆସୁଥିବା ପୋଟଳ କିଲୋ ଏବେ ୮୦ ଟଙ୍କାରେ ପହଞ୍ଚିଛି। ନିର୍ବାଚନ ପୂର୍ବରୁ ଏହା ୪୦ ଟଙ୍କାରେ ବିକ୍ରି ହେଉଥିଲା। ବର୍ଷା ହେଲେ ଅନୁଗୁଳ ଓ ବରଗଡ଼ରେ ପୋଟଳ ଓଡ଼ିଶାରେ ଉତ୍ପାଦନ ବୃଦ୍ଧି ପାଇବ। ଅମୃତ ଭଣ୍ଡା ଏବେ ଆନ୍ଧ୍ର ଓ ରାୟପୁରରୁ ଆମଦାନୀ ହେଉଛି। କିନ୍ତୁ ଅନୁଗୁଳ, କେନ୍ଦୁଝର, ବରଗଡ଼ରୁ ଏବେ ଆମଦାନୀ ହୋଇପାରୁ ନାହିଁ। ଅମୃତ ଭଣ୍ଡା ନିର୍ବାଚନ ପୂର୍ବରୁ କିଲୋ ୨୦ ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ ୩୦ରୁ ୪୦ ଟଙ୍କାରେ ପହଞ୍ଚିଛି।

ସିମଲା ଲଙ୍କା ଓ କ୍ୟାପସିକମ୍ ବେଙ୍ଗାଲୁରୁରୁ ଆମଦାନୀ ହେଉଛି। କୋଲକାତା ଓ ବିହାରରେ ଏବେ ସିମଲା ଲଙ୍କା ଉତ୍ପାଦନ ସମୟ ହୋଇ ନଥିବାରୁ ଦର ଉଚ୍ଚା ରହୁଛି। ସିମଲା ଲଙ୍କା ପୂର୍ବରୁ ୫୦ରୁ ୬୦ ଟଙ୍କା ଥିବା ବେଳେ ଏବେ ୧୦୦ରୁ ୧୨୦ ଟଙ୍କାରେ ପହଞ୍ଚିଛି। ସେହିଭଳି କ୍ୟାପସିକମ୍ ୬୦ରୁ ୭୦ ଟଙ୍କା ପୂର୍ବରୁ ଥିବା ବେଳେ ଏବେ ୧୦୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଏବେ ନୟାଗଡ଼ ଓ ବରଗଡ଼ ଜିଲ୍ଲାରୁ ଦେଶୀ ବାଇଗଣ ଆସୁଛି। କିନ୍ତୁ ଏହି ବାଇଗଣରେ ପୋକ ଲାଗିଯାଇଥିବାରୁ ଭଲ ବାଇଗଣ କମ୍ ଆସୁଛି। ପୂର୍ବରୁ ଦେଶୀ ବାଇଗଣର ମୂଲ୍ୟ ୨୦ରୁ ୨୫ ଟଙ୍କା ଥିଲା। ଏବେ ଏହାର ମୂଲ୍ୟ ୪୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଚାଲାଣ ବାଇଗଣ ୧୫ରୁ ୨୦ ଟଙ୍କା ପୂର୍ବରୁ ଥିବା ବେଳେ ଏବେ ୨୦ରୁ ୨୫ ଟଙ୍କା ଛୁଇଁଛି। ପଶ୍ଚିମବଙ୍ଗ ସମେତ ଓଡ଼ିଶାର ଆଠଗଡ଼, ଜଗତସିଂହପୁର ଜିଲ୍ଲାରୁ ବାଇଗଣ ବାହାରିଲେ ଏହାର ମୂଲ୍ୟ ହୁଏତ ହ୍ରାସ ପାଇବ। କୁନ୍ଦୁରି ପଶ୍ଚିମବଙ୍ଗରୁ ଆମଦାନୀ ହେଉଛି। ପଶ୍ଚିମବଙ୍ଗରେ ଅମଳ କମ୍ ଥିବାରୁ ଏବେ ମୂଲ୍ୟ ୪୦ ଟଙ୍କାରେ ପହଞ୍ଚିଛି। ନିର୍ବାଚନ ପୂର୍ବରୁ ଏହାର ମୂଲ୍ୟ ୧୫ରୁ ୨୦ ଟଙ୍କା ଥିଲା।

କଞ୍ଚାଲଙ୍କା ବରଗଡ଼, ସମ୍ବଲପୁରରୁ ଆସୁଛି। କିନ୍ତୁ ଏହା ଯଥେଷ୍ଟ ହେଉ ନାହିଁ। ପଶ୍ଚିମବଙ୍ଗ, ରାଞ୍ଚିରୁ କଞ୍ଚାଲଙ୍କା ଅଳ୍ପ ପରିମାଣର ଆସୁଛି। ନିଅଣ୍ଟିଆ ସ୍ଥିତି ପାଇଁ ଲଙ୍କା କେଜି ପିଛା ୮୦ରୁ ୧୦୦ ଟଙ୍କା ହୋଇଛି। ପୂର୍ବରୁ ଏହା ୪୦ରୁ ୫୦ ଟଙ୍କା ଥିଲା। କଞ୍ଚା କଦଳୀ ଏବେ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଛି। ପାଚିଲା କଦଳୀ ଗାଡ଼ିରେ ଏହା ବୋଝେଇ ହେଇ ଆସିଥାଏ। ଓଡ଼ିଶାରେ ପୁରୀ, ଆଠଗଡ଼, ଅନୁଗୁଳ ଜିଲ୍ଲାରୁ ବି କଞ୍ଚା କଦଳୀ ଆସିଥାଏ। ଅନ୍ୟ ପରିବା ବୋଝେଇ ଗାଡ଼ି ସହିତ କଞ୍ଚା କଦଳୀ ଆସିଥାଏ। ଯେହେତୁ ଅନ୍ୟ ପରିବାର ଅମଳ ହେଉନାହିଁ, ସେଥିପାଇଁ କଞ୍ଚା କଦଳୀ ଛତ୍ରବଜାରରେ ପହଞ୍ଚିପାରୁ ନାହିଁ। ଖାଲି କଦଳୀ ଉପରୋକ୍ତ ଜିଲ୍ଲାରୁ ଆସିଲେ ଗାଡ଼ି ଭଡ଼ା ଅଧିକ ହୋଇଯିବ। ସେଥିପାଇଁ ବ୍ୟବସାୟୀମାନେ ଆଣୁନାହାନ୍ତି। ଯାହା ଫଳରେ ଏହାର ମୂଲ୍ୟ ଗୋଟା ୧୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଏହା ୫ରୁ ୬ ଟଙ୍କା ଭିତରେ ରହୁ ଥିଲା। ଅଦା ଏବେ ଆନ୍ଧ୍ରପ୍ରଦେଶ ଓ ବାଙ୍ଗାଲୁରରୁ ଆସୁଛି। କୋରାପୁଟରେ ଭଲ ଫସଲ ହୋଇପାରିଲା ନାହିଁ। ଯାହା ଫଳରେ ଅଦା ଆବଶ୍ୟକତା ଅନୁଯାୟୀ, ବଜାରରେ ପହଞ୍ଚିପାରୁନଥିବାରୁ ମୂଲ୍ୟ ବୃଦ୍ଧି ପାଇଛି। ଅଦାର ଏଭଳି ଅଭାବୀ ପରିସ୍ଥିତି ପାଇଁ ମୂଲ୍ୟ ଏବେ ୨୦୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଏହାର ମୂଲ୍ୟ ୧୨୦ରୁ ୧୩୦ ଟଙ୍କା ଥିଲା।

କାକୁଡ଼ି କଟକର ବୟାଳିଶମୌଜା ଓ ଆଠଗଡ଼ରେ ପର୍ଯ୍ୟାପ୍ତ ଉତ୍ପାଦନ ହୋଇନାହିଁ। ସେଥିପାଇଁ ଦେଶୀ କାକୁଡ଼ି ମୂଲ୍ୟ ବୃଦ୍ଧି ପାଇଛି। ଦେଶୀ କାକୁଡ଼ି ମୂଲ୍ୟ ପୂର୍ବରୁ ୩୦ ଟଙ୍କା ଥିବା ବେଳେ ଏବେ ୬୦ରୁ ୭୦ ଟଙ୍କା ଛୁଇଁଛି। ସେହିଭଳି ପଶ୍ଚିମବଙ୍ଗରୁ ଆମଦାନୀ ହେଉଥିବା ଚାଲାଣ କାକୁଡ଼ି ମୂଲ୍ୟ ୨୦ ଟଙ୍କାରୁ ଏବେ ୩୦/୪୦ ଟଙ୍କା ଛୁଇଁଛି। ପଶ୍ଚିମବଙ୍ଗରେ ବି କାକୁଡ଼ି ଆମଦାନୀ ପର୍ଯ୍ୟାପ୍ତ ହେଉନଥିବାରୁ ମୂଲ୍ୟ ବୃଦ୍ଧି ପାଇଛି। ଝୁଡ଼ଙ୍ଗ ଓଡ଼ିଶାରେ ବରଗଡ଼, ସମ୍ବଲପୁର ଜିଲ୍ଲାରୁ ଆମଦାନୀ ହୁଏ। ଉତ୍ପାଦନ ସମୟ ହୋଇନଥିବାରୁ ଏବେ ସଂପୂର୍ଣ୍ଣ ଭାବେ କୋଲକାତା ଉପରେ ନିର୍ଭର କରିବାକୁ ପଡୁଛି। ପୂର୍ବରୁ ଏହାର ମୂଲ୍ୟ ୩୦ରୁ ୪୦ ଟଙ୍କା ଥିବା ବେଳେ ଏବେ ୮୦ ଟଙ୍କାରେ ପହଞ୍ଚିଛି। କଲରା ବି ପଶ୍ଚିମବଙ୍ଗରୁ ଆସୁଛି। ଏହାର ମୂଲ୍ୟ ୩୦ରୁ ୪୦ ଟଙ୍କା ନିର୍ବାଚନ ସମୟରେ ଥିବା ବେଳେ ଏବେ ମୂଲ୍ୟ ବୃଦ୍ଧି ପାଇ ୬୦ରୁ ୭୦ରେ ପହଞ୍ଚିଛି। ଛତ୍ରବଜାର ପରିବା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଯୋଗୁଁ କୌଣସି ଫସଲ ଓଡ଼ିଶାରେ ଆବଶ୍ୟକତା ଅନୁଯାୟୀ ହୋଇନାହିଁ। ସବୁ ପନିବରିବା ପାଇଁ କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଓଡ଼ିଶାରେ ବର୍ଷା ନହେବା ଯାଏ ଫସଲ ଉତ୍ପାଦନ ହୋଇପାରିବ ନାହିଁ। ଯାହାଫଳରେ ଏଭଳି ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି।

ଛତ୍ରବଜାରରେ ଖୁଜୁରା ମୂଲ୍ୟ
ପରିବା ନିର୍ବାଚନ ପୂର୍ବ ମୂଲ୍ୟ ନିର୍ବାଚନ ପର ମୂଲ୍ୟ
ବିନ୍ ୫୦ରୁ ୬୦ ଟଙ୍କା ୧୬୦ରୁ ୧୮୦ ଟଙ୍କା
ବିଲାତି ୩୦ରୁ ୪୦ ଟଙ୍କା ୫୦ରୁ ୬୦ ଟଙ୍କା
ଗାଜର ୨୦ ୩୦
କାଙ୍କଡ଼ ୭୦ ୮୦
ଦେଶୀ ପୋଟଳ ୪୦ ୮୦
ଚାଲାଣ ପୋଟଳ ୨୦ ୪୦
ଭଣ୍ଡା ୨୦ ୩୦ରୁ ୪୦
ସିମଲା ଲଙ୍କା ୫୦ରୁ ୬୦ ୧୦୦ରୁ ୧୨୦
କ୍ୟାପସିକମ୍ ୬୦ରୁ ୭୦ ୧୦୦
ଦେଶୀ ବାଇଗଣ ୨୦ରୁ ୨୫ ଟଙ୍କା ୪୦
ଚାଲାଣ ବାଇଗଣ ୧୫ରୁ ୨୦ ୨୦ରୁ ୨୫
କୁନ୍ଦୁରି ୧୫ରୁ ୨୦ ଟଙ୍କା ୪୦
କଞ୍ଚାଲଙ୍କା ୪୦ରୁ ୫୦ ୮୦ରୁ ୧୦୦
କଞ୍ଚା କଦଳୀ ଗୋଟା ୬ରୁ ୭ ଟଙ୍କା ୧୦ ଟଙ୍କା
ଫୁଲକୋବି ୨୫ରୁ ୩୦ ଟଙ୍କା ୫୦ରୁ ୬୦
ବନ୍ଧାକୋବି ୨୦ରୁ ୨୫ ୪୦
ଅଦା ୧୨୦ରୁ ୧୩୦ ୨୦୦
ପିଆଜ ୨୦ରୁ ୨୫ ୩୫
ଆଳୁ ୨୦ରୁ ୨୫ ୩୦
ରଶୁଣ ୧୪୦ ଟଙ୍କା ୧୬୦ରୁ ୧୮୦
ସଜନା ଛୁଇଁ ୪୦ରୁ ୫୦ ୮୦
ମାଟିଆଳୁ ୪୦ ୪୦
କଖାରୁ ୧୫ ୨୦
ଦେଶୀ କାକୁଡ଼ି ୩୦ ୬୦ରୁ ୭୦
ଚାଲାଣ କାକୁଡ଼ି ୨୦ ୩୦ରୁ ୪୦
ଝୁଡ଼ଙ୍ଗ ୩୦ରୁ ୪୦ ୮୦
କଲରା ୩୦ରୁ ୪୦ ୬୦ରୁ ୭୦
ଜହ୍ନୀ ୩୦ରୁ ୪୦ ୫୦ରୁ ୬୦
ଭେଣ୍ଡି ୩୦ ୫୦ରୁ ୬୦

ଛତ୍ରବଜାର ହୋଲସେଲ୍ ମୂଲ୍ୟ
ପରିବା ମଙ୍ଗଳବାର ମୂଲ୍ୟ
ଆଳୁ ୨୨ରୁ ୨୨ ଟଙ୍କା ୬୦
ପିଆଜ ୩୨ରୁ ୩୪
ଅଦା ୧୪୦ରୁ ୧୫୦
ରଶୁଣ ୧୬୦ରୁ ୧୭୦
ବାଇଗଣ ୨୫ରୁ ୩୦
ପୋଟଳ ୨୫ରୁ ୩୦
କାଙ୍କଡ଼ ୬୦ରୁ ୭୦
ଝୁଡ଼ଙ୍ଗ ୪୦ରୁ ୫୦
ବନ୍ଧାକୋବି ୨୫ରୁ ୨୮
ଭଣ୍ଡା ୧୬ରୁ ୧୮
କଲରା ୨୫ରୁ ୨୭
କଖାରୁ ୧୨ରୁ ୧୬
ବିଲାତି ୪୫ରୁ ୫୦
ଖମ୍ବ ଆଳୁ ୧୮ରୁ ୨୦
ଗାଜର ୧୨ରୁ ୧୬
ବିଟ୍ ୧୩ରୁ ୧୫
ବିନ୍ ୧୭୦ରୁ ୧୮୦(ବାଙ୍ଗାଲୁର)
ବିନ୍ ରାଞ୍ଚି(୪୫ରୁ ୫୦)
ସିମଲା ଲଙ୍କା ୬୦ରୁ ୭୦