ଆସନ୍ତା ଏକ ସପ୍ତାହେ ଯାଏ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ବର: ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଖରା ବଢ଼ିବ ଓ ରାଜ୍ୟରେ ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରି ଉପରେ ରହିବ। ବାୟୁର ଆର୍ଦ୍ରତା କମ୍‌ ରହିବା ସହ ଗତି ମଧ୍ୟ କମ୍‌ ରହିବ। ଫଳରେ ପ୍ରବଳ ଗରମ ଅନୁଭୂତ ହେବ। ଆସନ୍ତା ୩୦ ଓ ୩୧ ତାରିଖରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ଏହା ତାତିରୁ ଆଶ୍ବସ୍ତି ଦେବ ନାହିଁ। ମୋଟ୍‌ ଉପ‌ରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି। ଗତ ୩ ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଆଜି ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ଡିଗ୍ରି ଛୁଇଁଥିବା ବେଳେ ଟିଟିଲାଗଡ଼ ଓ ଅନୁଗୁଳରେ ୩୯ଡିଗ୍ରି ଅତିକ୍ରମ କରିଛି। ସେହିଭଳି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରି ଉପରେ ରହିଥିଲା। ଗତ ୨/୩ ଦିନର ତାପମାତ୍ରା ସାରଣୀକୁ ତୁଳନା କଲେ, ଆଜି ରାଜ୍ୟର ପ୍ରତିଟି ଜିଲ୍ଲାରେ ତାପମାତ୍ରା ୧ରୁ ୨ଡିଗ୍ରି ବୃଦ୍ଧି ପାଇଛି। ଆଗାମୀ ଦିନଗୁଡ଼ିକରେ ରାଜ୍ୟର ତାପମାତ୍ରା ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ି ୪୨ ଡିଗ୍ରିକୁ ଛୁଇଁପାରେ ବୋଲି ଆକଳନ କରାଯାଉଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିବ। ୩୦ ଓ ୩୧ ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବ। କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ବି ସମ୍ଭାବନା ରହିଛି। ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାର କେ‌ତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଏହି ସମୟରେ ଉପକୂଳ ଓଡ଼ିଶାର କିଛି ସ୍ଥା‌ନରେ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ରହିବ। କନ୍ଧମାଳ, ବୌଦ୍ଧ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଅଞ୍ଚଳରେ କୁଆପଥର ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଏହାର ପ୍ରଭାବ ତାପମାତ୍ରା ଉପରେ ପଡ଼ିବ ନାହିଁ। ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ।

ସମ୍ବନ୍ଧିତ ଖବର