ଭୁବନେଶ୍ବର: ଦିନରେ ତାତି। ରାତିରେ ମଧ୍ୟ ଉଷ୍ମରୁ ନିସ୍ତାର ମିଳୁନି। ପଶ୍ଚିମରୁ ଦକ୍ଷିଣ ହେଉ ଅଥବା ଉପକୂଳରୁ ଉପାନ୍ତ, ସବୁଠି ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଦିନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୬ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଥିବା ବେଳେ ଏବେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୧୦ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଛି। ଗତକାଲି ରାତିରେ ଭବାନୀପାଟଣା ତାପମାତ୍ରା ସ୍ବାଭାବିକଠାରୁ ୬.୫ ଡିଗ୍ରି ଅଧିକ ସହ ୩୩ଂରେ ପହଞ୍ଚିଛି। ବଲାଙ୍ଗୀରରେ ତ ସ୍ବାଭାବିକ ତାପମାତ୍ରାଠାରୁ ୯.୩ ଡିଗ୍ରି ଅଧିକ ରହିବା ସହ ୩୨.୫ଂରେ ପହଞ୍ଚିଛି। ଟିଟିଲାଗଡ଼ରେ ସ୍ବାଭାବିକଠାରୁ ୫.୪, ସମ୍ବଲପୁରରେ ୫.୪, ହୀରାକୁଦରେ ୪.୪, କଟକରେ ୩.୬, ଝାରସୁଗୁଡ଼ାରେ ୩.୧, ଚାନ୍ଦବାଲିରେ ୩, ବାଲେଶ୍ବରରେ ୩, ଭୁବନେଶ୍ବରରେ ସ୍ବାଭାବିକଠାରୁ ୨.୯ ଡିଗ୍ରି ଅଧିକ ରହିଥିଲା। ଦିନରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ୧୨ଟି ସହରର ତାପମାତ୍ରା ୪୩ ଡିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ୪୬.୫ ଡିଗ୍ରି ସହ ଟିଟିଲାଗଡ ଆଜି ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ‌ଏଥିସହ ବଲାଙ୍ଗୀରରେ ୪୬.୪, ସୋନପୁରରେ ୪୬.୨, ବରଗଡ଼ରେ ୪୬, ସମ୍ବଲପୁରରେ ୪୫.୨, ଝାରସୁଗୁଡ଼ା, ଭବାନୀପାଟଣା, ନୂଆପଡ଼ାରେ ୪୫ ଡିଗ୍ରି ଲେଖାଏ ରେକର୍ଡ କରାଯାଇଛି।

Advertisment

ସେପଟେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ବିସ୍ତାରିତ ପରିସର ଆକଳନ ଅନୁଯାୟୀ ଜୁନ୍‌ ଦ୍ୱିତୀୟ ସପ୍ତାହ ଅର୍ଥାତ୍‌ ଜୁନ ୬ରୁ ୧୨ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଶନିବାର ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି, ସୋନପୁରରେ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ କେନ୍ଦୁଝରରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଜୁନ୍‌ ୨ରେ ମାଲକାନଗିରି, ନୂଆପଡ଼ା, ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣା, ଝାରସୁଗୁଡ଼ା, ସୋନପୁର ତାପମାତ୍ରା ୪୩ ଡିଗ୍ରି ଉପରେ ରହିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ ଆଗାମୀ ଦୁଇ ଦିନ ଗ୍ରୀଷ୍ମ ପ୍ରବାହରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଜାରି ରହିବ। ଜୁନ୍‌ ୨ ତାରିଖ ପରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି କମିବାକୁ ଥିଲେ ମଧ୍ୟ ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୋନପୁରରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳରେ ଗୁଳୁଗୁଳି ଅନୁଭୂତ ହେବ। କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ୩ ତାରିଖ ପରଠାରୁ ହିଟ୍‌ୱେଭ୍‌ରୁ ମୁକ୍ତି ମିଳିପାରେ। ତେବେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିବ। କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ଝଡ଼ପବନ ହେବାର ସମ୍ଭାବନା ରହିଛି।