ଭୁବନେଶ୍ବର: ରାଜ୍ୟକୁ ପୁଣିଥରେ ଗ୍ରୀଷ୍ମ ପ୍ରବାହ ଫେରିଛି। ବାତ୍ୟା ସ୍ଥଳଭାଗ ଛୁଇଁବାର ଗୋଟିଏ ଦିନ ପରେ ପଶ୍ଚିମରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ, ଆଜି ସବୁଠି ପ୍ରଚଣ୍ଡ ଗରମ ଅନୁଭୂତ ହୋଇଛି। ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ୪୫.୯ ଡିଗ୍ରି ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ଏବଂ ଦେଶର ୯ମ ଉତ୍ତପ୍ତ ସହର ପାଲଟିଛି। ସୋନପୁରରେ ୪୫.୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୫, ଝାରସୁଗୁଡ଼ାରେ ୪୪.୮, ସମ୍ବଲପୁରରେ ୪୪.୬, ବଲାଙ୍ଗୀରରେ ୪୪.୫, ଭବାନୀପାଟଣାରେ ୪୪, ହୀରାକୁଦରେ ୪୩.୬, ଫୁଲବାଣୀରେ ୪୩.୩, ନୂଆପଡ଼ାରେ ୪୩, ତାଳଚେର ଓ ବରଗଡ଼ରେ ୪୨.୨, ମାଲକାନଗିରି ଓ ସୁନ୍ଦରଗଡ଼ରେ ୪୧.୬, ପାରଳାଖେମୁଣ୍ଡିରେ ୪୧.୫, ଅନୁଗୁଳରେ ୪୧.୧ ଓ ନୟାଗଡ଼ରେ ୪୦.୩ ଡିଗ୍ରି ରେକର୍ଡ ହୋଇଛି।
Advertisment
ସେପଟେ ଉପକୂଳ ଓଡ଼ିଶାରେ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହୋଇଛି। ଗତକାଲି ଭୁବନେଶ୍ବର ସହରରେ ୧୮ ଘଣ୍ଟା ୪୫ ମିନିଟ୍‌ ଧରି ଆର୍ଦ୍ରତା ୮୦%ରୁ ଅଧିକ ରହିଥିଲା। ବାକି ୫ ଘଣ୍ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଆର୍ଦ୍ରତା ୬୪%ରୁ ୭୯% ଥିଲା, ଯାହାକି ସ୍ବାଭାବିକଠାରୁ ବହୁତ ଅଧିକ। ଆଜି ସକାଳଠାରୁ ହିଁ ଗୁଳୁଗୁଳି ଅନୁଭୂତ ହୋଇଛି। ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୨.୬ ଡିଗ୍ରି ରହିଥିବା ବେଳେ ଆର୍ଦ୍ରତା ୮୩% ରହିଥିଲା। ଦିନ ୧୧ଟା ୩୦ ସୁଦ୍ଧା ସହରର ତାପମାତ୍ରା ୩୭.୭ ଡିଗ୍ରି ଓ ଆର୍ଦ୍ରତା ୬୬% ଥିଲା। ଏହି ସମୟରେ ପାରାଦୀପରେ ୮୧%, ପୁରୀରେ ୮୦%, ଗୋପାଳପୁରରେ ୭୯%, ଚାନ୍ଦବାଲିରେ ୭୫%, ବାଲେଶ୍ୱରରେ ୭୪%, କେନ୍ଦୁଝରରେ ୫୦%, ହୀରାକୁଦରେ ୪୫%, ସମ୍ବଲପୁରରେ ୪୪%, ରାଉରକେଲା ଓ ଝାରସୁଗୁଡାରେ ୩୮% ରହିଥିଲା।
ପରିସ୍ଥିତି ଆଗକୁ ଆହୁରି ବିଗିଡ଼ିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହିଟ୍‌ୱେଭ୍‌(ଗ୍ରୀଷ୍ମ ପ୍ରବାହ) ସ୍ଥିତି ଜାରି ରହିବ। ୨୯ ଓ ୩୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ହେବ। ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବାଲେଶ୍ବର, ଭଦ୍ରକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ସମେତ କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୂତ ଲାଗିରହିବ। ନୂଆପଡ଼ା, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ‌ସୁନ୍ଦରଗଡ଼, ରାଉରକେଲା, ବୌଦ୍ଧ ସହରର ତାପମାତ୍ରା ୪୪ ଡିଗ୍ରି ଡେଇଁଯିବାର ଆଶଙ୍କା ରହିଛି। ତେଣୁ ଜିଲ୍ଲାପାଳମାନେ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପରବର୍ତ୍ତୀ ଦୁଇ ଦିନ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା‌ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।