୩୮ ଡିଗ୍ରି ଟପିଲା ମାଲକାନଗିରି, ୨୪ରୁ ପଶ୍ଚିମ ଉତ୍ତର ଓଡ଼ିଶାରେ ବର୍ଷ‌ା

ଭୁବନେଶ୍ୱର : ସାରା ରାଜ୍ୟରେ ବଢ଼ୁଛି ତାତି। ଦୁଇ ଦିନ ମଧ୍ୟରେ ସବୁ ସହରର ଦିନର ତାପମାତ୍ରା ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ମାଲକାନଗିରିର ସର୍ବୋଚ୍ଚ ତାପମାତ୍ରା ଇତି ମଧ୍ୟରେ ୩୮ ଡିଗ୍ରି ଟପିଛି। ଏଠାରେ ଚଳିତବର୍ଷ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଉପକୂଳ ଓ ପଶ୍ଚିମ ଓଡ଼ିଶାର ୫ରୁ ଅଧିକ ସହରର ତାପମାତ୍ରା ଆଜି ୩୫ ଡିଗ୍ରି ଉପରେ ରହିଥିଲା। କଟକରେ ୩୬.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ୩୫.୯, ଭବାନୀପାଟଣାରେ ୩୫.୫, ସୋନପୁରରେ ୩୫.୪, ବଲାଙ୍ଗୀରରେ ୩୫.୨, ଅନୁଗୁଳ ଓ ତାଳଚେରରେ ୩୫.୧ ଡିଗ୍ରି ଲେଖାଏ ରହିଛି। ଏଭଳି ସ୍ଥିତି ଆହୁରି ଦୁଇ ଦିନ ଲାଗିରହିବ। ୨୩ ତାରିଖ ରାତିରୁ ପାଗରେ ପରିବର୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଫେବ୍ରୁଆରି ୨୪ରୁ ୨୬ତାରିଖ ମଧ୍ୟରେ ଉତ୍ତର ଓ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଝଡ଼ତୋଫାନ ସହ କୁଆପଥର ମାଡ଼ ହେବାର ଆଶଙ୍କା ମଧ୍ୟ ରହିଛି। ଉତ୍ତର ଭାରତରେ ଥିବା ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଏଭଳି ପାଗ ସୃଷ୍ଟି ହେବ। ପ୍ରଭାବରେ ବଲାଙ୍ଗୀର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରପଡ଼ା ଓ କଟକରେ ବର୍ଷା ହେବାର ସମ୍ଭାବନା ରହିଛି। ଫେବ୍ରୁଆରି ୨୫ ଓ ୨୬ ତାରିଖ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ସେହିପରି ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଗରମ ଅନୁଭୂତ ହେବ। ଦିନର ତାପମାତ୍ରା ୩୫ ଡିଗ୍ରି ମଧ୍ୟ ଛୁଇଁବାର ସମ୍ଭାବନା ରହିଛି। ୨୪ ତାରିଖରୁ ତାପମାତ୍ରା କମିପାରେ । ୨୧ ତାରିଖ ସକାଳେ କୁହୁଡ଼ିର ସମ୍ଭାବନା ରହିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର