ଜଳୁଛି ପଶ୍ଚିମ ଓଡ଼ିଶା : ୯ ଜିଲ୍ଲା ପାଇଁ ଗ୍ରୀଷ୍ମ ପ୍ରବାହ ଆଲର୍ଟ ଜାରି

୪୪ ଡିଗ୍ରି ଛୁଇଁଲା ଟିଟିଲାଗଡ଼, ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ବର : ଦିନ ୧୦ଟାରୁ ପ୍ରବଳ ଖରା। ଘରୁ ବାହାରିବା ମୁସ୍କିଲ୍‌। ଯଦି ବି କେହି କାମରେ ବାହାରୁଛନ୍ତି ତାଙ୍କ ମୁଣ୍ଡ ଉପରେ ଛତା ନ ହେଲେ ଗାମୁଛା। ମଧ୍ୟାହ୍ନ ବେଳକୁ ରାସ୍ତାଘାଟ ଏକପ୍ରକାର ଶୂନଶାନ। କେଉଁଠି ପଶୁପକ୍ଷୀ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ତ ଆଉ କେଉଁଠି ଲୋକେ ବିଶ୍ରାମ ପାଇଁ ଗଛ ଖୋଜୁଛନ୍ତି। ଦୁଇ ଦିନ ହେଲା ଏମିତି ଭାବେ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା।

ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ଆଜି ସବୁ ରେକର୍ଡ ଭାଙ୍ଗିଛି। ଚଳିତବର୍ଷ ପ୍ରଥମଥର ଲାଗି ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଛୁଇଁଛି। ଏଥିସହ ବଲାଙ୍ଗୀର ତାପମାତ୍ରା ବି ୪୩ ଡିଗ୍ରିରେ ପହଞ୍ଚିଛି। ରାଜ୍ୟର ମୋଟ ୧୧ଟି ସହରର ତାପମାତ୍ରା ୪୦ଡିଗ୍ରି ଉପରେ ଥିବା ବେଳେ ଝାରସୁଗୁଡ଼ା, ଭବାନୀପାଟଣା, ମାଲକାନଗିରି, ସୋନପୁର ୪୨ଡିଗ୍ରି ପାର୍‌ ହୋଇଛି। ମେ’ ୨ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ତାପମାତ୍ରା ଏଭଳି ଲାଗି ରହିବ।

ଚଳିତ ସପ୍ତାହରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା‌ ହୁ’ ହୁ’ ହୋଇ ବଢ଼ୁଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲା ଲାଗି ହିଟ୍‌ୱେଭ୍‌ ଜାରି ହୋଇଛି। ଏପ୍ରିଲ ୩୦ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ମାଲକାନଗିରି, ବରଗଡ଼, ସୋନପୁର, ନୂଆପଡ଼ା ଓ ବୌଦ୍ଧ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ବୟସ୍କମାନେ ବିଭିନ୍ନ ରୋଗରେ ପଡ଼ିବାର ଆଶଙ୍କା ଥିବାରୁ ଯେତେଦୂର ସମ୍ଭବ ତାତିଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ମଧ୍ୟାହ୍ନ ସୁଦ୍ଧା ଅବପାତ ରୂପ ନେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ କେନ୍ଦ୍ରୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହେବ। ଏହାର ୧୨ଘଣ୍ଟା ମଧ୍ୟରେ ବାତ୍ୟା(ଫନି)ର ରୂପ ନେଇ ଏପ୍ରିଲ ୩୦ ସନ୍ଧ୍ୟା ସୁଦ୍ଧା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ। ଏହାପରେ ବାତ୍ୟା ଦିଗ ପରିବର୍ତନ କରି ଉତ୍ତର ପୂର୍ବକୁ ଗତି କରିବ। ମେ’ ୨ରୁ ୫ ତାରିଖ ମଧ୍ୟରେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିପାରେ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉପକୂଳର ମତ୍ସ୍ୟଜୀବୀଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି। ୨୭ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୬୫ରୁ ୭୫କିମି ବେଗରେ ପବନ ବୋହିବ। ଏପ୍ରିଲ ୨୯ ଓ ୩୦ ବେଳକୁ ପବନର ବେଗ ୯୦ରୁ ୧୦୦ କିମି ହେବାର ଆଶଙ୍କା ରହିଛି। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଉପରୋକ୍ତ ଅଞ୍ଚଳକୁ ବାରଣ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି ଶନିବାର ମଧ୍ୟ ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ। ୨୯ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରି କମିପାରେ। ଭୁବନେଶ୍ବର ତାପମାତ୍ରା ୩୬ ଡିଗ୍ରିରେ ପହଞ୍ଚିବାର ସମ୍ଭାବନା ରହିଛି। ମେ’ ୩ ଓ ୪ରେ ସମ୍ଭାବ୍ୟ ଲଘୁଚାପ ବର୍ଷା ଯୋଗୁଁ ସର୍ବୋଚ୍ଚ ତାପମାତ୍ରା ବିଶେଷ କମିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରି ତଳକୁ ଖସିପାରେ। ପଶ୍ଚିମ ଓଡ଼ିଶାରେ ୨ ତାରିଖ ପର୍ଯ୍ୟନ୍ତ ଗରମ ଲାଗି ରହିବ। ତେବେ ୨୯ତାରିଖରେ ସାମାନ୍ୟ କମିପାରେ। ମେ’ ୩ ଓ ୪ରେ ୨ ଡିଗ୍ରିରୁ ଅଧିକ କମିବ। ତେବେ ବର୍ଷାର ସମ୍ଭାବନା ନାହିଁ।

ବାତ୍ୟା ସମ୍ପର୍କରେ ପ୍ରଫେସର୍‌ ପଶୁପାଳକ ଆକଳନ କରିଛନ୍ତି ଯେ ଆଜି ଅପରାହ୍‌ଣ ୨ଟା ୩୦ ବେଳକୁ ଲଘୁଚାପ ୩ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୮୯.୩ ଡିଗ୍ରି ପୂର୍ବ ଦ୍ରାଘିମାରେ ଲଘୁଚାପର କେନ୍ଦ୍ରବିନ୍ଦୁ ଥିଲା। କଲମ୍ବୋଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ ୧୧୦୦ କିମି ଦୂରରେ ରହିଥିଲା। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ସମୁଦ୍ର ପତ୍ତନର ତାପମାତ୍ରା ଓ ଉର୍ଧ୍ବଗାମୀ ବାୟୁର ବେଗ ଯୋଗୁଁ ଏହା ଅଧିକ ଘନୀଭୂତ କରିବ। ଫଳରେ ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେଇପାରେ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ମେ’ ୧ରେ ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଦ୍ରପ୍ରଦେଶ ଉପକୂଳରେ ରହିବ। ଏହାପରେ ଏହା ଦିଗ ପରିବର୍ତନ କରି ଉପକୂଳ ଦେଇ ଗତି କରିବ। ଦକ୍ଷିଣ ଓଡ଼ିଶା ଉପକୂଳରେ ମେ’ ୩ ଅପରାହ୍‌ଣରେ ନିକଟତର ହେବ। ସେତେବେଳକୁ ବାତ୍ୟା ଦୁର୍ବଳ ହୋଇଯାଇଥିବ। କିନ୍ତୁ ବର୍ଷା ହେବ। ଅନୁମାନ କରାଯାଉଛି ମେ’ ୩ ବେଳକୁ ପୁରୀଠାରୁ ଦକ୍ଷିଣରେ ଥିବା ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ୪ ତାରିଖ ଦିନ ସମସ୍ତ ଉପକୂଳ ଜିଲ୍ଲାରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ କି ନାହିଁ ୩୦ ତାରିଖ ପରେ ଅଧିକ ସଠିକ୍‌ କହି ହେବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର