ଭୁବନେଶ୍ବର : ଜାରି ରହିବ ଗ୍ରୀଷ୍ମ ପ୍ରବାହ। ୩ ଦିନ ଯାଏ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ। ତେବେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି। ସ୍ଥିତି ଅପରିବର୍ତ୍ତିତ ରହିବ। ୨୪ ତାରିଖଠାରୁ ସାରା ରାଜ୍ୟରେ ସ୍ଥିତି ସାଂଘାତିକ ହେବ। ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୬ ଡିଗ୍ରି ଉପରକୁ ଚାଲିଯିବ। ୨୫ ବେଳକୁ ୪୭ରୁ ୪୮ ଡିଗ୍ରିରେ ପହଞ୍ଚିବ।
କେବଳ ପଶ୍ଚିମ ଓଡ଼ିଶା ନୁହେଁ।
ମେ’ ୨୫ ବେଳକୁ ଉପକୂଳ ଓଡ଼ିଶାର ଅଧିକାଂଶ ବ୍ଲକରେ ଦିନର ପାରଦ ୪୨ ଡିଗ୍ରି ଡେଇଁବ। ପ୍ରବଳ ଗୁଳୁଗୁଳି ସହ ପ୍ରଚଣ୍ଡ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ। କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ଆଶଙ୍କା ରହିଛି। ତେବେ ତାପମାତ୍ରା କମାଇବାରେ ତାହା ସକ୍ଷମ ହେବ ନାହିଁ। ଭୁବନେଶ୍ବର, କଟକ, ବାଲେଶ୍ବର, ଚାନ୍ଦବାଲି, ବାରିପଦା ଆଜି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯିବ ବୋଲି ଆକଳନ କରାଯାଇଛି।
ସ୍ଥିତି ସଙ୍ଗିନ ହେଉଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ଦୁଇ ଦିନ ଲାଗି ୬ଟି ଜିଲ୍ଲା ଲାଗି ହିଟ୍ୱେଭ୍ ଜାରି କରାଯାଇଛି। ବଲାଙ୍ଗୀର, ନୂଆପଡ଼ା, ଦେବଗଡ଼, ବୌଦ୍ଧ, ବରଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ଅସହ୍ୟ ତାତି ଅନୁଭୂତ ହେବ।
ଅନ୍ୟପକ୍ଷରେ ୨୫ ତାରିଖରେ ୨୪ଟି ଜିଲ୍ଲାର ୬୪ ବ୍ଲକରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ। ୨୪ ତାରିଖଠାରୁ ତାପମାତ୍ରା ବଢ଼ିବ ଓ ଧୀରେ ଧୀରେ ତାହା ଭୟଙ୍କର ରୂପ ନେବ। ୪୦ ଡିଗ୍ରି ଟପିବା ସହ ଦୁଇ ଦିନ ମଧ୍ୟରେ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଏହି ସମୟରେ ଉପକୂଳ ଓଡ଼ିଶାର ୩୪ଟି ବ୍ଲକରେ ସଙ୍ଗିନ ସ୍ଥିତି ଉପୁଜିବ। ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକେ ଏବର୍ଷ ପ୍ରଚଣ୍ଡ ତାତିର ସମ୍ମୁଖୀନ ହେବ।
ଅନ୍ୟପକ୍ଷରେ ଆଜି ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଟିଟିଲାଗଡ଼ ତାପମାତ୍ରା ୪୫ ଡିଗ୍ରି ରହିଥିଲା। ଝାରସୁଗୁଡ଼ା ତାପମାତ୍ରା ୪୩.୮ ଡିଗ୍ରି ରହିଥିବା ବେଳେ ବଲାଙ୍ଗୀରରେ ୪୩.୬, ସମ୍ବଲପୁରରେ ୪୩.୪, ସୋନପୁରରେ ୪୩.୨, ଭବାନୀପାଟଣାରେ ୪୩, ତାଳଚେରରେ ୪୨.୫, ହୀରାକୁଦରେ ୪୨.୪, ସୁନ୍ଦରଗଡ଼ ଓ ମାଲକାନଗିରିରେ ୪୨, ଅନୁଗୁଳରେ ୪୦.୭ ଡିଗ୍ରି ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଦାରିଙ୍ଗବାଡ଼ି ଓ କେନ୍ଦୁଝରର କେତେକ ସ୍ଥାନରେ ହାଲକା ବର୍ଷା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/heat-final.jpg)