ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରି ଥିବା ବେଳେ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ହେବ ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହୋଇଯାଇଛି। ୧୧ଟା ପରେ ଖରା ଟାଣ ହୋଇଯାଉଛି। ତେଣୁ ପିଲାଙ୍କ ସକାଳୁଆ ସ୍କୁଲ ଏପ୍ରିଲ ୨ ତାରିଖରୁ ଘୋଷଣା କରି ଦିଆଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ରୁ ଊର୍ଧ୍ବ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲା ମଧ୍ୟରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ ଓ କଳାହାଣ୍ଡି ରହିଛି।

ଏଥିସହିତ ଏସବୁ ଜିଲ୍ଲାରେ ଥିବା ନବଜାତ, ବୃଦ୍ଧ ଓ ଅସୁସ୍ଥ ଥିବା ବ୍ୟକ୍ତିଙ୍କ ପ୍ରତି ଏହି ଗ୍ରୀଷ୍ମ ପ୍ରବାହ ସମୟରେ ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ । ଆବଶ୍ୟକ ନଥିଲେ ଖରାକୁ ନବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଯାବତ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରି ଥିବା ବେଳେ ଫୁଲବାଣୀରେ ୧୯.୫ ଡିଗ୍ରି ସେଲସିୟସ ସର୍ବନିମ୍ନ ତାପମାତ୍ରା ରହିଛି।

ସେହିପରି ଏପ୍ରିଲ ୧ରୁ ୨ ତାରିଖ ମଧ୍ୟରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ ଓ କଳାହାଣ୍ଡି ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  ଏଥିସହିତ ଖରା ସମୟରେ ଉକ୍ତ ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏପ୍ରିଲ ୨ ତାରିଖ ପରେ କିଛି ଜିଲ୍ଲାରେ ବର୍ଷା ସହିତ କାଳବୈଶାଖୀ ସମ୍ଭାବନା ଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର