ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୧୩ଟି ଜିଲ୍ଲାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ: ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢ଼େଙ୍କାନାଳ, ନୟାଗଡ଼, ବଲାଙ୍ଗୀର, ସୋନପୁର, ଅନୁଗୁଳ ଓ ବୌଦ ପ୍ରଭୃତି ୧୩ଟି ଜିଲ୍ଲାରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଜି (ବୁଧବାର) ଅପରାହ୍ଣରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜରି ଏକ ବୁଲେଟିନ୍‌ରେ କୁହାଯାଇଛି।

ଏଥିସହ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜରି ଏହି ବୁଲେଟିନ୍‌ରେ କୁହାଯାଇଛି। ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ଭବନେଶ୍ୱର ଠାରେ ୪୨.୩ ଡିଗ୍ରି ସେଲସିୟସ୍‌ ରେକର୍ଡ କରା ଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ସେଲସିୟସ ସୁନ୍ଦରଗଡ଼ ଠାରେ ରେକର୍ଡ କରାଯାଇଛି।

ଏତଦ୍‌ବ୍ୟତୀତ ଆସନ୍ତା ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ବର୍ଷା କରାଇବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏହି ବୁଲେଟିନ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର