ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

କାଳବୈଶାଖୀ ଆଶଙ୍କା ଥିବା ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ବିଗତ ପ୍ରାୟ ୫ ଦିନ ଧରି ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେଉଛି ସମଗ୍ର ପଶ୍ଚିମ ଓଡ଼ିଶା। ତେବେ, ଆଗାମୀ ୫ ଦିନ ପାଇଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବା ସହ ତାତିରୁ ନିସ୍ତାର ନାହିଁ ବୋଲି ଆଜି ସତର୍କ କରାଇଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ବୁଧବାର ଅପରାହ୍ଣ ସୁଦ୍ଧା ରାଜ୍ୟର ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଓ ମାଲକାନଗିରି ପ୍ରମୁଖ ୧୦ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ ରାଜ୍ୟର ଏହି ୧୦ଟି ଜିଲ୍ଲା ପାଇଁ ଅରେଞ୍ଜ ବା କମଳା ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ପ୍ରବାହିତ ହେବାକୁ ଥିବା ଗ୍ରୀଷ୍ମ ପ୍ରବାହ କାଳରେ ଅଂଶୁଘାତର ଆଶଙ୍କା ରହିଥିବାରୁ ଏହି ୧୦ଟି ଜିଲ୍ଲାରେ ବୃଦ୍ଧ ଓ ଶିଶୁମାନଙ୍କୁ ସକାଳ ୮ଟା ପରଠାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଘରୁ ପଦାକୁ ନ ବାହାରିବା ପାଇଁ ଜାରି ସତର୍କ ସୂଚନାରେ ପରାମର୍ଶ ଦିଆଯାଇଛି। ଗତକାଲି, ଅର୍ଥାତ୍‌ ସୋମବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୫ ଡିଗ୍ରି ସେଲସିୟସ ରାଜ୍ୟର ତତଳାଗଡ଼ ରୂପେ ପରିଚିତ ଟିଟଲାଗଡ଼ ଠାରେ ରେକର୍ଡ କରାଯାଇଥିଲା। ଅନ୍ୟପକ୍ଷରେ ଆଜି ମଙ୍ଗଳବାର, ସକାଳ ୮ଟା୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୪.୫ ଡିଗ୍ରି ସେଲସିୟସ ଥିବା ରେକର୍ଡ କରାଯାଇଛି।

କାଳବୈଶାଖୀ ଆଶଙ୍କା ଥିବା ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

Met Weather

ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ କାଳବୈଶାଖୀ ଜନିତ ବର୍ଷା ପବନ ହେବାର ମଧ୍ୟ ସମ୍ଭାବନା ମଧ୍ୟ ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି। ସେଥିପାଇଁ କାଳବୈଶାଖୀ ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ଏହି ୬ଟି ଜିଲ୍ଲାକୁ ୟେଲୋ ବା ହଳଦିଆ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ସମ୍ବନ୍ଧିତ ଖବର