୧୮ ବର୍ଷର ରେକର୍ଡ ଭାଙ୍ଗିଲା : ଶ୍ରାବଣରେ ତାତିଲା ଧରା, ଲଗାତାର ୯ ଦିନ ଧରି ତାପମାତ୍ରା ୩୫ ଡିଗ୍ରି ଉପରେ

ଭୁବନେଶ୍ୱର : ଧାରା ଶ୍ରାବଣର ଧାରା ଏବେ ବଦଳିଯାଇଛି। ଏମିତି ଯେ ବର୍ଷା ବଦଳରେ ଖରା ଏବେ ଅତିଷ୍ଠ କରୁଛି। ଚାଷ କାର୍ଯ୍ୟ ପାଇଁ ଶ୍ରାବଣର ବର୍ଷା ଅତି ଜରୁରୀ ହୋଇଥିବା ବେଳେ ଚଳିତ ବର୍ଷର ନିଅଣ୍ଟିଆ ବର୍ଷା ଓ ଅସହ୍ୟ ତାତି ଚାଷୀଙ୍କ ନିଦ ହଜାଇ ଦେଲାଣି। ଜୁଲାଇରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରେ ରହିଆସୁଛି। ବେଳେବେଳେ ପାରଦ ୩୭ ଡିଗ୍ରି ବି ପାର୍‌ କରିଥିବା ନଜିର ରହିଛି। ଜୁଲାଇ ବା ଶ୍ରାବଣରେ ଏତେ ତାପମାତ୍ରା ପାଣିପାଗ ବିଶେଷଜ୍ଞମାନଙ୍କୁ ଚିନ୍ତିତ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଗତ ୧୦ ଦିନର ତାପମାତ୍ରା ବିବରଣୀକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି, ୨୫ ତାରିଖରୁ ରାଜ୍ୟ ତଥା ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରେ ରହିଛି। ସାଧାରଣତଃ ଜୁଲାଇରେ ସ୍ବାଭାବିକ ଭାବେ ତାପମାତ୍ରା ୩୧ରୁ ୩୨ ଡିଗ୍ରି ଭିତରେ ରହିଥାଏ। ‌ହେଲେ ଲଗାତାର ୯ ଦିନ ଧରି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରେ ରହିବା ଘଟଣା ଦୀର୍ଘ ୧୮ ବର୍ଷ ପରେ ରାଜ୍ୟରେ ଘଟିଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

ପାଣିପାଗ ବିଭାଗର ପୂର୍ବତନ ଆଞ୍ଚଳିକ ନିର୍ଦେଶକ ଡ. ଶରତ ସାହୁ କହିଛନ୍ତି, ସାଧାରଣତଃ ବର୍ଷା ଋତୁରେ ମୌସୁମୀ ଟ୍ରଫ୍‌ ହିମାଳୟ ପାଦଦେଶକୁ ଚାଲିଯାଏ। ସେହି ସମୟରେ ରାଜ୍ୟରେ ଖରା ହୁଏ। ତାପମାତ୍ରା ବଢ଼ିଯାଏ। ଏହି ବର୍ଦ୍ଧିତ ତାପମାତ୍ରା ହିଁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି କରି ଲଘୁଚାପ ସୃଷ୍ଟି କରିବାରେ ସାହାଯ୍ୟ କରେ। ଲଘୁଚାପ ଫଳରେ ମୌସୁମୀ ଟ୍ରଫ୍‌ ପୁଣି ଦକ୍ଷିଣମୁହାଁ ହୁଏ ଏବଂ ରାଜ୍ୟରେ ପୁଣି ମୌସୁମୀ ସକ୍ରିୟ ହୋଇ ବର୍ଷା ହୁଏ। ଏହା ପାଣିପାଗର ଏକ ସାଧାରଣ ପ୍ରକ୍ରିୟା। କିନ୍ତୁ ଚଳିତ ବର୍ଷ ଲଘୁଚାପ ସୃଷ୍ଟିରେ ଯଥେଷ୍ଟ ସମୟ ଲାଗିଯିବା ସହ ମୌସୁମୀ ଟ୍ରଫ୍‌ ହିମାଳୟ ପାଦଦେଶରୁ ଫେରିବାରେ ବିଳମ୍ବ ହେଲା। ଏଣୁ ଦୀର୍ଘ ସମୟ ଧରି ରାଜ୍ୟର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଲା। ସାଧାରଣ ଭାବେ ଜୁଲାଇ ମାସରେ ଲଗାତାର ଭାବେ ଏତେ ଲମ୍ବା ସମୟ ଧରି ତାପମାତ୍ରା ୩୫ ଡିଗ୍ରି ଉପରେ ରହିବା ଗତ ୧୮ ବର୍ଷ ପରେ ପ୍ରଥମ। ଶେଷ ଥର ୨୦୦୨ ମସିହାର ଜୁଲାଇରେ ତାପମାତ୍ରା ଏହି ଭଳି ଲଗାତାର ୩୫ ଡିଗ୍ରି ଉପରେ ରହିଥିଲା ଏବଂ ସେହିବର୍ଷ ରାଜ୍ୟରେ ମରୁଡ଼ି ସମସ୍ୟା ସୃଷ୍ଟି ହୋଇଥିଲା ବୋଲି ଶ୍ରୀ ସାହୁ କହିଛନ୍ତି।

ତଥ୍ୟ ଅନୁସାରେ, ୧୯୯୮ ମସିହାରେ ମଧ୍ୟ ଜୁଲାଇରେ ଲଗାତାର ତାପମାତ୍ରା ୩୫ ଡିଗ୍ରି ଉପ‌ରେ ଥିଲା। କିନ୍ତୁ ଏହା ଥିଲା ୫ ଦିନ ପାଇଁ। ସେହି ବର୍ଷ ଜୁଲାଇ ୨୨ରୁ ଜୁଲାଇ ୨୭ ତାରିଖ ଯାଏ ତାପମାତ୍ରା ୩୫ ଡିଗ୍ରି ଉପରେ ଥିଲା। ଜୁଲାଇ ୨୮ରୁ ପାରଦ ଖସି ୩୧ ଡିଗ୍ରିକୁ ଚାଲିଆସିଥିଲା। ଏହାପରେ ୨୦୦୨ରେ ଏହି ପରିସ୍ଥିତି ଦେଖାଦେଇଥିଲା। ସେହିବର୍ଷ ଜୁଲାଇ ୯ ତାରିଖରେ ୩୭.୨ ଡିଗ୍ରି, ୧୦ ଜୁଲାଇରେ ୩୬.୮, ୧୩ ଜୁଲାଇରେ ୩୬.୭ ଡିଗ୍ରି, ୧୪ ଜୁଲାଇରେ ୩୭.୯, ୧୫ ଜୁଲାଇରେ ୩୪.୭ ଓ ୧୬ ଜୁଲାଇରେ ୩୫.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ପୁଣି ସେହିବର୍ଷ ୨୪ ତାରିଖରୁ ପାରଦ ବଢ଼ି ୩୭ ଡିଗ୍ରି ଉପରକୁ ଚାଲିଯାଇଥିଲା। ଫଳରେ ରାଜ୍ୟରେ ମରୁଡ଼ି ସମସ୍ୟା ଉତ୍କଟ ହୋଇଥିଲା।

ଚଳିତ ବର୍ଷ ଜୁଲାଇ ୨୦ ତାରିଖକୁ ଛାଡ଼ି ୧୭ରୁ ୨୧ ତାରିଖ ଯାଏ ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ୪ ଦିନର ବିରାମ ପରେ ପୁଣି ୨୫ ତାରିଖରୁ ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରି ପାର କରିଥିଲା। ଏପରିକି ୨୭ ଓ ୩୧ ଜୁଲାଇରେ ରାଜଧାନୀ ତାପମାତ୍ରା ୩୭ ଡିଗ୍ରି ଉପରେ ରହିଥିଲା। ଫଳରେ ଚଳିତ ବର୍ଷ ସେହି ୧୮ ବର୍ଷ ତଳର ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହେଉଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଜୁଲାଇରେ ସ୍ବାଭାବିକ ଭାବେ ଭୁବନେଶ୍ବର ତାପମାତ୍ରା ୩୧ରୁ ୩୨ ଡିଗ୍ରି ଭିତରେ ରହେ। ଏଥିସହ ଏହି ସମୟରେ ତାପମାତ୍ରା ୩୫ ଡିଗ୍ରି ପାର୍‌ କରିବା କିଛି ଅସ୍ବାଭାବିକ ନୁହେଁ। କିନ୍ତୁ ଲଗାତାର ଭାବେ ତାପମାତ୍ରା ଜୁଲାଇରେ ୩୫ ଡିଗ୍ରି ଉପରେ ରହିବା ଚିନ୍ତାଜନକ ଓ ଚାଷ କାର୍ଯ୍ୟ ପାଇଁ ହାନିକାରକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର