୨୬ ବେଳକୁ ଉପକୂଳ ତାତିବ, ତାପମାତ୍ରା ୪୦ ଡିଗ୍ରି ଟପିବା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ତଥା ଖରାଟିଆ ରହିବ। ତା’ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଅଭ୍ୟନ୍ତରୀଣ ଓଡ଼ିଶାରେ ଗରମ କମିବ ନାହିଁ। ବରଂ ୨୬ ତାରିଖ ଭିତରେ ଆଉ କିଛି ସ୍ଥାନରେ ସର୍ବାଧିକ ତାପାମାତ୍ରା ୪୦ ଡିଗ୍ରି ଟପିପାରେ। ୨୯ ତାରିଖ ବେଳକୁ ରାଜ୍ୟର ଅନେକ ସ୍ଥାନରେ ୪୨ ଡିଗ୍ରି ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ୨୭ରୁ ୩୧ ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିବ। ୨୬ ଓ ୨୭ ତାରିଖରେ ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଟପିବାର ସମ୍ଭାବନା ରହିଛି। ପଶ୍ଚିମା ଗରମ ପବନ ସଙ୍କୁଚିତ ହେତୁ ଚାନ୍ଦବାଲିରେ ତାପମାତ୍ରା ୪୧ ଡିଗ୍ରି ଛୁଇଁପାରେ। ତେବେ ପବନର ବେଗ ପରିବର୍ତନ ହେତୁ ୨୮ରୁ ସର୍ବାଧିକ ତାପମାତ୍ରା ଉପକୂଳରେ କମିବ ଏବଂ ୩୧ ତାରିଖ ସୁଦ୍ଧା କ୍ରମଶଃ କମିବ। ମାର୍ଚ୍ଚ ୩୧ ଓ ଏପ୍ରିଲ ପହିଲାରେ ଉପକୂଳ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ଯୋଗୁଁ ତାପମାତ୍ରା କମିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେଭଳି କୌଣସି ପରିବର୍ତନ ହେବନାହିଁ। କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ଅନ୍ୟଥା ପାଗ ମୁଖ୍ୟତଃ ଶୁଖିଲା ରହିବ। ବୁଧବାର ଦିନ ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୭ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଝାରସୁଗୁଡ଼ାରେ ୪୦.୨, ଟିଟିଲାଗଡ଼ ଓ ବୌଦ୍ଧରେ ୪୦, ସମ୍ବଲପୁରରେ ୩୯.୫, ଅନୁଗୁଳରେ ୩୯.୧, ତାଳଚେର ଓ ସୁନ୍ଦରଗଡ଼ରେ ୩୯ ଡିଗ୍ରି ଲେଖାଏଁ ରହିଥିଲା।

ସମ୍ବନ୍ଧିତ ଖବର