ସପ୍ତାହେ ସିଝିବ ସାରା ଓଡ଼ିଶା : ୪୦ ଡିଗ୍ରି ଟପିଲା ୧୧ ସହ, ୨୩ ପରେ ସ୍ଥିତିରେ ପରିବର୍ତନ

ବିଳମ୍ବ ହେବ ମୌସୁମୀ: ପଶୁପାଳକ

ଭୁବ‌ନେଶ୍ବର : ବ‌ାତ୍ୟା ‘ଫନି’ ପରେ ମାଡ଼ି ଆସୁଛି ପ୍ରଚଣ୍ଡ ତାତି। ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଅସମ୍ଭାଳ ସ୍ଥିତି ଉପୁଜିବ। ୧୮ ତାରିଖ ବେଳକୁ ସ୍ଥିତି ସାଂଘାତିକ ହେବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରିରେ ପହଞ୍ଚିବ। ଟିଟିଲାଗଡ଼ ଓ ତାଳଚେର ସହରର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିବ। ଉପକୂଳ‌ରେ ବି ଅନୁରୂପ ତାତି ଅନୁଭୂତ ହେବ। ଭୁବନେଶ୍ବର, କଟକ ସମେତ ଆଉ କିଛି ସହରରେ ତାପମାତ୍ରା ୪୨ ଡିଗ୍ରି ଉପରକୁ ଚାଲିଯିବ।

ଏଭଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସ୍ଥିତିକୁ ନଜରରେ ରଖି ହିଟ୍‌ୱେଭ୍‌ ଜାରି କରାଯାଇଛି। ସପ୍ତାହକ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବାକୁ ଥିବାରୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ବୟସ୍କ ଓ ଶିଶୁମାନେ ସଚେତନ ହେବା ସହ ପ୍ରଚୁର ପାଣି ପିଇବା ଲାଗି ପରାମର୍ଶ ଦିଆଯାଇଛି। ୨୩ ତାରିଖ ଯାଏ ପ୍ରଚଣ୍ଡ ତାତି ଲାଗିରହିବ। ଏହି ସମୟ ମଧ୍ୟରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷାର ବି ଆଶଙ୍କା ରହିଛି।

ଅନ୍ୟପକ୍ଷରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସବୁଠି ତାପମାତ୍ରା ୪୦ ଡିଗ୍ରି ଉପରେ। ଟିଟିଲଗଡ଼ ତାପମାତ୍ରା ଆଜି ୪୩.୫ ଡିଗ୍ରି ରହିଥିବା ବେଳେ ବଲାଙ୍ଗୀରରେ ୪୩.୧, ସୋନପୁର ୪୩ ଡିଗ୍ରି ରହିଥିଲା। ମୋଟ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ତେବେ ଗତକାଲି ଅପେକ୍ଷା ଆଜି ଭୁବନେଶ୍ବର ଓ କଟକ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ହ୍ୟୁମିଡିଟି କମ୍‌ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି ୧୭ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗରମ ଜାରି ରହିବ। ୧୮ ତାରିଖରେ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ୧୮ ତାରିଖରେ ଭୁବନେଶ୍ବର ତାପମାତ୍ରା ୪୨ ଡିଗ୍ରି ରହିବ। ୧୯ ତାରିଖରେ ସାମାନ୍ୟ ହ୍ରାସ ପାଇ ୪୦ ଡିଗ୍ରି ଉପରେ ରହିବ। ୨୦ ତାରିଖରୁ ତାପମାତ୍ରା କମିବ। ୨୩ରୁ ପୁଣିଥରେ ତାପମାତ୍ରା ବୃଦ୍ଧି ପାଇବ। କଟକଠାରୁ ଦକ୍ଷିଣରେ ଥିବା ଅଞ୍ଚଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ବିସ୍ତୃତ ଅଞ୍ଚଳରେ ପାଗ ଶୁଖିଲା ରହିବ। ୧୭ ତାରିଖଠାରୁ ପଶ୍ଚିମ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା କ୍ରମଶଃ ବଢ଼ିବ। ୨୨ ତାରିଖ ସୁଦ୍ଧା କେତେକ ସ୍ଥାନରେ ତାପମାତ୍ରା ୪୬ ଡିଗ୍ରିରୁ ଅଧିକ ହେବାର ଆଶଙ୍କା ରହିଛି। ଯାହାକି ପରବର୍ତୀ ତିନି ଦିନ ପର୍ଯ୍ୟନ୍ତ ଚାଲୁରହିବ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ନେଇ ପ୍ରଫେସର ପଶୁପାଳକଙ୍କ ଆକଳନ ହେଉଛି ଯେ ଚଳିତବର୍ଷ ମୌସୁମୀ ଆସିବା ବିଳମ୍ବ ହେବ। ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଆଣ୍ଡାମାନରେ ବିଶେଷ ବର୍ଷା ନାହିଁ। ଯଦିଓ ପ୍ରତିଦିନ ସ୍ବଳ୍ପ ବର୍ଷା ହେବ, ତେବେ ସମୁଦ‌ାୟ ବର୍ଷା ୮୦ରୁ ୯୦ ମିମି ରହିବ। ସାଧାରଣତଃ ମେ’ ୨୦ରେ ଆଣ୍ଡାମାନରେ ମୌସୁମୀ ବର୍ଷା ହୋଇଥାଏ। ଏହାପରେ ଭାରି ବର୍ଷା ହୁଏ। ଚଳିତବର୍ଷ ସ୍ବାଭାବିକ ଦିନରେ ମୌସୁମୀ ପହଞ୍ଚିବା ସମ୍ଭାବନା ନାହିଁ। ସେହିପରି କେରଳରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଶେଷ ବର୍ଷା ନାହିଁ। କୋଚିରେ ୨୧ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ମେ’ ୨୨ ପରେ ବର୍ଷା ଆରମ୍ଭ ହୋଇ ୩୧ ଯାଏ ସ୍ବଳ୍ପ ରହିବ। ସ୍ବାଭାବିକ ଭାବେ ଜୁନ୍‌ ୧ରେ ମୌସୁମୀ କେରଳକୁ ସ୍ପର୍ଶ କରିଥାଏ। ତେବେ ଏଥରକ ସପ୍ତାହେ ବିଳମ୍ବ ହେବ।

ମେ’ ୨୫ ବେଳକୁ ଦକ୍ଷିଣ ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ସିଷ୍ଟମ ସୃଷ୍ଟି ହୋଇପାରେ। ଏହାଦ୍ବାରା ଉତ୍ତର ବଙ୍ଗୋପସାଗର ସମେତ ଉପକୂଳ ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ, ଉତ୍ତର ପୂର୍ବ ଭାରତ, ମିଆଁମାର ଓ ଥାଇଲାଣ୍ଡରେ ଭାରି ବର୍ଷାର ସମ୍ଭାବନା ରହିଛି। ଯଦିଓ ଏହା ମୌସୁମୀ ବର୍ଷା ନୁହେଁ, କିନ୍ତୁ ଚାଷବାସ ପାଇଁ ଓଡ଼ିଶାର ଚାଷୀଙ୍କୁ ସହାୟକ ହେବ। ସାଧାରଣତଃ ମୌସୁମୀ କେରଳ ସ୍ପର୍ଶ କରିବା ପରେ ଓଡ଼ିଶାରେ ମୌସୁମୀ ବର୍ଷା ଆସିବାକୁ ପ୍ରାୟତଃ ୧୦ ଦିନ ଲାଗିଥାଏ। ଜୁନ୍‌ ୧୦ ତାରିଖ ଓଡ଼ିଶା ପାଇଁ ସ୍ବାଭାବିକ ସମୟ। ଯେହେତୁ କେରଳରେ ପହଞ୍ଚିବାକୁ ସପ୍ତାହେ ବିଳମ୍ବ ହେବ। ‌ତେଣୁ ଚଳିତବର୍ଷ ଓଡ଼ିଶାରେ ବି ସପ୍ତାହେ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର