ତାତି କମୁନି : ରାତିରେ ବି ଦିନ ତାତି, ୧୨ ସହରରେ ୪୦ଂ ଉପରେ, ଆଜି ବି ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ଯଦିଓ ରାଜ୍ୟରେ ସେହିଭଳି ତାତି ବଢ଼ିନି। କିନ୍ତୁ ପାରଦ ୪୦ଡିଗ୍ରି ତଳକୁ ଖସିନି। ୧୨ ସହରରେ ପାରଦ ୪୦ଡିଗ୍ରି ଉପରେ ରେକର୍ଡ ହୋଇଛି। ରବିବାର ବି ଏହିଭଳି ଖରା ଅନୁଭୂତ ହେବ। ଆସନ୍ତାକାଲି ଗ୍ରୀଷ୍ମପ୍ରବାହ ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ସାରା ରାଜ୍ୟରେ ଏବେ ସର୍ବନିମ୍ନ ତାପମାତ୍ରା ହଠାତ୍ ବଢ଼ିଯାଇଛି। ରାତିରେ ବି ଲୋକ ଦିନଭଳି ତାତି ଅନୁଭୂତ କରୁଛନ୍ତି। ରାତିରେ ସୂର୍ଯ୍ୟଙ୍କ କିରଣ ପଡ଼ୁନଥିଲେ ବି ଦିନବେଳା ହେଉଥିବା ପ୍ରଚଣ୍ଡ ଖରା ଭୂପୃଷ୍ଠରୁ ବିକରଣ ହୋଇପାରୁନଥିବାରୁ ଏବେ ସବୁଆଡ଼େ ତତଲା ହାୱା ବାହାରୁଛି। ରାତିରେ ପାରଦ ଏବେ ପୂର୍ବଅପେକ୍ଷା ଅଧିକ ରହୁଛି। ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ୩୮.୪ଡିଗ୍ରି ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ୩୫.୭ଡିଗ୍ରି ରହିଛି। ଯାହା ଏକ ରେକର୍ଡ କୁହାଯାଉଛି। ରାତିର ତାପମାତ୍ରା ହଠାତ୍ ବଢ଼ି ଯାଇଥିବାରୁ ଲୋକ ଗରମରେ ତ୍ରାହି ତ୍ରାହି ଡାକିଲେଣି। କେବଳ ବାଲେଶ୍ବର ନୁହେଁ ଉତ୍ତର ଓଡ଼ିଶାରେ ଏହିଭଳି ରାତିର ତାପମାତ୍ରା ଅଧିକ ରହୁଛି। ଚାନ୍ଦବାଲିରେ ୨୯ ଏବଂ ବାରିପଦାରେ ୨୭.୩ଡିଗ୍ରି ରହିଛି।

ଅପରପକ୍ଷେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇନଥିବା ଭୁବନେଶ୍ବରରେ ରାତିର ତାପମାତ୍ରା ୨୮ଡିଗ୍ରି ରହିଛି। ଯାହା ଲୋକଙ୍କ ଯାତନାକୁ ଅଧିକ ବଢ଼ାଇ ଦେଇଛି। ଏହାବାଦ୍ ପାରାଦୀପରେ ୨୮.୭, ସମ୍ବଲପୁରରେ ୨୭, ଟିଟିଲାଗଡ଼ରେ ୨୬.୫, ବଲାଙ୍ଗୀରରେ ୨୭ଡିଗ୍ରି ରେକର୍ଡ ହୋଇଛି। କୋରାପୁଟରେ ସବୁଠୁ କମ୍‌ ୨୧.୬ଡିଗ୍ରି ରେକର୍ଡ ହୋଇଛି।

ଏପଟେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ୧୧ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଜୋର୍‌ ହେବ। ତେଣୁ ‌ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଲୋକ ଘରୁ ନବାହାରିଲେ ଭଲ। ଦିନର ତାତି ଏବଂ ରାତିରେ ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କ ଜୀବନ ପୂରା ଦୁର୍ବିସହ କରିଦେଲାଣି।

ଆଜି ଟିଟିଲାଗଡ଼ରେ ଗତ କିଛିଦିନ ଭଳି ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ପାରଦ ଶନିବାର ତୁଳନାରେ ଖସିଥିଲେ ହେଁ ୪୪.୬ଡିଗ୍ରିରେ ଅଟକିଛି। ସେହିପରି ଝାରସୁଗୁଡ଼ାରେ ୪୪.୪, ଅନୁଗୁଳରେ ୪୧.୧, କେନ୍ଦୁଝରରେ ୪୧.୮, ସମ୍ବଲପୁରରେ ୪୩.୫, ସୁନ୍ଦରଗଡ଼ରେ ୪୨, ହୀରାକୁଦରେ ୪୩.୨, ତାଳଚେରରେ ୪୨.୧, ଭବାନିପାଟଣାରେ ୪୩.୫, ବଲାଙ୍ଗୀରରେ ୪୪.୫, ମାଲକାନଗିରିରେ ୪୧.୨ ଏବଂ ସୋନପୁରରେ ୪୩.୪ଡିଗ୍ରି ରେକର୍ଡ ହୋଇଛି।

ସୋମବାରଠାରୁ କାଳବୈଶାଖୀ ଜନିତ ବର୍ଷା ପବନ ହେବାକୁ ଥିବାରୁ ଲୋକଙ୍କୁ ଗରମରୁ ଟିକେ ଆଶ୍ବସ୍ତି ମିଳିପାରେ ବୋଲି କୁହାଯାଉଛି। ହେଲେ ୧୬ତାରିଖ ପର୍ଯ୍ୟନ୍ତ ପ୍ରବଳ ଖରା ହେବ। ୧୭ତାରିଖ ବେଳକୁ ଖରା ଟିକେ କମିବ ବୋଲି ପାଣିପାଗ ବିଭାଗ କହିଛି।

ସମ୍ବନ୍ଧିତ ଖବର