ତାତିରୁ ତ୍ରାହି ନାହିଁ :୧୮ରୁ ବଢ଼ିବ, ୨୫ରେ ରେକର୍ଡ ଭାଙ୍ଗିବ

ଉତ୍ତପ୍ତ ରାଜ୍ୟ ହେବ ଓଡ଼ିଶା, ୨୦ ଯାଏ କାଳବୈଶାଖୀ

ଭୁବନେଶ୍ବର : ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ଅଧିକ ରହିବା ସହ ଝାଞ୍ଜି ପବନ ମାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶୁକ୍ରବାରଠାରୁ ସ୍ଥିତି ଆହୁରି ଜଟିଳ ହେବ। ତାତି ବଢ଼ିବ। ପଶ୍ଚିମ ଓଡ଼ିଶା‌ର ଜିଲ୍ଲାଗୁଡ଼ିକରେ ତାପମାତ୍ରା ‌୦.୫ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ୧୮ ତାରିଖ ‌ବେଳକୁ ରାଜ୍ୟ‌ରେ ସ୍ଥିତି ସାଂଘାତିକ ହୋଇପାରେ। ପ୍ରଚଣ୍ଡ ତାତି ହେବ। ତେବେ ୨୦ ତାରିଖ ଯାଏ ତାତି ବଢ଼ିବ ଓ କମିବ।

ଏହି ସମୟ ମଧ୍ୟରେ କାଳବୈଶାଖୀ ପ୍ରଭାବ ଲାଗିରହିବ। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦକ୍ଷିଣ ଓ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକ ଲାଗି ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ, ବାଲେଶ୍ବର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଧିକ। ଏହାବ୍ୟତୀତ ୨୧ ତାରିଖ ପର୍ଯ୍ୟନ୍ତ ଅନ୍ୟ ଜିଲ୍ଲାଗୁଡ଼ିକରେ ବି କାଳବୈଶାଖୀ ‌ହେବ ବୋଲି ଅନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି ଯେ ମେ’ ୧୭ରୁ ୧୯ ମଧ୍ୟରେ ତାପମାତ୍ରା କମିବ ଓ ବଢ଼ିବ। ତେବେ ୨୦ରୁ ଲଗାତାର ଭାବେ ବଢ଼ିଚାଲିବ। ୨୪ ଓ ୨୫‌ ତାରିଖରେ କେନ୍ଦ୍ରୀୟ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରିରୁ ଅଧିକ ରହିବ। ୨୦, ୨୪ ଓ ୨୫ରେ ଓଡ଼ିଶା ଓ ଛତିଶଗଡ଼ରେ ଦେଶର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ‌ହେବାର ସମ୍ଭାବନା ରହିଛି। ଏହି ଦୁଇ ରାଜ୍ୟ ଦେଶର ସବୁଠାରୁ ଗରମ ସ୍ଥାନ ଭାବେ ପରିଚିତ ହେବ। ୨୩ରୁ ୨୫ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ଦକ୍ଷିଣ ଆଡ଼ୁ ସାମୁଦ୍ରିକ ପବନ ବହିବାର ସମ୍ଭାବନା ରହିଛି। ଏଥିସହ କାଳବୈଶାଖୀ ବର୍ଷା ହୋଇପାରେ।

ଅନ୍ୟପକ୍ଷରେ ଆଜି ବି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ ହୋଇଛି। ବଲାଙ୍ଗୀରରେ ୪୩.୧ ରହିଥିବା ବେଳେ ଟିଟିଲାଗଡ଼ରେ ୪୩, ଝାରସୁଗୁଡ଼ାରେ ୪୨.୬, ସମ୍ବଲପୁରରେ ୪୨.୩ ଡିଗ୍ରି ରହିଥିଲା। ମୋଟ ୯ଟି ସହରର ତା‌ପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧିତ ଖବର