୪୮ଂ ଛୁଇଁବ ପଶ୍ଚିମ ଓଡ଼ିଶା : ପୁଣି ୪୫ଂ ଡେଇଁଲା ଟିଟିଲାଗଡ଼, ୨୧ ପରେ ଉପକୂଳରେ ଝାଞ୍ଜି ମାଡ଼, ୨୮ ଯାଏ ନିସ୍ତାର ନାହିଁ

ଭୁବନେଶ୍ବର : ତାତିରେ ଆଉଟୁପାଉଟୁ ହେଉଛି ସାରା ରାଜ୍ୟ। ତେବେ ପଶ୍ଚିମ ଓଡ଼ିଶା ଏବେ ତତଲା ତାୱା‌‌ରେ ସିଝୁଛି। ପ୍ରଚଣ୍ଡ ଖରା ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ନାକେଦମ୍‌ କରିଦେଲାଣି। ଟିଟିଲାଗଡ଼ ଅବସ୍ଥା ନ କହିବା ଭଲ। ୭ ଦିନ ହେଲା ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିବାର ନାଁ ଧରୁନି। ଗତକାଲି ୪୩ ଡିଗ୍ରି ଥିବା ଟିଟିଲାଗଡ଼ ତାପମାତ୍ରା ଆଜି ଅଢ଼େଇ ଡିଗ୍ରି ବଢ଼ିଛି। ପୁଣିଥରେ ୪୫ ଡିଗ୍ରି ପାର୍‌ ହୋଇଛି। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୫ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ରାଜ୍ୟର ମୋଟ ୧୦ଟି ସହରର ପାରଦ ଆଜି ୪୦ ଡିଗ୍ରି ଉପରେ ରହିଥିଲା।

ମେ’ ଶେଷ ଯାଏ ଏଭଳି ସ୍ଥିତି ଲାଗି ରହିବ। ପଶ୍ଚିମ ଓଡ଼ିଶାରେ ଆହୁରି ୨ରୁ ୩ଡିଗ୍ରି ବଢ଼ିବ। ୨୪ ଓ ୨୫ ବେଳକୁ ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରିରେ ପହଞ୍ଚିପାରେ। ଗୋଟିଏ ଦୁଇଟି ସ୍ଥାନରେ ୪୮ ଡିଗ୍ରି ଟପିବା ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନପାରେ। ଉପକୂଳ ଓଡ଼ିଶାରେ ତାପମାତ୍ରା ଲଗାତାର ଭାବେ ବୃଦ୍ଧି ପାଇ ୨୫ ତାରିଖ ବେଳକୁ ୪୨ରୁ ୪୪ ଡିଗ୍ରି ହେବ। ଭୁବନେଶ୍ବର, ପୁରୀ, କଟକ ଭଳି କିଛି ସହରରେ ଝାଞ୍ଜି ପବନ ମାଡ଼ ହେବାର ବି ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌. ଆର୍‌ ବିଶ୍ବାସଙ୍କ କହିବାନୁଯାୟୀ, ଏଣିକି ତାପମାତ୍ରା ବଢ଼ିବ। ଦୁଇ ସପ୍ତାହ ପ୍ରଚଣ୍ଡ ତାତି ଅନୁଭୂତ ହେବ। ସ୍ବାଭାବିକ ତାପମାତ୍ରା ୩ ଡିଗ୍ରି ଅଧିକ ରହିବ। ଲୋକେ ତାତିରୁ ଦୂରେଇ ରୁହନ୍ତୁ। ସତର୍କତା ଅବଲମ୍ବନ କରନ୍ତୁ।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଶନିବାର ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ତେବେ ୨୧ରୁ କ୍ରମାଗତ ଭାବେ ହ୍ରାସ ପାଇ ୩୫ରୁ ୩୬ଡିଗ୍ରି ରହିବ। ସାମୁଦ୍ରିକ ବଙ୍ଗୋପସାଗରୀୟ ପବନ ଦକ୍ଷିଣ ଆନ୍ଧ୍ରରୁ ଉପକୂଳ ଅଞ୍ଚଳରେ ପ୍ରବାହିତ ହେବାକୁ ଥିବାରୁ ତାପମାତ୍ରା କମ୍‌ ରହିବ। ତେବେ ୨୫ ତାରିଖରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ପୁଣି ବଢ଼ିବାର ସମ୍ଭାବନା ରହିଛି। ୨୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ୨୧ରୁ କ୍ରମଶଃ ବଢ଼ିବ। ୨୩ ତାରିଖରେ ‌କେତେକ ସ୍ଥାନରେ ତାପମାତ୍ରା ୪୬ରୁ ୪୭ ଡିଗ୍ରି ରହିବ। ଏହି ସମୟରେ ପାଗ ମୁଖ୍ୟତଃ ଶୁଖିଲ‌ା ରହିବ। ଉପକୂଳ ଅଞ୍ଚଳରେ ୨୨ ଓ ୨୩ରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ୨୭ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର(ଆଣ୍ଡାମାନ ସମୁଦ୍ର)ରେ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହେବ। ଏହାଦ୍ବାରା ଓଡ଼ିଶାରେ ପାଗ ମେଘୁଆ ରହିବ। ହେଲେ ଓଡ଼ିଶାରେ ବର୍ଷାର ସମ୍ଭାବନା ନାହିଁ।

ସେ ଆହୁରି ପୂର୍ବାନୁମାନ କରିଛନ୍ତ ଯେ ଏକାଧିକ ମଡେଲ୍‌ ବିଶ୍ଲେଷଣରୁ ଜଣାପଡ଼ୁଛି ଯେ ଜୁନ୍‌ଠାରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ହୋଇପାରେ। ଜୁନ୍‌ ଓ ଜୁଲାଇ ମାସରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶା ବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳରେ ସ୍ବାଭାବିକ୍‌ଠାରୁ ଅଧିକ ବର୍ଷା ହେବାର ୪୦ ପ୍ରତିଶତ ସମ୍ଭାବନା ରହିଛି। ସ୍ବାଭାବିକ୍‌ଠାରୁ କମ୍‌ ବର୍ଷାର ସମ୍ଭାବନା ନାହିଁ। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବି ସାରା ରାଜ୍ୟରେ ମୌସୁମୀ ପ୍ରବାହ ଜନିତ ସ୍ବାଭାବିକ ବର୍ଷା ହେବ। ତେବେ ଅଗଷ୍ଟ ମାସରେ ମୌସୁମୀ କିଛି ସମୟ ଦୁର୍ବଳ ରହିବ। ତେଣୁ ତାପମାତ୍ରା ବଢ଼ିବ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି, ମେ’ ୨୮ ପର୍ଯ୍ୟନ୍ତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୩ରୁ ୪୭ ଡିଗ୍ରି ମଧ୍ୟରେ ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୧୮ ତାରିଖଠାରୁ ତାପମାତ୍ରା ବଢ଼ି ଚାଲିବ। ତେବେ ଉପକୂଳ ଓଡ଼ିଶାରେ ପ୍ରତିଦିନ ତାପମାତ୍ରା ବଦଳିବ। ମେ’ ୧୮ରୁ ୨୨ ମଧ୍ୟରେ ତାପମାତ୍ରା ୩୮ରୁ ୪୦ ଡିଗ୍ରି ମଧ୍ୟରେ ରହିବ। ‌ମେ’ ୨୯ ଯାଏ ଅଧିକାଂଶ ସ୍ଥାନରେ ୪୦ରୁ ୪୪ ଡିଗ୍ରି ଛୁଇଁବାର ଆଶଙ୍କା ରହିଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ହୋଇପାରେ।

ସମ୍ବନ୍ଧିତ ଖବର