ଭୁବନେଶ୍ବର : ଜାରି ରହିଛି ତାତି। ଗତକାଲି ଅପେକ୍ଷା ଆଜି କେତେକ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ ଜନଜୀବନ ପୂର୍ବଭଳି ଅସ୍ତବ୍ୟସ୍ତ ହୋଇପଡ଼ିଛି। ଟିଟିଲାଗଡ଼ରୁ ଭୁବନେଶ୍ବର ହେଉ ଅଥବା ସମ୍ବଲପୁରରୁ ଚାନ୍ଦିପୁର। ସବୁଠି ଅସହ୍ୟ ତାତି।
ସ୍ଥିତି ଏମିତି ହେଉଛି ଯେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାସ୍ତାରେ ଯେପରି କର୍ଫ୍ୟୁ ପରିସ୍ଥିତି ସୃଷ୍ଟି ହେଉଛି। ଲୋକେ ନାକେଦମ ହୋଇପଡ଼ୁଛନ୍ତି। ଘରୁ ବାହାରକୁ ଆସୁନାହାନ୍ତି। ମେ’ ୨୮ ଯାଏ ଏଭଳି ସ୍ଥିତି ଲାଗିରହିବ। ଗୋଟିଏ ଦୁଇଟି ସ୍ଥାନରେ ପାରଦ ୪୭ ଡିଗ୍ରି ବି ଟପିଯିବାର ଆଶଙ୍କା ରହିଛି। ତେବେ ଗତକାଲି ଅପେକ୍ଷା ଆଜି ଟିଟିଲାଗଡ଼ ତାପମାତ୍ରା ହ୍ରାସ ପାଇ ୪୪.୫ ଡିଗ୍ରିରେ ପହଞ୍ଚିଛି। ସମ୍ବଲପୁରରେ ୪୪.୪, ବଲାଙ୍ଗୀର ଓ ସୋନପୁରରେ ୪୪ ଡିଗ୍ରି ରହିଥିଲା। ମୋଟ ୧୧ଟି ସହରର ତାପମାତ୍ରା ୪୧ ଡିଗ୍ରି ଉପରେ ଥିଲା।
ବର୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୨ ତାରିଖ ଯାଏ ହିଟ୍ୱେଭ୍ ସତର୍କତା ଜାରି କରାଯାଇଛି। ୨୦ରୁ ୨୨ ତାରିଖ ଲାଗି ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ପାଇଁ ସତର୍କ ସୂଚନା ଜାରି ହୋଇଛି। ବୟସ୍କ ଓ ଶିଶୁମାନେ ତାତିରୁ ଦୂରେଇ ରହିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ତେବେ ୨୪ ତାରିଖ ଯାଏ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି ଯେ ଆସନ୍ତାକାଲି ଉପକୂଳ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ। ଉପକୂଳରେ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନ ପ୍ରବାହରେ ବିଳମ୍ବ ହେବାରୁ ଆସନ୍ତାକାଲି ବି ତାତି ଲାଗି ରହିବ। ୨୧ ତାରିଖରେ ସାମୁଦ୍ରିକ ପବନ ବହିବା ସହ ତାପମାତ୍ରା ହ୍ରାସ ପାଇବ। ତେବେ ୨୪ ତାରିଖଠାରୁ ତାପମାତ୍ରା ପୁଣି ବଢ଼ିବ। ଜଣାପଡ଼ୁଛି ଯେ ୨୫ ଓ ୨୬ରେ ଭୁବନେଶ୍ବର ତାପମାତ୍ରା ପୁଣି ୪୧ ଡିଗ୍ରି ହୋଇପାରେ। କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ଆସନ୍ତା ଦୁଇ ଦିନ ଧରି ତାପମାତ୍ରା ୦.୫ରୁ ୧ ଡିଗ୍ରି ବଢ଼ିବ। ୨୫ ଓ ୨୮ ତାରିଖରେ କେତେକ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରି ଛୁଇଁପାରେ। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳର ଗୋଟିଏ ଦୁଇଟି ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ। ସେହିପରି ୨୫ ତାରିଖରେ ତାତି ହେଲେ ମଧ୍ୟ ଉପକୂଳ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି।
ସେ ଆହୁରି କହିଛନ୍ତି ଯେ ଆଣ୍ଡାମାନ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ସେଠାରେ ବର୍ଷା ହେଉଛି। ଏହାଦ୍ବାରା ୨୨ ଓ ୨୩ ତାରିଖରେ ମିଆଁମାରରେ ମୌସୁମୀ ଛୁଇଁପାରେ। ୨୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହେବାର ଆଶଙ୍କା ରହିଛି। ଯାହାକି ମିଆଁମାର ଓ ଉତ୍ତର ପୂର୍ବ ଭାରତରେ ବର୍ଷା କରାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/heat-wave.jpg)