ଲେଉଟିଲା ତାତି : ବଲାଙ୍ଗୀର ଓ ଟିଟିଲାଗଡ଼ ଛୁଇଁଲା ୪୧ ଡିଗ୍ରି

ଭୁବନେଶ୍ୱର : ପୁଣି ଲେଉଟିଲା ତାତି। ସବୁ ସହରର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ବଲାଙ୍ଗୀର ଓ ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୩୯.୯ରେ ପହଞ୍ଚିଛି। ୧୯ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିବା ବେଳେ ୧୧ଟି ସହରର ତାପମାତ୍ରା ୩୮ ଡିଗ୍ରି ପାର୍‌ ହୋଇଛି। ଏପ୍ରିଲ ୧୮ରୁ ୧୯ ତାରିଖ ବେଳକୁ ଅଧିକାଂଶ ସହରର ତାପମାତ୍ରା ୪୨ ଡିଗ୍ରି ଟପିଯିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କେନ୍ଦ୍ରର ଆକଳନ କହୁଛି ଏଣିକି ପଶ୍ଚିମ, ଅଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ଯାଏ ଖରାର ପ୍ରକୋପ ବଢ଼ିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ଗୋଟିଏ ଦୁଇଟି ସ୍ଥାନରେ ୪୨ରୁ ୪୪ ଡିଗ୍ରି ଛୁଇଁବାର ଆଶଙ୍କା ରହିଛି। ଉତ୍ତର ଓଡ଼ିଶାରେ କିନ୍ତୁ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ୨୦ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ୫୦ରୁ ୬୦ କି.ମି. ବେଗରେ ପବନ ସହ ବର୍ଷା ହୋଇପାରେ।

ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ୨୩.୮ ମି.ମି. ବର୍ଷା ହୋଇଛି। ଦାରିଙ୍ଗବାଡ଼ିରେ ୨୩, ବାଲେଶ୍ୱରରେ ୧୯.୫, ବାରିପଦାରେ ୧୦, ସମ୍ବଲପୁରରେ ୮.୪, ସୁନ୍ଦରଗଡ଼ରେ ୪, କଟକରେ ୩.୪, ହୀରାକୁଦ ଓ ଅନୁଗୁଳରେ ୨.୬ ମି.ମି. ଲେଖାଏ, ଢ଼େଙ୍କାନାଳରେ ୨ ମି.ମି. ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର