ଆଜିଠୁ ଜଳିବ ଓଡ଼ିଶା

ଦୁଇ ଦିନ ପାଇଁ ହିଟ୍‌ଓ୍ଵଭ୍‌ ଜାରି
୪୨ଂ ଛୁଇଁଲା ଟିଟିଲାଗଡ଼
ଏପ୍ରିଲ ୧ରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର : ଗୁରୁବାରଠାରୁ ଜଳିବ ଓଡ଼ିଶା। ଉପକୂଳରୁ ଅଭ୍ୟନ୍ତରୀଣ ହେଉ କି ପଶ୍ଚିମରୁ ଦକ୍ଷିଣ ଓଡ଼ିଶା। ସବୁଠି ଅସହ୍ୟ ହେବ ତାତି। କେତେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରି ଟପିବାର ଆଶଙ୍କା ରହିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ। ଏହି ସମୟ ମଧ୍ୟରେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପଶ୍ଚିମ ଓଡ଼ିଶା ସବୁଠାରୁ ଉତ୍ତପ୍ତ ହେବାର ଆଶଙ୍କା ରହିଛି। ତାଳଚେର, ଅନୁଗୁଳ, ଟିଟିଲାଗଡ଼, ସୋନପୁର, ବଲାଙ୍ଗିର ପ୍ରଭୃତି ଅଞ୍ଚଳରେ ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ତତଲା ପବନ ମାଡ଼ ହେବ। ଉପକୂଳ ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ତାତି ବଢ଼ିବ। କିନ୍ତୁ ପଶ୍ଚିମ ଓଡ଼ିଶା ତୁଳନାରେ ସାମାନ୍ୟ କମ୍‌ ରହିବ। ଉପକୂଳ ଓଡ଼ିଶାର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରହିପାରେ ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି। ତାଙ୍କ କହିବା କଥା ହେଲା ସାରା ରାଜ୍ୟ ପାଇଁ ହିଟ୍‌େଓ୍ଵଭ୍‌ ଜାରି ହୋଇଛି। ମେଘମୁକ୍ତ ଆକାଶ ସାଙ୍ଗକୁ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ହେଉଥିବାରୁ ତାତି ବଢ଼ୁଛି। ଏଭଳି ସ୍ଥିତି ଦୁଇ ଦିନ ଜାରି ରହିବ। ଏପ୍ରିଲ ୧ରୁ ତାପମାତ୍ରା କମିବ। ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବା ସହ କାଳବୈଶାଖୀର ସମ୍ଭାବନା ରହିଛି।

ପାଣିପାଗ ବିଜ୍ଞାନୀ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି ମାର୍ଚ୍ଚ ୩୧ ସୁଦ୍ଧା ଦକ୍ଷିଣ, ଉତ୍ତର ଓ ଉପକୂଳ ଅଞ୍ଚଳରେ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ତାତି ବିଶେଷ ବଢ଼ିବ ନାହିଁ। କିନ୍ତୁ ପୁରୀ ଓ ଗୋପାଳପୁରରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ମାର୍ଚ୍ଚ ୩୧ ସୁଦ୍ଧା ଲଘୁଚାପ ଜନିତ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ଆକଳନ କରାଯାଉଥିଲା। ଏବେ ତାହା ଗୋଟିଏ ଦିନ ବିଳମ୍ବ ହେବାର ସମ୍ଭାବନା ରହିଛି। ଫଳରେ ପଶ୍ଚିମା ଗରମ ପବନ ଓଡ଼ିଶାକୁ ଆସିପାରିବ ନାହିଁ। ପାଗ ମେଘୁଆ ରହିବ। ତାପମାତ୍ରା କମିବ। ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇପାରେ। ଯାହାଦ୍ୱାରା ଏପ୍ରିଲ ୨ ସୁଦ୍ଧା ସାରା ରାଜ୍ୟରେ ତାପମାତ୍ରା ୪ ଡିଗ୍ରି କମିବ। ଉତ୍ତର ଓଡ଼ିଶାରେ ସବୁଠାରୁ ଅଧିକ କମିବ। ଏପ୍ରିଲ ୧ରେ ଉପକୂୂଳବର୍ତୀ ଅଞ୍ଚଳରେ କାଳବୈଶାଖୀ ହୋଇପାରେ। ସୀମାନ୍ତବର୍ତୀ ପଶ୍ଚିମ ଓଡ଼ିଶାରେ ତାପମାତ୍ରା କମ୍‌ ହ୍ରାସ ପାଇବ। ଏପ୍ରିଲ ମାସର ପ୍ରଥମ ଦୁଇ ସପ୍ତାହ ଗରମ ବଢ଼ିବାର ସମ୍ଭାବନା କମ୍‌। ତାପମାତ୍ରା ସ୍ୱାଭାବିକ୍‌ଠାରୁ କମ୍‌ ରହିପାରେ। ମଝିରେ ମଝିରେ ଅଦିନିଆ ବର୍ଷା ହେବାର ସମ୍ଭାବନା ରହିଛି। ଗତ ଦୁଇ ଦିନ ପରି ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର ସହରଗୁଡ଼ିକ ତତଲା ପାଲଟିଛି। ପ୍ର୍ରତିଦିନ ତାତି ରେକର୍ଡ ପରେ ରେକର୍ଡ ଭାଙ୍ଗିଚାଲିଛି। ଗତକାଲି ୪୧ ଡିଗ୍ରି ଡେଇଁଥିବା ଟିଟିଲାଗଡ଼ର ତାପମାତ୍ରା ଆଜି ୪୨ ଡିଗ୍ରିରେ ପହଞ୍ଚିଛି। ଯାହାକି ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ପ୍ରଭାବରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ଟିଟିଲାଗଡ଼ ସମେତ ମୋଟ ୭ଟି ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରି ଉପରେ ରହିଥିଲା। ବଲାଙ୍ଗୀରର ତାପମାତ୍ରା ୪୧ ଡିଗ୍ରିରେ ପହଞ୍ଚିଥିବା ବେଳେ ଅନୁଗୁଳରେ ୪୦.୭, ସୋନପୁରରେ ୪୦.୬, ତାଳଚେରରେ ୪୦.୨, ଝାରସୁଗୁଡ଼ାରେ ୪୦.୧, ମାଲକାନଗିରିରେ ୪୦ ଡିଗ୍ରି ରହିଥିଲା। ମୋଟ ୧୯ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା।

ସମ୍ବନ୍ଧିତ ଖବର