ବଢ଼ିବ ତାତି; ଏପ୍ରିଲ ଦ୍ଵିତୀୟ ସପ୍ତାହ ଶେଷ ସୁଦ୍ଧା ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର: ଆସନ୍ତାକାଲି (ବୁଧବାର)ଠାରୁ ରାଜ୍ୟରେ ପୁଣି ତାତି ବଢ଼ିବ। ପାରଦ ଉପରମୁହାଁ ହେବା ସହ ରାଜ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ। ଆଜି ଠାରୁ ୮ ତାରିଖ ପର୍ଯ୍ୟନ୍ତ ବର୍ଷା କିମ୍ବା କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ର ସମ୍ଭାବନା ନାହିଁ। ଏପ୍ରିଲ ଦ୍ଵିତୀୟ ସପ୍ତାହ ସୁଦ୍ଧା ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୪ ଦିନ ହେଲା ରାଜ୍ୟରେ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିଥିଲା। ଆଜି ଅପରାହ୍ନ ଠାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ସ୍ଥିତି ଏହିପରି ରହିବ। ପାଗରେ ବିଶେଷ କୌଣସି ପରିବର୍ତ୍ତନ ହେବ ନାହିଁ। କିନ୍ତୁ ୭ ତାରିଖ ଠାରୁ ପୁଣି ତାତି ବଢ଼ିବ। ୯ ତାରିଖ ଅପରାହ୍ନ ଆଡ଼କୁ ୯ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଞ୍ଜାମ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୧୦ ତାରିଖ ଅପରାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଯାଜପୁର, କଟକ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ଅନୁଗୁଳ, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଏବଂ କୁଆପଥର ବର୍ଷା ସହିତ ପବନର ବେଗ ୩୦-୪୦ କିଲୋମିଟର ରହି କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ୧୧ ତାରିଖ ଅପରାହ୍ନ ସୁଦ୍ଧା ରାଜ୍ୟର ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘୂର୍ଣ୍ଣିବଳୟ ସହିତ ବଜ୍ରପାତ ଏବଂ କୁଆପଥର ବର୍ଷା ସହିତ ପବନର ବେଗ ୩୦-୪୦ କିଲୋମିଟର ରହି କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି।

ଫଳରେ ସାମୟିକ ସମୟ ପାଇଁ ତାତିରୁ ମୁକ୍ତି ମିଳିବ। କିନ୍ତୁ ତାପମାତ୍ରା ଉପରେ ଏହା ବିଶେଷ ପ୍ରଭାବ ପକାଇବ ନାହିଁ। ଆଗକୁ ତାତି ବଢ଼ିିବ ଓ ଏପ୍ରିଲ ଦ୍ଵିତୀୟ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ।

ସମ୍ବନ୍ଧିତ ଖବର