୧୩ରୁ ତାତି ଆହୁରି ବଢ଼ିବ, ୧୬ ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ବର : ଏବେ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି। ଗୁରୁବାର ଦିନ ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ ହୋଇଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧ ଓ ଝାରସୁଗୁଡ଼ାଠାରେ ୪୩.୪ ଡିଗ୍ରି ରେକର୍ଡ ହୋଇଛି। ଏହାସହ ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ରହିଥିଲା ୪୩.୩ ଡିଗ୍ରି।

ହୀରାକୁଦରେ ୪୨.୩ ଡିଗ୍ରି, ସୁନ୍ଦରଗଡ଼ରେ ୪୨.୧ଡିଗ୍ରି, ରାଉରକେଲାରେ ୪୨ଡିଗ୍ରି, ଅନୁଗୁଳରେ ୪୧.୭ଡିଗ୍ରି, ସୋନପୁରରେ ୪୧.୩ଡିଗ୍ରି, ବଲାଙ୍ଗୀରରେ ୪୧.୨ଡିଗ୍ରି, ଟିଟିଲାଗଡ଼, ତାଳଚେର ଓ ନୂଆପଡ଼ାରେ ୪୧ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଯାଇଛି। ଆସନ୍ତା ୧୩ ତାରିଖରୁ ତାତି ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ୧୫ ତାରିଖରୁ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ଅଧିକ ତାତି ସହ ପାଗ ମଧ୍ୟ ଅସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ କହିଛି।

ଇତିମଧ୍ୟରେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ମୋକା’ ସୃଷ୍ଟି ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି ଓ ଅଧିକ ଘନୀଭୂତ ହୋଇ ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇଛି। ଏହାପରେ ବାତ୍ୟା ଦିଗ ପରିବର୍ତ୍ତନ କରିବ। ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ୧୨ ତାରିଖ ସକାଳ ସୁଦ୍ଧ‌ା ଅତିଭୀଷଣ ବାତ୍ୟାର ରୂପ ନେବ। ୧୩ ତାରିଖ ସଂଧ୍ୟା ସୁଦ୍ଧା ସର୍ବାଧିକ ବଳ ଗୋଟାଇ ଶକ୍ତିଶାଳୀ ବାତ୍ୟାର ରୂପ ନେଇସାରିଥିବ। ଏହା ଅତିଭୀଷଣ ରୂପରେ ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମ୍ୟାଁମାର ଉପକୂଳ ଦେଇ ବାଂଲାଦେଶର କକ୍ସସ୍‌ ବାଜାର୍‌ ଦେଇ ଆଗକୁ ବଢ଼ିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୪୦ରୁ ୧୫୦ କିମି ରହିବ। ମଝିରେ ମଝିରେ ଏହା ୧୬୫ କିମି ବେଗରେ ଝଟ୍‌କା ଦେଇପାରେ। ତେବେ ବାତ୍ୟାର କୌଣସି ପ୍ରଭାବ‌ ଓଡ଼ିଶା କିମ୍ବା
ଭାରତ ଉପରେ ରହିବ ନାହିଁ।

ସମ୍ବନ୍ଧିତ ଖବର