ଭୁବନେଶ୍ବର : ବୁଧବାରଠାରୁ ରାଜ୍ୟରେ ପୁଣି ତାତି ବଢ଼ିବ। ପାରଦ ଊର୍ଧ୍ବମୁଖା ହେବା ସହ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ। ମଝିରେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ଥିଲେ ହେଁ ଏପ୍ରିଲ ଦ୍ବିତୀୟ ସପ୍ତାହ ସୁଦ୍ଧା ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରର ସୂଚନା ଅନୁଯାୟୀ, ୪ ଦିନ ହେଲା ରାଜ୍ୟରେ ତାପମାତ୍ରା ଅପେକ୍ଷାକୃତ କମ୍ ରହିଥିଲା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ସ୍ଥିତି ଏହିପରି ରହିବ। ବିଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ୭ ତାରିଖଠାରୁ ପୁଣି ତାତି ବଢ଼ିବ। ୯ ତାରିଖ ଅପରାହ୍ଣ ଆଡ଼କୁ ୯ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଫଳରେ ସାମୟିକ ସମୟ ପାଇଁ ତାତିରୁ ମୁକ୍ତି ମିଳିବ। କିନ୍ତୁ ତାପମାତ୍ରା ଉପରେ ଏହା ବିଶେଷ ପ୍ରଭାବ ପକାଇବ ନାହିଁ। ଆଗକୁ ତାତି ବଢ଼ିବ ଓ ଏପ୍ରିଲ ଦ୍ବିତୀୟ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ।
ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ସୁନ୍ଦରଗଡ଼ଠାରେ ୪୧ଡିଗ୍ରି ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରର ତାପମାତ୍ରା କମିଛି ଓ ଆଜି ଏହା ୩୭.୫ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ପାଖାପାଖି ୨ଡିଗ୍ରି ବଢ଼ି ପ୍ରାୟ ୩୯ ଡିଗ୍ରି ରହିବ। ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ଣକୁ କାଳବୈଶାଖୀ ଜନିତ ବର୍ଷା ହୋଇପାରେ।