ଭୁବନେଶ୍ବର : ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା ତାତି। ଉପକୂଳରୁ ଉପାନ୍ତ; ନୟାଗଡ଼କୁ ନୂଆପଡା ସବୁଠି କଲବଲ କରୁଛି ଖରା। ରାତି ପାହିବା କ୍ଷଣି ସୂର୍ଯ୍ୟଙ୍କ ପ୍ରକୋପ ଏଭଳି ହେଉଛି ଯେ ଲୋକେ ରାସ୍ତାରେ ଚାଲି ଚାଲି ଯିବା ଦୂରରେ ଥାଉ ଘରୁ ବାହାରିବା ପୂର୍ବରୁ ଦୁଇଥର ଚିନ୍ତା କରୁଛନ୍ତି। ସହରରେ ଅବସ୍ଥା ଅଣାୟତଃ। ଗ୍ରାମାଞ୍ଚଳରେ ବି ଏବେ ସମାନ ଅବସ୍ଥା। ବାରିପଦା ତତଲା ତାୱାରେ ଭାଜି ହେଉଥିବା ବେଳେ ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ତାଳଚେର, ଅନୁଗୁଳ, ଝାରସୁଗୁଡ଼ା ସହରରେ ପାରା ଉପରମୁହାଁ ହେଉଛି।
୪୦ଂ ଉପରେ ୩୦ ସହରର ପାରା
ବିଶ୍ବର ୧୫ ଉତ୍ତପ୍ତ ସହର ମଧ୍ୟକୁ ଆସିଲା ବଲାଙ୍ଗୀର
ତତଲା ତାୱାରରେ ଭାଜି ହେଉଛି ବାରିପଦା
ମଙ୍ଗଳବାର ପରି ବୁଧବାର ଦିନ ମଧ୍ୟ ବାରିପଦା ରାଜ୍ୟ ତଥା ଦେଶର ଉତ୍ତପ୍ତ ସହର ପାଲଟିଛି। ଏଠାକାର ତାପମାତ୍ରା ୪୪.୫ ଡିଗ୍ରି ରହିଥିଲା, ଯାହାକି ଦେଶରେ ସର୍ବୋଚ୍ଚ। ବାରିପଦା ସମେତ ଉତ୍ତର ପ୍ରଦେଶର ଆହ୍ଲାବାଦ ଓ ମଧ୍ୟପ୍ରଦେଶର ଖଜୁରାଓ ସହରର ତାପମାତ୍ରା ୪୪.୫ ଡିଗ୍ରି ରହିଥିଲା। ରାତି ୮ଟା ସୁଦ୍ଧା ବିଶ୍ବର ସବୁଠାରୁ ଉତ୍ତପ୍ତ ୧୫ଟି ସହର ମଧ୍ୟରେ ଭାରତରୁ ୬ଟି ରହିଛନ୍ତି। ବାରିପଦା ବିଶ୍ବର ପଞ୍ଚମ ସ୍ଥାନରେ ରହିଛି। ୪୫ ଡିଗ୍ରି ସହ ମିଆଁମାରର ଚୌକ, ନ୍ୟାୟଙ୍ଗ-ୟୁ ଓ ନାଇଜରର ଏନ୍ଗୁଇଗିମି ସହରର ତାପମାତ୍ରା ବିଶ୍ବରେ ଶୀର୍ଷରେ ରହିଛି। ବାରିପଦା ବ୍ୟତୀତ ଓଡ଼ିଶାର ବଲାଙ୍ଗୀର ସହର ଉତ୍ତପ୍ତ ୧୫ ସହରଗୁଡ଼ିକ ମଧ୍ୟରେ ୧୧ତମ ସ୍ଥାନରେ ରହିଥିବା ଜଣାପଡ଼ିଛି।
ଚିନ୍ତାର କାରଣ ହେଉଛି ଯେ ରାଜ୍ୟର ୩୦ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଡେଇଁଯାଇଛି। ସେଥିମଧ୍ୟରୁ ୧୧ଟି ସହରର ତାପମାତ୍ରା ୪୩ ଡିଗ୍ରି ଉପରକୁ ଚାଲିଯାଇଛି। ବାରିପଦା ବ୍ୟତୀତ ନୂଆପଡ଼ାରେ ୪୪.୪ ଡିଗ୍ରି, ବଲାଙ୍ଗୀରରେ ୪୪, ବୌଦ୍ଧରେ ୪୩.୯, ତାଳଚେରରେ ୪୩.୮, ଅନୁଗୁଳରେ ୪୩.୭, ଝାରସୁଗୁଡ଼ାରେ ୪୩.୬, ରାଉରକେଲାରେ ୪୩.୩, ସମ୍ବଲପୁରରେ ୪୩.୨, ଟିଟିଲାଗଡ଼ରେ ୪୩.୧, ସୁନ୍ଦରଗଡ଼ରେ ୪୩ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବର, ଭବାନୀପାଟଣା ଓ ସୋନପୁରର ତାପମାତ୍ରା ୪୨.୫ ଡିଗ୍ରି ରହିଥିଲା।
ଏହାରି ଭିତରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଟିକିଏ ଆଶ୍ବସ୍ତ କରିବା ଭଳି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ପ୍ରଚଣ୍ଡ ତାତି ଆଉ ୨୪ ଘଣ୍ଟା ଧରି ଜାରି ରହିବ। ଶୁକ୍ରବାର ସକାଳଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। କାଳବୈଶାଖୀ ପ୍ରଭାବରେ ୨୧ରୁ ୨୩ ତାରିଖ ମଧ୍ୟରେ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୨ରୁ ୪ ଡିଗ୍ରି କମିପାରେ। ମାତ୍ର ସେଭଳି ଆଖିଦୃଶିଆ ପ୍ରଭାବ ପକାଇବ ନାହିଁ। କେତେକ ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିବ, ଯାହାକି ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ।
ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗୁରୁବାର ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ତାହାକୁ ନଜରରେ ରଖି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ହିଟ୍ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହା ପରବର୍ତ୍ତୀ ତିନି ଦିନ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ୨୧ ତାରିଖରେ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ। ପରବର୍ତ୍ତୀ ଦୁଇ ଦିନ ଉପକୂଳ ଓଡ଼ିଶା ସମେତ ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ରାୟଗଡ଼ା, ଗଜପତି, ମାଲକାନଗିରି, କୋରାପୁଟ ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ପଡ଼ିପାରେ। ତାହାକୁ ନଜରରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।