ଭୁବନେଶ୍ବର : ସମଗ୍ର ଓଡ଼ିଶା ଜଳୁଛି। ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଅଭ୍ୟନ୍ତର ଓ ଉପକୂଳ ଓଡ଼ିଶା ସର୍ବତ୍ର ନିଆଁ ବର୍ଷା ଲାଗିରହିଛି। ସୋନପୁର, ସମ୍ବଲପୁର ଓ ଝାରସୁଗୁଡ଼ା ଆଦି ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାପମାତ୍ର ୪୫ ଡିଗ୍ରି ଟପିଯାଇଥିବା ବେଳେ ଉପକୂଳ ଓଡ଼ିଶାର ବହୁ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। କିନ୍ତୁ ଉପକୂଳ ଓଡ଼ିଶାରେ ରାଜଧାନୀ ଭୁବନେଶ୍ବର ପଶ୍ଚିମ ଓଡ଼ିଶା ଭଳି ଉତ୍ତପ୍ତ ହୋଇଉଠିଛି। ଆଜି ଭୁବନେଶ୍ବରର ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ କରାଯାଇଛି। ଏହି ତାତି ଆହୁରି ୪ ଦିନ ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସମ୍ପ୍ରତି ରଜ ପର୍ବ ଚାଲିଥିବା ବେଳେ ମୌସୁମୀ ବର୍ଷାର ପହିଲି ସ୍ପର୍ଶରେ ଓଡ଼ିଶା ଶୀତଳ ହୋଇଯିବ‌ା କଥା। ମାତ୍ର, ଚଳିତବର୍ଷ ବ୍ୟତିକ୍ରମ ଦେଖାଯାଇଛି। ପଶ୍ଚିମ ଓଡ଼ିଶାର ୩ ସହର ୪୫ ଡିଗ୍ରି ତାପମାତ୍ରାରେ ସିଝୁଛି। ଆଜି ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୬ ରେକର୍ଡ ହୋଇଛି। ରାଜ୍ୟରେ ୩୧ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଥିବା ବେଳେ ୩ ସହରର ତାପମାତ୍ରା ୪୫ ଡିଗ୍ରି ଉପରେ ରହିଛି। ୯ଟି ସହରର ତାପମାତ୍ରା ୪୪ ଡିଗ୍ରି ଉପରେ ଓ ୮ ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଛି। ଫଳରେ ରାଜ୍ୟସାରା ତାତି ଯୋଗୁ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ରାତିର ତାପମାତ୍ରା ମଧ୍ୟ ଅସହ୍ୟ ହୋଇପଡ଼ିଛି।

Advertisment

publive-image DNA India

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସୋନପୁର ପଛକୁ ଦ୍ବିତୀୟ ଉତ୍ତପ୍ତ ସହର ହେଉଛି ଝାରସୁଗୁଡ଼ା। ଏଠାରେ ତାପମାତ୍ରା ୪୫.୪ ଡିଗ୍ରି ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ଅବସ୍ଥାଠାରୁ ୯.୩ ଡିଗ୍ରି ଅଧିକ। ସେହିଭଳି ବଲାଙ୍ଗୀରରେ ୪୫.୩ ଡିଗ୍ରି (୬.୬ ଡିଗ୍ରି ଅଧିକ), ସମ୍ବଲପୁରରେ ୪୪.୮ ଡିଗ୍ରି (୮.୨ ଡିଗ୍ରି ଅଧିକ), ଅନୁଗୁଳରେ ୪୪.୭ ଡିଗ୍ରି (୮.୪ ଡିଗ୍ରି ଅଧିକ), ହୀରାକୁଦ ଓ ଭୁବନେଶ୍ବରରେ ୪୪.୬ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଯାଇଛି।

ତେବେ, ତାତିର ଏହି ତାଣ୍ଡବରେ ଏବେ ବିରତି ଲାଗିବାର ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ଏଣୁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନ ପାଇଁ ଅଂଶୁଘାତ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ‌ସୋନପୁର ଜିଲ୍ଲା ପାଇଁ ଅଂଶୁଘାତଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ନୟାଗଡ଼, କଟକ, ଖୋର୍ଦ୍ଧା ଓ ନୂଆପଡ଼ାରେ ଅଂଶୁଘାତଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୯ ତାରିଖ ଯାଏ ଏହିଭଳି ୱାର୍ଣ୍ଣିଂ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି। ଅନ୍ୟପଟେ କିଛିକିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ମଧ୍ୟ ରହିଛି। ପାଣିପାଗ କେନ୍ଦ୍ର କହିଛି ଯେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୭ ଡିଗ୍ରି ଯାଏ ଅଧିକ ରହିବ। ଶନିବାର ଦିନ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଉପରେ ରହିବ। ରାତିରେ ମଧ୍ୟ ନିସ୍ତାର ମିଳିବ ନାହିଁ। ରାତି ତାପମାତ୍ରା ୨୭ ଡିଗ୍ରି ଉପରେ ରହିବ।

publive-image

ଅନ୍ୟପଟେ ରାଜ୍ୟରେ ୨୩ ତାରିଖ ପୂର୍ବରୁ ‌ମୌସୁମୀ ଛୁଇଁବାର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ତାଙ୍କ ମତରେ ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିବ। ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ଶନିବାର ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରିରହିବ। ୧୮ ତାରିଖ ଆଡ଼କୁ ତାତି କିଛି ମାତ୍ରାରେ କମିବ ଓ ୧୯ ତାରିଖ ସୁଦ୍ଧା ତାପମାତ୍ରା ୩୯ ଡିଗ୍ରି ତଳକୁ ଖସି ଆସିବ। ସେହିଭଳି ଆଭ୍ୟନ୍ତର ଓ ଦକ୍ଷିଣ ଓଡ଼ିଶାରେ ୨୨ ତାରିଖ ପର୍ଯ୍ୟନ୍ତ ତାତି ଲାଗି ରହିବ। ୧୯ ତାରିଖରୁ ତାପମାତ୍ରା ପ୍ରାୟ ୩ ଡିଗ୍ରି କମିବ, ଆଭ୍ୟନ୍ତର ଓ ଉତ୍ତରରେ ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଚାଲୁ ରହିବାର ସମ୍ଭାବନା କମ୍‌ ରହିଛି। ୧୯ରୁ ୨୨ ତାରିଖ ମଧ୍ୟରେ ପାଗ ଆଂଶିକ ମେଘୁଆ ରହିବା ସହ କେତେକ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇପାରେ। ୨୩ ତାରିଖରୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ଜୁନ୍‌ ୪ର୍ଥ ସପ୍ତାହରେ ସମୁଦାୟ ବର୍ଷା ୮୦ ମିମି ହୋଇପାରେ। ସମ୍ଭବତଃ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଅପେକ୍ଷାକୃତ କମ୍‌ ବର୍ଷା ହେବାକୁ ଥିବା ବେଳେ, ଆଭ୍ୟନ୍ତରରେ ଅଧିକା ବର୍ଷା ହେବ। ଆକଳନ କରାଯାଉଛି ଯେ, ରାଜ୍ୟରେ ଜୁନ୍‌ ମାସରେ ୫୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇପାରେ।