୧ ଯାଏ ଭୀଷଣ ତାତି, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟର ତାପମାତ୍ରା ଏବେ ଅପେକ୍ଷାକୃତ କମ୍‌ ରହିଥିବା ବେଳେ ଦିନକ ପରେ ପାରଦ ପୁଣି ଉପରମୁହାଁ ହେବ। ୩୦ ତାରିଖରୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତପ୍ତ ଶୁଷ୍କବାୟୁ ପ୍ରବାହ ହେବାର ସମ୍ଭାବନା ରହିଥିବାରୁ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ। ଏପ୍ରିଲ ୧ ତାରିଖ ଯାଏ ଏପରି ତାତି ଜାରି ରହିବ। ତେଣୁ ଏହି ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ୩୦ ତାରିଖରେ ବୌଦ୍ଧ, ସୋନପୁର ଓ ବଲାଙ୍ଗୀର, ୩୧ତାରିଖରେ ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ ଓ ସମ୍ବଲପୁର ଏବଂ ୧ ତାରିଖରେ ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ ଓ ସମ୍ବଲପୁର ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ନ ବାହାରିବା ଲାଗି କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି।

ଗତ ୨୪ ଘଣ୍ଟାରେ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ହାଲୁକା କୁହୁଡ଼ି ପଡ଼ିଥିଲା। ଉତ୍ତର ଆଭ୍ୟନ୍ତର ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା ଓ ଉପକୂଳର କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି। ସୋମବାର ଦିନ ବି ରାଜ୍ୟର ୭ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ସେଥିମଧ୍ୟରୁ ୪୧ଡିଗ୍ରି ତାପମାତ୍ରା ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ରାଜଧାନୀ ଭୁବନେଶ୍ବରର ସର୍ବାଧିକ ଦିନ ତାପମାତ୍ରା ୩୭.୨ଡିଗ୍ରି ରହିଥିଲା। ଆସନ୍ତାକାଲି ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ଆକାଶ ନିର୍ମଳ ରହିବ। ଅପରାହ୍‌ଣ ସୁଦ୍ଧା ଆଂଶିକ ମେଘୁଆ ହେବାର ସମ୍ଭାବନା ରହିଥିବା ବେଳେ ସର୍ବୋଚ୍ଚ ୩୮ ଡିଗ୍ରି ଓ ସର୍ବନିମ୍ନ ୨୬ ଡିଗ୍ରି ମଧ୍ୟରେ ତାପମାତ୍ରା ରହିବ ବୋଲି କେନ୍ଦ୍ର କହିଛି।

ସମ୍ବନ୍ଧିତ ଖବର