ଭୁବନେଶ୍ୱର : ଏପ୍ରିଲରେ ଅଧାରୁ ଅଧିକ ଓଡ଼ିଶା ଆଶ୍ବସ୍ତ ରହିବ। ଉପକୂଳ ଓଡ଼ିଶାରେ ତାତି ଅପେକ୍ଷାକୃତ କମ୍‌ ରହିବ। କିନ୍ତୁ ଉପାନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାତି ସାମନ୍ୟ ଅଧିକ ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି।

Advertisment

ଆଇଏମ୍‌ଡି କହିଛି, ଏପ୍ରିଲରେ ଉପାନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଫଳରେ ଗ୍ରୀଷ୍ମ ପ୍ରକୋପ ଅଧିକ ଅନୁଭୂତ ହେବ। ଅନ୍ୟପକ୍ଷେ ଉତ୍ତର ଉପକୂଳ ଓଡ଼ିଶାରେ ତଥା ସଂଲଗ୍ନ ଉପକୂଳ ଓଡ଼ିଶାରେ ତାତି ସ୍ବାଭାବିକଠାରୁ କମ୍‌ ରହିବ। ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ସ୍ବାଭାବିକ ରହିବ। ଏପ୍ରିଲରେ ‌ଯେତିକି ତାତି ରହିବା କଥା, ସେତିକି ରହିବ। ଅଧିକ ତାତିରେ ଲୋକଙ୍କ ଅସ୍ତବ୍ୟସ୍ତ କରିବନି ଏପ୍ରିଲ। ଏଥିସହ ଚଳିତ ବର୍ଷ ଉତ୍ତର ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷାର ମାତ୍ରା ଅଧିକ ରହିବ। ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କାଳବୈଶାଖୀ ବର୍ଷା ଅଧିକ ହେବ। ଏପ୍ରିଲକୁ ଥଣ୍ଡା ରଖିବାରେ ଏହା ସହାୟ ହେବ। ଉପକୂଳ ଓଡ଼ିଶା ଯଥା କଟକ, ଯାଜପୁର ଓ ବାଲେଶ୍ବରରେ କାଳବୈଶାଖୀ ବର୍ଷା ସ୍ବାଭାବିକ ରହିବ। ଏଣୁ ତାପମାତ୍ରା ମଧ୍ୟ ଅଧିକ ନ ହୋଇ ସ୍ବାଭାବିକ ରହିବ। ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀଜନିତ ବର୍ଷା କମ୍‌ ରହିବ ଓ ତାତି ମଧ୍ୟ ଅଧିକ ରହିବ ବୋଲି ସୂଚନା ମିଳିଛି।

ଆଇଏମ୍‌ଡି କହିଛି, ଏପ୍ରିଲରେ ଉତ୍ତର-ପଶ୍ଚିମ ଭାରତ ଓ କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନ ଓ ଉତ୍ତର-ପୂର୍ବ ଓଡ଼ିଶାର କିଛି କିଛି ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଏଥିସହ ପୂର୍ବ ଭରେତ ଓ ସଂଲଗ୍ନ ଉତ୍ତର-ପୂର୍ବ ଭାରତର ତାପମାତ୍ରା ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ କମ୍‌ ରହିବ। ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଓ ଉତ୍ତର-ପୂର୍ବ ଭାରତରେ ଏପ୍ରିଲରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ। ଦକ୍ଷିଣ ଭାରତ, ପଶ୍ଚିମ କେନ୍ଦ୍ରୀୟ ଭାରତର ସଂଲଗ୍ନ ଅଞ୍ଚଳ ଓ ଉତ୍ତର-ପୂର୍ବ ଭାରତର କିଛି କିଛି ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ଫଳରେ ଏପ୍ରିଲରେ ଏହି ସବୁ ଅଞ୍ଚଳ ତାତିରୁ ସାମାନ୍ୟ ମାତ୍ରାରେ ତ୍ରାହି ପାଇବ ବୋଲି ‌ଆଇଏମ୍‌ଡି ସୂଚନା ଦେଇଛି।