ଭୁବନେଶ୍ବର : ପାଖାପାଖି ଦେଢ଼ ସପ୍ତାହରୁ ଅଧିକ ସମୟ ହେଲା, ଭୀଷଣ ଗୁଳୁଗୁଳି ଉପକୂଳବାସୀଙ୍କୁ ହନ୍ତସନ୍ତ କରୁଛି। ନା ଦିନ, ନା ରାତି, କେତେବେଳେ ବି ଶାନ୍ତିରେ ରହି ହେଉନି କି ଶୋଇ ହେଉନି। ଦେହରୁ ଝାଳ ଶୁଖୁନି। ପଙ୍ଖା ଓ କୁଲର ହାର୍ ମାନି ଗଲେଣି। ପାଣିପାଗ ବିଭାଗ କହୁଛି, ଉପକୂଳରେ ତାତି କମ୍ ରହିଛି। କିନ୍ତୁ ଗରମ, ଗୁଳୁଗୁଳି ୪୦ ଡିଗ୍ରି ପାର୍ କରିଗଲା ଭଳି ଅନୁଭବ ହେଉଛି। ବିଶେଷକରି ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଧା, ନୟାଗଡ଼ ଓ ଅନୁଗୁଳ ଆଦି ଅଞ୍ଚଳରେ ଗୁଳୁଗୁଳି ଜନଜୀବନକୁ ସନ୍ତୁଳି ଦେଲାଣି। ଏହିସବୁ ଅଞ୍ଚଳରେ ତାପମାତ୍ରା ୩୭ରୁ ୩୯ ଡିଗ୍ରି ମଧ୍ୟରେ ରହୁଥିବା ବେଳେ ବାୟୁମଣ୍ଡଳର ଆର୍ଦ୍ରତା ୫୦ରୁ ୬୦% ରହୁଛି। ଫଳରେ ତାପମାତ୍ରାଠାରୁ ୬ରୁ ୭ଡିଗ୍ରି ପର୍ଯ୍ୟନ୍ତ ଅଧିକ ଗରମ ଅନୁଭୂତ ହେଉଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ।
ଶ୍ରୀ ଦାସ କହିଛନ୍ତି, ପ୍ରାୟ ୧୦ ଦିନ ହେବ ସମଗ୍ର ଉପକୂଳ ସମେତ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି। ସ୍ବାଭାବିକ ଭାବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନ ପୂର୍ବରୁ ସମୁଦ୍ର ମଧ୍ୟରୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବା ବାୟୁ ପ୍ରଭାବରେ ବାୟୁରେ ଆର୍ଦ୍ରତା ବଢ଼ିଥାଏ। ଏବେ ଉପକୂଳ ସମେତ ସଂଲଗ୍ନ ଅଞ୍ଚଳଗୁଡ଼ିକର ତାପମାତ୍ରା ୩୬ରୁ ୩୯ ଡିଗ୍ରି ମଧ୍ୟରେ ରହୁଛି। କିନ୍ତୁ ଦିନ ୧୦ଟାରୁ ଅପରାହ୍ଣ ସାଢ଼େ ୨ଟା ମଧ୍ୟରେ ଆର୍ଦ୍ରତା ୫୦%ରୁ ୬୦% ରହୁଛି। ଏହା ପ୍ରଭାବରେ ଏହି ସବୁ ଅଞ୍ଚଳରେ ତାତି ଗରମ ୪୪ ଡିଗ୍ରି ପର୍ଯ୍ୟନ୍ତ ଅନୁଭୂତ ହେଉଛି। ବାୟୁମଣ୍ଡଳର ତାପମାତ୍ରା ବଢ଼ିଲେ, ରକ୍ତ ସଂଚାଳନର ତୀବ୍ରତା ବଢ଼େ। ଫଳରେ ଶରୀରର ତାପମାତ୍ରା ବଢ଼େ ଓ ଦେହରୁ ଝାଳ ବାହାରେ। କିନ୍ତୁ ବାୟୁମଣ୍ଡଳର ଆର୍ଦ୍ରତା ଅଧିକ ଥିବାରୁ ସେହି ଝାଳ ଶୁଖେ ଓ ଶରୀରର ତାପମାତ୍ରା ବଢ଼ି ଅଧିକ ଗରମ ଲାଗେ। ଏହି ସମୟରେ ହାଇପରଥର୍ମିଆ ଓ ସନ୍ଷ୍ଟ୍ରୋକ୍ ଆଦି ସମସ୍ୟା ସୃଷ୍ଟି ହୁଏ। ଏଣୁ ଏହି ସମୟରେ ପ୍ରଚୁର ପାଣି ପିଇବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆସନ୍ତା ୫ଦିନ ପର୍ଯ୍ୟନ୍ତ ଗୁଳୁଗୁଳିରୁ ମୁକ୍ତି ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/temperture-ff.jpg)