ସମ୍ବଲପୁର : ଅଧିକାଂଶ ସ୍କୁଲ୍‌ ଘରେ ଆଜ୍‌ବେଷ୍ଟସ୍‌ ଛାତ। ଶ୍ରେଣୀ କୋଠରୀରେ କେଉଁଠି ଫ୍ୟାନ୍ ଅଛି ତ କେଉଁଠି ନାହିଁ। ଯେଉଁଠି ଅଛି ଅଧା ଅଚଳ। ସେଥିରେ ପୁଣି ଘନଘନ ବିଦ୍ୟୁତ୍‌କାଟ। ସରକାରୀ ସ୍କୁଲ୍‌ ଗୁଡ଼ିକରେ କୁଲର୍‌ କି ଏସି ତ ସ୍ବପ୍ନ। ପଶ୍ଚିମ ଓଡ଼ିଶାର ସବୁ ସ୍ଥାନରେ ତାପମାତ୍ରା ଲଗାତାର ୪୩ ଡିଗ୍ରି ଉପରେ। ଅନେକ ସ୍ଥାନରେ ଏହା ୪୫ଂ ସେଲ୍‌ସିୟସ୍‌ରୁ ବି ଅଧିକ ରହୁଛି। ଏଭଳି ସ୍ଥିତିରେ ଆସନ୍ତା ୧୯ ତାରିଖରୁ ସ୍କୁଲ୍ ଖୋଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତାହା ପୁଣି ଦିନ ୧୦ଟାରୁ ୪ଟା। ଉପକୂଳ ଓଡ଼ିଶାର ପାଣିପାଗ ଓ ପର୍ବପର୍ବାଣିକୁ ଆଖିରେ ରଖି ହିଁ ସରକାର ସ୍କୁଲ୍ ଖୋଲିବା ବା ଛୁଟି କରିବା ସଂପର୍କିତ ନିଷ୍ପତ୍ତି ନେଉଛନ୍ତି, ପଶ୍ଚିମ ଓଡ଼ିଶାର ସ୍ଥିତି ପ୍ରତି ଆଖି ବୁଜି ଦେଉଛନ୍ତି ବୋଲି ସବୁବେଳେ ଅଭିଯୋଗ ହୋଇ ଆସୁଛି। ଆଉ ପଶ୍ଚିମ ଓଡ଼ିଶାର ଭୀଷଣ ଗରମ ସତ୍ତ୍ବେ ଚଳିତ ବର୍ଷ ବି ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ସେହି ଭଳି ନିଷ୍ପତି କାଏମ ରହିଛି।
Advertisment

publive-image The Weather Channel

ଏପ୍ରିଲ୍‌ରେ ପାରଦ ୪୦ ଡେଇଁବା ପରେ ସ୍ବତନ୍ତ୍ର ରିଲିଫ୍ କମିସନର ସ୍କୁଲ୍ ଛୁଟି ଘୋଷଣା କରିଥିଲେ। ସେତେବେଳେ ସକାଳୁଆ ସ୍କୁଲ୍ ଥିଲା ଓ ଏପ୍ରିଲ୍‌ର ଖରା ସହି ହେଉଥିଲା। କିନ୍ତୁ ଏବେ ତାପମାତ୍ର‌ା ୪୫ ଡିଗ୍ରି ଆଖପାଖରେ ରହୁଥିବାବେଳେ ଜୁନ୍‌ର ଆର୍ଦ୍ରତାଯୁକ୍ତ ରୌଦ୍ର ଅସହ୍ୟ ହୋଇ ପଡ଼ିଛି। ତହିଁରେ ପୁଣି ଦିନରେ ସ୍କୁଲ୍‌। ପ୍ରତି ବର୍ଷ ରଜକୁ ଆଖିରେ ରଖି ରାଜ୍ୟ ସରକାର ଖରା ଛୁଟି ନିର୍ଦ୍ଧାରଣ କରୁଥିବା ଅଭିଯୋଗ ହେଉଛି। ରଜ ସରିବା ମାତ୍ରେ ସ୍କୁଲ୍ ଖୋଲିବାକୁ ଘୋଷଣା କରାଯାଉଛି। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଂରୁ କମ୍ ରହୁଥିବାବେଳେ ପଶ୍ଚିମ ଓଡ଼ିଶାର ସମସ୍ତ ତଥା କେନ୍ଦ୍ର ଓ ଦକ୍ଷିଣ ଓଡ଼ିଶାର କିଛିକିଛି ସ୍ଥାନରେ ଏହା ପ୍ରାୟତଃ ୪୩ଂ ଉପରେ ରହୁଛି। ଏଭଳି ସ୍ଥିତିରେ ଯଦି ସରକାର ନିଜ ନିଷ୍ପତ୍ତି ପରିବର୍ତ୍ତନ ନକରି ଆସନ୍ତା ୧୯ ତାରିଖରେ ସ୍କୁଲ୍ ଖୋଲନ୍ତି ତା’ହେଲେ ପଶ୍ଚିମ ଓଡ଼ିଶାର ବିଦ୍ୟାଳୟ ଗୁଡ଼ିକରେ ଅଂଶୁଘାତ ଭଳି ଅଘଟଣର ଆଶଂକା କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ବର୍ତ୍ତମାନ ଦିନ ୯ଟାରୁ ୪ଟା ମଧ୍ୟରେ ପଶ୍ଚିମ ଓଡ଼ିଶାରେ ଘରୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇ ପଡ଼ୁଛି। ଏହି ସମୟରେ ରାସ୍ତାଘାଟ ଖାଁଖାଁ ହୋଇଯାଉଛି। ଯେଉଁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟଅଫିସ୍ ଆଦି ଦି‌ନବେଳେ ଚାଲୁଛି ସେଠାରେ କୁଲର୍‌, ଏସି, ଥଣ୍ଡା ପିଇବା ପାଣି ଆଦି ଅପେକ୍ଷାକୃତ ଉନ୍ନତ ସୁବିଧା ଉପଲବ୍‌ଧ ଅଛି।  କିନ୍ତୁ ବିଦ୍ୟାଳୟ ଗୁଡ଼ିକରେ ଏଭଳି ସୁବିଧା ନଥିବା ସତ୍ତ୍ବେ ସରକାର କେମିତି ପାଠ ପଢ଼ାଇବେ ସେନେଇ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି।

publive-image Media One

ଅସ୍ବାଭାବିକ ପାଣିପାଗକୁ ଆଖିରେ ରଖି ଉନ୍ନତ ସୁବିଧାସୁଯୋଗ ତଥା ସକାଳ ସ୍କୁଲ୍‌ ନିର୍ଘଣ୍ଟ ସତ୍ତ୍ବେ ଘରୋଇ ବିଦ୍ୟାଳୟ ଗୁଡ଼ିକ ଛୁଟି ଅବଧି ବଢ଼ାଇ ଦେଲେଣି। ସମ୍ବଲପୁରର କେତେକ ପବ୍ଲିକ୍ ସ୍କୁଲ୍ ଛୁଟିକୁ ୨୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  କିନ୍ତୁ ରାଜ୍ୟ ସରକାର କିମ୍ବା ସ୍ବତନ୍ତ୍ର ରିଲିଫ୍ କମିସନର୍‌ କାହିଁକି ବର୍ତ୍ତମାନ ପର୍ଯ୍ୟନ୍ତ ନିରବ ରହିଛନ୍ତି ‌ଏନେଇ ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀବୀ ମାନେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି। ଜଣେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଓଡ଼ିଶାରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ୍, କଲେଜ୍‌ ଗୁଡ଼ିକ ସାଧାରଣତଃ ମେ’ ପ୍ରଥମ ସପ୍ତାହରୁ ଜୁନ୍ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଖରାଛୁଟି କରାଯାଏ। ହେଲେ ଦିଲ୍ଲୀ ଓ ଉତ୍ତର ଭାରତର ରାଜ୍ୟ ଗୁଡ଼ିକରେ ବିଳମ୍ବରେ ମୌସୁମି ବର୍ଷା ହେଉଥିବାରୁ ଖରା ଛୁଟି ମଧ୍ୟ ଡେରିରେ ଦିଆଯାଏ। ଏକ ଦଶନ୍ଧିରୁ ଅଧିକ ହେଲାଣି ଜଳବାୟୁ ପରିବର୍ତ୍ତନ ସହ ଓଡ଼ିଶାରେ ବି ନିର୍ଧାରିତ ଜୁନ୍‌ ୧୦ ତାରିଖଠାରୁ ଯଥେଷ୍ଟ ବିଳମ୍ବରେ ମୌସୁମି ପହଞ୍ଚୁଛି। ଜୁନ୍‌ ମାସରେ କାଁଭାଁ ପ୍ରାକ୍‌ ମୌସୁମି ବର୍ଷା ହେଉଥିଲେ ବି ଏହା ତାପମାତ୍ରା ହ୍ରାସ କରିପାରୁ ନାହିଁ, ବରଂ ଆର୍ଦ୍ରତା ବଢ଼ାଉଛି। ତେଣୁ ରାଜ୍ୟ ସରକାର ମଧ୍ୟ ଗ୍ରୀଷ୍ମବକାଶର ସମୟ ପରିବର୍ତ୍ତନ କରି ଏହାକୁ ମେ’ ଦ୍ବିତୀୟ ବା ତୃତୀୟ ସପ୍ତାହରୁ ଜୁନ୍‌ ଶେଷ ପର୍ଯ୍ୟନ୍ତ କରିବା ଉପରେ ବିଚାର କରିବା ଉଚିତ ବୋଲି ସେ ମତ ରଖିଛନ୍ତି। ଏପ୍ରିଲ୍ ଓ ମେ’ ମାସରେ ସକାଳୁଆ ସ୍କୁଲ୍ ସମ୍ଭବ କିନ୍ତୁ ଜୁନ୍‌ର ଗରମ ଅସହ୍ୟ ଓ ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ ବୋଲି ସେ କହିଛନ୍ତି।