ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ ରୋଗୀମାନେ କିଭଳି ସେବା ପାଉଛନ୍ତି କର୍ତ୍ତୃପକ୍ଷ ଟେଲିଫୋନ ମାଧ୍ୟମରେ ତାହା ରୋଗୀଙ୍କ ଠାରୁ ସିଧାସଳଖ ବୁଝିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଗୁରୁବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କ ସମ୍ମିଳନୀ ଉଦଘାଟନ ଅବସରରେ ଏହି ସୂଚନା ଦେବା ସହିତ ସିଡିଏମଓମାନେ ଏ ଦିଗରେ କାର୍ଯ୍ୟ କରିବାକୁ କହିଛନ୍ତିି ।
ଶ୍ରୀ ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଘୋଷଣା ଅନୁଯାୟୀ ଆସନ୍ତା ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ତଦନୁଯାୟୀ ଲୋକେ କିଭଳି ସରକାରୀ ସେବା ପାଉଛନ୍ତି ସେ ସଂକ୍ରାନ୍ତରେ ସରକାରୀ ଅଧିକାରୀମାନେ ଟେଲିଫୋନ କରି ଲୋକଙ୍କ ଠାରୁ ତାହା ବୁଝିବେ । ଏହି ଆଧାରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କ ମତାମତ ସଂଗ୍ରହ ହେବ । ଏହି କାର୍ଯ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯିବ । ଏଥିପାଇଁ ଏକ ଅଫିସରସ୍ତରୀୟ ଟିମ ଗଠନ କରାଯାଇଛି । ଚିକିତ୍ସାଧିନ ରୋଗୀଙ୍କ ମତାମତ ଆଧାରରେ ଆବଶ୍ୟକ ପଦକ୍ଷେପ ନିଆଯିବ । ଏହି କାର୍ଯ୍ୟ କିଭଳି ସୁରୁଖୁରୁରେ ହେବ ତାହାର ଗୁରୁଦାୟିତ୍ୱ ସିଡିଏମଓମାନଙ୍କ ଉପରେ ରହିଥିବାରୁ ସେମାନେ ଏଥିପାଇଁ ବିଶେଷ ଧ୍ୟାନ ଦେବାକୁ ମନ୍ତ୍ରୀ କହିଛନ୍ତା
ଏହି ଦିନିକିଆ ସମ୍ମିଳନୀରେ ମାଗଣା ଔଷଧ ଯୋଗାଣ କାର୍ଯ୍ୟକ୍ରମ ନିରାମୟ, ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥା ଲାଗି ପିପିପି ମୋଡରେ କାର୍ଯ୍ୟକାରୀ ହେଉଥିବା ନିର୍ମଳ, ସାର୍ବଜନୀନ ଚକ୍ଷୁ ଚିକିତ୍ସା ବ୍ୟବସ୍ଥା ସୁନେତ୍ର, ଡିଜିଟାଲ ଡିସପେନସାରୀ ଆଦି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ନିରାମୟ ଯୋଜନାରେ ରୋଗୀମାନେ ଯେଭଳି ସହଜରେ ମାଗଣା ଔଷଧ ପାଇ ପାରିବେ ମନ୍ତ୍ରୀ ଶ୍ରୀ ଦାସ ତାହା ଉପରେ ସର୍ବଧିକ ଗୁରୁତ୍ୱ ଦେଉଛନ୍ତି । ଯେଉଁଠାରେ ନିରାମୟ ଯୋଜନାରେ ଔଷଧ ନଥିବ ସେଠାରେ ଡାକ୍ତରଖାନା କର୍ତ୍ତୃପକ୍ଷ ବାଜରରୁ ଔଷଧ କିଣି ରୋଗୀଙ୍କୁ ଯୋଗାଇବେ । ଏଥିପାଇଁ ରାଜ୍ୟ ସରକାର ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି । ମେଡିକାଲ କଲେଜ ସମେତ ଜିଲ୍ଲା ହସ୍ପିଟାଲ ଗୁଡିକୁ ଏଥିପାଇଁ ଅର୍ଥ ଯୋଗାଇ ଦିଆଯାଉଛି । ସେହିଭଳି ନିର୍ମଳ ଯୋଜନାରେ ଡାକ୍ତରଖାନାଗୁଡିକ ଯେଭଳି ସଫା ସୁତୁରା ଓ ପରିବେଶ ଅନୁକୂଳ ରହିବ ତାହା ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ।
ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ରୋଗ ଚିହ୍ନଟ କାର୍ଯ୍ୟ ବ୍ୟାପକ କରିବାଲାଗି ସିଡିଏମଓମାନଙ୍କୁ କୁହାଯାଇଛିା ଜନନୀ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଯେଭଳି ଠିକଣା ଅର୍ଥ ପ୍ରଦାନ କରାଯିବ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶିକା ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାରଙ୍କ ସମେତ ସମସ୍ତ ସିଡିଏମଓ ଏବଂ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଠାରୁ ଆରମ୍ଭକରି ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/HealthPix.jpg)