ଭୁବନେଶ୍ବର : ପ୍ରଚଣ୍ଡ ଖରା ଆଜି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଛି। ଚଳିତ ବର୍ଷ ପ୍ରଥମଥର ପାଇଁ ୪୦ ଡିଗ୍ରି ଅତିକ୍ରମ କରିଛି ଦିନର ସର୍ବୋଚ୍ଚ ତାପମାତ୍ରା। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବାରିପଦାରେ ପାରଦ ୪୦ ଡିଗ୍ରିରେ ଅଟକିଥିଲା। ଏହା ପଛକୁ ୪ ସହର ଯଥା ଭୁବନେଶ୍ବର, ଚାନ୍ଦବାଲି, ଅନୁଗୁଳ ଓ ସମ୍ବଲପୁର ରହିଥିଲା। ଏହି ୪ ସହରରେ ସର୍ବୋଚ୍ଚ ତାପମାତ୍ରା ୩୯.୭ ଡିଗ୍ରି ରେକର୍ଡ ହୋଇଛି। ସେହିପରି ୧୩ ସହରର ତାପମାତ୍ରା ୩୯ ଡିଗ୍ରି ଅତିକ୍ରମ କରିଛି। ବୌଦ୍ଧ ଓ ମାଲକାନଗିରିରେ ୩୯.୫ ଡିଗ୍ରି, ସୋନପୁରରେ ୩୯.୨ ଡିଗ୍ରି, କଟକରେ ୩୯.୧ ଡିଗ୍ରି, ସୁନ୍ଦରଗଡ଼, ଟିଟିଲାଗଡ଼ ଓ ଜଗତସିଂହପୁରରେ ୩୯ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି।
ପାଣିପାଗ ବିଭାଗ କହିଛି, ଆଜି(ମଙ୍ଗଳବାର) ଠାରୁ ତାତି ଆହୁରି ବଢ଼ିବ। ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଗରମ ବାୟୁ ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ହୋଇପାରେ।
ସୋମବାର ସକାଳୁ ଆରମ୍ଭ ହୋଇଯାଇଥିଲା ଗ୍ରୀଷ୍ମର ପ୍ରଚଣ୍ଡ ପ୍ରକୋପ। ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୧ ଡିଗ୍ରି ଅତିକ୍ରମ କରିଥିବା ବେଳେ ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ୩୭.୨ ଡିଗ୍ରି ଓ ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ୩୯ ଡିଗ୍ରି ଛୁଇଁଥିଲା। ମଙ୍ଗଳବାର ଦିନ ରାଜ୍ୟର ଆହୁରି ଅଧିକ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ। ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୪୦ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବାର ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ସୋମବାରଠାରୁ ପବନ ପ୍ରବାହରେ ପରିବର୍ତ୍ତନ ହେବା ସହ ତାପମାତ୍ରା ବଢ଼ିଛି। ପଣା ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ୪୨ ଡିଗ୍ରିରୁ ଅଧିକ ରହିବ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ରାଜ୍ୟର ସବୁଠୁ ଗରମ ସହର ପାଲଟିବ। ଖୋର୍ଧା, ନୟାଗଡ଼, ଆଭ୍ୟନ୍ତରୀଣ ଗଞ୍ଜାମ, ଗଜପତି, ଅନୁଗୁଳରେ ମଧ୍ୟ ତାତି ଅଧିକ ରହିବ। ଭୁବନେଶ୍ବରରେ ମଙ୍ଗଳବାର ୪୧ ଡିଗ୍ରି, ବୁଧବାର ୪୨ ଡିଗ୍ରି ଓ ତା’ ପରେ ଶନିବାର ପର୍ଯ୍ୟନ୍ତ ୪୩ ଡିଗ୍ରି ପାଖାପାଖି ରହିବ ଦିନ ତାପମାତ୍ରା। ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସୋନପୁରରେ ବୁଧବାର ଦିନ ୪୦ ଡିଗ୍ରିରୁ ଅଧିକ ଓ ଗୁରୁବାର ଦିନ ୪୨ ଡିଗ୍ରିରୁ ଅଧିକ ରହିବ ତାପମାତ୍ରା। ଏହାପରେ ସପ୍ତାହେ ପର୍ଯ୍ୟନ୍ତ ଏହି ତାପମାତ୍ରା ଜାରି ରହିବ ବା କିଛି ବଢ଼ିପାରେ।