ଜଳୁଛି ପଶ୍ଚିମ ଓଡ଼ିଶା, ପୁଣି ୪୫ ଡିଗ୍ରି ଡେଇଁଲା‌ ଟିଟିଲାଗଡ଼

୭ ସହରର ତାପମାତ୍ରା ୪୪ଂ ଉପରେ, ଆହୁରି ୩ ଦିନ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ବର : ତତଲା ତାଉଆରେ ସିଝୁଛି ପଶ୍ଚିମ ଓଡ଼ିଶା। ଟିଟିଲାଗଡ଼ ବୁଧବାର ଦିନ ପୁଣିଥରେ ତତଲାଗଡ଼ରେ ପରିଣତ ହେବା ସହ ଏଠାରେ ଦିନର ତାପମାତ୍ରା ୪୫ ଡିଗ୍ରି ଡେଇଁଛି। କେବଳ ଟିଟିଲାଗଡ଼ ନୁହେଁ, ପଶ୍ଚିମ ଓଡ଼ିଶାର ୯ଟି ସହରରେ ତାପମାତ୍ରା ୪୩ ଡିଗ୍ରି ଉପରକୁ ଚାଲିଯାଇଥିଲା। ଗୋଟିଏ ପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ବିଳମ୍ବ ହେଉଥିବା ବେଳେ ଅନ୍ୟପଟେ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଉପକୂଳ ଜିଲ୍ଲାଗୁଡ଼ିକରେ ପଶ୍ଚିମ ଓଡ଼ିଶା ଅପେକ୍ଷା ତାପମାତ୍ରା ଟିକିଏ କମ୍‌ ରହିଥିଲେ ମଧ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏଭଳି ସ୍ଥିତି ଆହୁରି ୩ରୁ ୪ ଦିନ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Climate Central

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧୧ ତାରିଖ ପର୍ଯ୍ୟନ୍ତ ୫ଟି ଜିଲ୍ଲାରେ ହିଟ୍‌ୱେଭ୍‌ ସ୍ଥିତି ଲାଗିରହିବ। ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ ଜିଲ୍ଲାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ବହୁ ଅଧିକ ରହିବ। ସାଧାରଣ ଲୋକଙ୍କ ପାଇଁ ଗରମ ସ୍ବାଭାବିକ ହେବାକୁ ଥିଲେ ମଧ୍ୟ ବୟସ୍କ, ଅସୁସ୍ଥ ବ୍ୟକ୍ତିଙ୍କ ଲାଗି ଅସହ୍ୟ ହୋଇପଡ଼ିବ। ଏହି ସମୟ ମଧ୍ୟରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ। ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣା ଓ ସୋନପୁରରେ ୪୪.୬, ବଲାଙ୍ଗୀରରେ ୪୪.୩, ଝାରସୁଗୁଡ଼ାରେ ୪୪.୨, ସମ୍ବଲପୁରରେ ୪୪.୧, ବରଗଡ଼ରେ ୪୪, ହୀରାକୁଦରେ ୪୩.୬ ଓ ବୌଦ୍ଧରେ ୪୩ ଡିଗ୍ରି ରହିଥିଲା। ରାଜ୍ୟର ୧୯ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୩ ତାରିଖ ବେଳକୁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଯୋଗୁଁ ସର୍ବାଧିକ ତାପମାତ୍ରା କମିବ। ପଶ୍ଚିମ ଓଡ଼ିଶାରେ ଗରମ ୧୦ ତାରିଖରୁ ହ୍ରାସ ପାଇ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରି ଭିତରେ ରହିବ। ୧୬ ଓ ୧୭ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ହାରାହାରି ୫୦ ମିମି ବର୍ଷା ହେବାକୁ ଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ୧୦ରୁ ୩୦ ମିମି ଯାଏ ବର୍ଷା ହେବ। ଏହି ସମୟରେ ରାଜ୍ୟର କେତେକ ସ୍ଥାନରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ମାତ୍ର ଅନିୟମିତତା ଯୋଗୁଁ ରାଜ୍ୟରେ ବର୍ଷା କିଛି ଅଞ୍ଚଳ ମଧ୍ୟରେ ସୀମିତ ରହିବ। ବିସ୍ତୁତ ଭାବେ ବର୍ଷ‌ାର ନାହିଁ। ଜୁନ୍‌ ୧୮ରୁ ୨୧ ମଧ୍ୟରେ ବର୍ଷା ବଢ଼ିବ। ତଥାପି ମୌସୁମୀ ବର୍ଷା ସ୍ବାଭାବିକଠାରୁ କମ୍‌ ରହିବ। ତୃତୀୟ ସପ୍ତାହ ପରେ ଅଧିକାଂଶ ସ୍ଥାନରେ ବର୍ଷା ହେବ। ଜୁନ୍‌ରେ ମୌସୁମୀ ନିଅଣ୍ଟିଆ ରହିପାରେ। ଓଡ଼ିଶାର ସଂଲଗ୍ନ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଉତ୍ତର ପ୍ରଦେଶରେ ତୃତୀୟ ସପ୍ତାହରେ ମୌସୁମୀ ଛୁଇଁବା ସହ ପ୍ରବଳ ବର୍ଷା ଲାଗିରହିବ।

ସମ୍ବନ୍ଧିତ ଖବର