ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟର ଏହି ୧୧ଟି ଜିଲ୍ଲାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ; ଦିନର ତାପମାତ୍ରାରେ ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିବ

ଭୁବନେଶ୍ୱର: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଫନି’ ସମଗ୍ର ଉପକୂଳ ଓଡ଼ିଶାକୁ ଧ୍ୱସ୍ତ ବିଧ୍ୱସ୍ତ କରିଯିବା ପରେ ରାଜ୍ୟରେ ଆରମ୍ଭ ହୋଇଥିବା ଗ୍ରୀଷ୍ମ ପ୍ରବାହ ଥମିବାର ନାଁ ନେଉନାହିଁ। ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଉତ୍ତର ଓଡ଼ିଶା, କେନ୍ଦ୍ରୀୟ ଓଡ଼ିଶା, ଦକ୍ଷିଣ ଓଡ଼ିଶା, ଆଭ୍ୟନ୍ତର ଓଡ଼ିଶା ଏପରିକି ଉପକୂଳ ଓଡ଼ିଶାକୁ ମଧ୍ୟ ଗ୍ରୀଷ୍ମ ପ୍ରବାହ ନିଜ କବ୍‌ଜାକୁ ନେଇ ଗଲାଣି। ଅସହ୍ୟ ତାତିରେ ସମଗ୍ର ଓଡ଼ିଶାବାସୀ ଏବେ ଆଉଟୁ ପାଉଟୁ ହେବା ସହ ତ୍ରାହି ତ୍ରାହି ଡାକ ଛାଡ଼ିଲେଣି। ସକାଳ ୧୦ଟା ନ ବାଜୁଣୁ ଆକାଶରୁ ସତେ ଯେପରି ନିଆଁ ଝୁଲ ଖସୁଛି। ସୂର୍ଯ୍ୟ କିରଣର ପ୍ରଖରତାକୁ ଦେଖି ଲୋକେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି।

ଏ ପରିସ୍ଥିତିରେ ରାଜ୍ୟର ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବୌଦ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଜି ଅପରାହ୍ଣରେ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁପନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ଏହି ସମୟ ମଧ୍ୟରେ ଏହି ସମସ୍ତ ଜିଲ୍ଲାରେ ଦିନର ତାପମାତ୍ରାରେ ୧ରୁ ୨ ଏବଂ ସ୍ଥଳ ବିଶେଷରେ ୨.୫ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିବାର ସମ୍ଭାବନା ରହିଥିବା ଜାରି ସତର୍କ ସୂଚନାରେ କହିଛି ପାଣିପାଗ ବିଭାଗ। ତେଣୁ, ଏହାକୁ ଦୃଷ୍ଟିରେ ରଖି ଅଂଶୁଘାତକୁ ଏଡ଼ାଇବା ପାଇଁ ପ୍ରଖର ଖରାରେ ଘରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଏଥିସହ ବୃଦ୍ଧ ବୃଦ୍ଧା, ରୋଗୀ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଗତକାଲି (ଗୁରୁବାର) ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୫ ଡିଗ୍ରି ସେଲସିୟସ ଟିଟଲାଗଡ଼ଠାରେ ରେକର୍ଡ କରା ଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୨.୨ ଡିଗ୍ରି ସେଲସିୟସ କୋରାପୁଟ ଠାରେ ରେକର୍ଡ କରା ଯାଇଥିଲା।

ସମ୍ବନ୍ଧିତ ଖବର