ଭୁବନେଶ୍ବର : ଗତ କିଛି ଦିନ ହେଲା ଉପକୂଳ ଓଡ଼ିଶା ଗୁଳୁଗୁଳିରେ ଛଟପଟ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଆଜି ପଶ୍ଚିମ ଓଡ଼ିଶାର ତାତି ସୀମା ଲଂଘିଥିବା ବେଳେ କିଛି କିଛି ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ଯାଏ ଅଧିକ ରହିଛି। ଶୁକ୍ରବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୫.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୫.୯ ଡିଗ୍ରି ଅଧିକ। ଏହା ହେଉଛି ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା। ଏହା ପଛକୁ ରହିଛି ସମ୍ବଲପୁର। ଏଠାରେ ଦିନ ତାପମାତ୍ରା ରହିଥିଲା ୪୫.୨ ଡିଗ୍ରି। ଯାହାକି ସ୍ବାଭାବିକଠାରୁ ୫.୧ ଡିଗ୍ରି ଅଧିକ। ଏଥିସହ ସୋନପୁରରେ ୪୪.୮ ଡିଗ୍ରି, ବୌଦ୍ଧରେ ୪୪.୬ ଡିଗ୍ରି ଓ ବଲାଙ୍ଗୀରେ ୪୪ ଡିଗ୍ରି ତାପମାତ୍ରା ରହିଥିଲା। ଏଥିସହ ରାଜ୍ୟର ମୋଟ୍ ୨୨ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା।
/sambad/media/post_attachments/wp-content/uploads/2022/05/temperture-ff-750x430.jpg)
ଅନ୍ୟପଟେ ରାଜଧାନୀ ଭୁବନେଶ୍ବର ସମେତ ଆଭ୍ୟନ୍ତର ଜିଲ୍ଲାଗୁଡ଼ିକର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରି ନଥିଲେ ମଧ୍ୟ ପ୍ରଚଣ୍ଡ ଗୁଳୁଗୁଳିରେ ଅଧା ରାଜ୍ୟ ଛଟପଟ ହୋଇଥିଲା। ରାଜଧାନୀ ଭୁବନେଶ୍ବରର ଶୁକ୍ରବାର ଦିନର ସର୍ବାଧିକ ତାପମାତ୍ରା ୩୮.୨ ଡିଗ୍ରି ରହିଥିଲା। ହେଲେ ବାୟୁମଣ୍ଡଳର ଆର୍ଦ୍ରତା ୬୦%ରୁ ଅଧିକ ରହିଥିବାରୁ ସ୍ବାଭାବିକ ତାପମାତ୍ରାଠାରୁ ରାଜଧାନୀବାସୀ ୭ଡିଗ୍ରି ପର୍ଯ୍ୟନ୍ତ ଅଧିକ ତାତି ଅନୁଭବ କରିଥିଲେ। ଅର୍ଥାତ ୪୫ ଡିଗ୍ରିରୁ ଅଧିକ ଗରମ ଓ ଗୁଳୁଗୁଳି ଅନୁଭବ କରିଥିଲା ଉପକୂଳ ଓଡ଼ିଶା। ଦେହରୁ ଝାଳ ଶୁଖୁନଥିଲା କି ଫ୍ୟାନ୍ କି କୁଲର୍ କାମ କରିନଥିଲା।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆଜି ପାଇଁ ରାଜ୍ୟର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲା ପାଇଁ ଅଂଶୁଘାତ ଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆସନ୍ତାକାଲି ପାଇଁ ମଧ୍ୟ ରାଜ୍ୟର ଏହି ୬ ଜିଲ୍ଲା ପାଇଁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ସିଧାସଳଖ ଖରାକୁ ନ ବାହାରିବା ତଥା ପ୍ରଚୁର ପରିମାଣରେ ତରଳ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଯାଏ ଅଧିକ ରହିବ। ଫଳରେ ରାଜ୍ୟରେ ଅସ୍ବାସ୍ଥ୍ୟକର ପାଣିପାଗ ଲାଗି ରହିବ।
ଅନ୍ୟପଟେ, ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମିଆଁମାର ଉପକୂଳରେ ଏହି ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଆସନ୍ତା ୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରଟି ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତରେ ହେବ। ଏହାପରେ ଏହାର ପ୍ରଭାବ କ’ଣ ରହିବ ଓ ଏହା କେଉଁ ଦିଗ ଦେଇ ଗତି କରିବ, ସେନେଇ ସ୍ପଷ୍ଟ ହେବ। ଲଘୁଚାପ କ୍ଷେତ୍ରର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଇଏମ୍ଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ମିଆଁମାର ଓ ତା’ର ଆଖପାଖ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେହିପରି ଗତକାଲି କେରଳ ଓ ତାମିଲନାଡୁର କିଛି ଅଂଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ବେଳେ ଏହା ଧୀରେ ଧୀରେ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତକୁ ଅଗ୍ରସର ହେବାରେ ଲାଗିଛି।