ରାୟଗଡ଼ା: ଲଘୁଚାପ ବର୍ଷାରେ ବେହାଲ୍ ହୋଇ ପଡିଛି ରାୟଗଡ଼ା। ଶୁକ୍ରବାର ରାତିରୁ ଲାଗି ରହିଥିବା ବର୍ଷା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଦ୍ମପୁର, ରାମନାଗୁଡ଼ା ତହସିଲର ଶହ ଶହ ଏକର ଜମି ଜଳମଗ୍ନ ଯୋଗୁ ଫସଲ ନଷ୍ଟ ହୋଇଛି। ପଦ୍ମପୁରରେ ୧୪ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାୟଗଡ଼ା ବ୍ଲକରେ ଅସ୍ଥାୟୀ ପୋଲ ଭାସିଯିବା କାରଣରୁ ପୋଡାମରା-କୁମ୍ଭିକୋଟା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଗତ ୨୪ ଘଣ୍ଟାରେ ୪୩.୮୪ ମିମି ହାରରେ ଜିଲ୍ଲାରେ ୪୮୨.୨ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ଚଳିତ ମୌସୁମୀରେ ସର୍ବାଧିକ। ପଦ୍ମପୁର ବ୍ଲକରେ ସର୍ବାଧିକ ୧୮୦.୩ ମିମି, ରାମନାଗୁଡ଼ାରେ ୧୩୬.୪ ମିମି, ଗୁଣପୁରରେ ୫୭ ମିମି, ରାୟଗଡ଼ାରେ ୨୦.୮ ମିମି, କୋଲନରାରେ ୧୬.୩ ମିମି, ଗୁଡାରିରେ ୧୬.୮ ମିମି, କାଶୀପୁରରେ ୧୩ ମିମି, କଲ୍ୟାଣସିଂହପୁରରେ ୧୩.୪ ମିମି, ବିଷମକଟକରେ ୧୫.୨ ମିମି, ମୁନିଗୁଡ଼ାରେ ୧୩ ମିମି ବର୍ଷା ହୋଇଛି। ଗତ ରାତିରେ ପଦ୍ମପୁରରେ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହେବା ଯୋଗୁ ପଦ୍ମପୁର ଓ ଜାତିଲି ରାଜସ୍ବ ସର୍କଲର ୩ ଶହ ଏକର ଜମି ଜଳମଗ୍ନ ହୋଇଛି। ପାଣି ଜମି ରହିଥିବା ସମସ୍ତ ଜମିରେ ଧାନ ରୁଆ ସରିଥିବାରୁ ଫସଲ ନଷ୍ଟ ଆଶଙ୍କା ରହିଛି। ସୁନାରିଘାଇ ନାଳ, ଲାଉଗୁଡ଼ା ମାଇନର୍ କେନାଲ୍ ଭାଙ୍ଗିବା ଯୋଗୁ ଲାଉଗୁଡ଼ା, କେନ୍ଦୁଗୁଡା, ଖମାପଦର ଅଞ୍ଚଳର ଚାଷ ଜମିରେ ପାଣି ଜମି ରହିଛି। ଜୋକବନ୍ଧ ନିକଟରେ ମଧ୍ୟ ମାଇନର କେନାଲ୍ ଭାଙ୍ଗିଯିବା ଯୋଗୁ ଚାଷ ଜମି ଉପରେ ୩/୪ ଫୁଟର ପାଣି ଜମି ରହିଛି। ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ଦୁଇ ଦିନ ତଳେ ବଡନାଳ ଡ୍ୟାମରୁ ପାଣି ଛଡ଼ା ଯାଇଥିଲା।
/sambad/media/post_attachments/wp-content/uploads/2022/08/RGD_Rain-1.jpg)
କେନାଲରେ ପାଣି ଥିବା ବେଳେ ଗତକାଲି ମୂଷଳ ଧାରାରେ ବର୍ଷା ଯୋଗୁ ପରିସ୍ଥିତି ଅଣାୟତ୍ତ ହୋଇ ପଡିଛି। ଆସନ୍ତାକାଲି କୃଷି ବିଭାଗ-ରାଜସ୍ବ ବିଭାଗ ପକ୍ଷରୁ ଯୁଗ୍ମ ସର୍ଭେ ମାଧ୍ୟମରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ କହିଛନ୍ତି। ପଦ୍ମପୁରର ଜାନି ସାହି, ଇନ୍ଦିରା ନଗରରେ ବର୍ଷା ଜଳ ଜମି ରହିବା ଯୋଗୁ ୪ଟି ଘର ସଂପୂର୍ଣ୍ଣ ଏବଂ ୧୦ଟି ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଛି। ସଂଧ୍ୟା ସୁଦ୍ଧା ସମସ୍ତ ପରିବାରକୁ ତହସିଲ ପକ୍ଷରୁ ପଲିଥିନ୍ ଯୋଗାଇ ଦିଆଯାଇଛି। ରାମନାଗୁଡ଼ା ତହସିଲର ମଧ୍ୟ ବ୍ୟାପକ ଜମି ଜଳମଗ୍ନ ହୋଇଛ। ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଗୁମୁଡ଼ା ସମେତ ଆଖପାଖ ଅଞ୍ଚଳର ଜମିରେ ପାଣି ପଶିଛି। ମାଟି ଧସିବା ଯୋଗୁ ବହୁ ଜମି କ୍ଷତିଗ୍ରସ୍ତ ହୋଇଛି। କିଛି ସ୍ଥାନରେ ନାଳର ଗାର୍ଡୱାଲ୍ ଭାଙ୍ଗିଥିବା ସୂଚନା ମିଳିଛି। ସେହିପରି ରାୟଗଡ଼ା ବ୍ଲକ୍ କୁମ୍ଭିକୋଟା ପଞ୍ଚାୟତର ପୋଡାମରାକୁ ଯାତାୟାତ ପାଇଁ ଥିବା ଅସ୍ଥାୟୀ ପୋଲ ଭାଙ୍ଗିଯିବାରୁ ଯାତାୟାତ ବିଚ୍ଛିନ୍ନ ହୋଇଛି। ଝଞ୍ଜାବତୀ ନଦୀରେ ଜଳସ୍ତର ବୃଦ୍ଧି ପରେ ଗତକାଲି ରାତିରେ ପୋଲ ଭାସି ଯାଇଛି। ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ଥିଲେ ମଧ୍ୟ ବଂଶଧାରା, ନାଗାବଳୀ, ଝଞ୍ଜାବତୀ, କଲ୍ୟାଣୀ ନଦୀର ଜଳସ୍ତର ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଛି। ବର୍ଷା ପୂର୍ବରୁ ସବୁ ନଦୀ ଗୁଡ଼ିକରେ ଜଳସ୍ତର ଜିରୋ ଲେଭଲରେ ପ୍ରବାହିତ ହେଉଥିଲା। ବର୍ଷା ପରେ ଜଳସ୍ତର ଦୁଇ କୂଳକୁ ଛୁଇଁଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଲଘୁଚାପ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରି ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/bb74293c-36fe-4085-a9ef-f165bf921338.jpg)