ସୀମାନ୍ତରେ ନକ୍ସଲଙ୍କୁ ଶକ୍ତ ଝଟ୍‌କା: ୭ ନିହତ, ୪ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କୁ ଶକ୍ତ ଆଘାତ ଲାଗିଛି। ନାରାୟଣପୁର, ବିଜାପୁର ଓ ଦନ୍ତେଵାଡ଼ା ଜିଲ୍ଲାର ପୁଲିସକୁ ବଡ଼ ସଫଳତା ମିଳିଛି। ମିଳିତ ଅପରେସନ୍‌ରେ ୭ଜଣ ନକ୍ସଲ ନିହତ ହୋଇଛନ୍ତି। ସେହିପରି ୪ଜଣ ନକ୍ସଲ ଗିରଫ ହୋଇଛନ୍ତି। ଘଟଣାସ୍ଥଳରୁ ୫ଟି ବନ୍ଧୁକ ଜବତ ହୋଇଥିବା ପୁଲିସ ସୂଚନା ଦେଇଛି। ନାରାୟଣପୁର ଏସ୍‌ପି ପ୍ରଭାତ କୁମାରଙ୍କ ସୂଚନା ଅନୁସାରେ, ତିନି ଜିଲ୍ଲା ସୀମାରେ ରହିଥିବା ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ କ୍ୟାମ୍ପ ଚାଲିଥିଲା। ବଡ଼ଧରଣର ହିଂସା ପାଇଁ ନକ୍ସଲ ସଜବାଜ ହେଉଥିଲେ। ତେବେ ଗୁଇନ୍ଦା

ସୂତ୍ରରୁ ଏହି ସୂଚନା ପୁଲିସକୁ ମିଳିଥିଲା। ଏହାପରେ ମିଳିତ ଅପରେସନ୍‌ ପାଇଁ ଯୋଜନା କରି ଯବାନଙ୍କୁ ପ୍ରସ୍ତୁତ କରାଯାଇଥିଲା। ଜିଲ୍ଲା ପୁଲିସ ସହ ଡିଆର୍‌ଜି ଏବଂ ସିଆର୍‌ପିଏଫ୍‌ ଯବାନ ଚିହ୍ନଟ ହୋଇଥିବା ସ୍ଥାନରେ କମ୍ବିଂ ଅପ‌ରେସନ ଆରମ୍ଭ କରିଥିଲେ। ଆଜି ସକାଳୁ କ୍ୟାମ୍ପ ନିକଟରେ ପହଞ୍ଚିବା ବେଳକୁ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯାହାର ପାଲଟା ଜବାବ ଦେବାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଜୋର୍‌ଦାର ସମ୍ମୁଖ ଏନ୍‌କାଉଣ୍ଟର ଚାଲିଥିଲା। ଘଟଣା ସ୍ଥଳରେ ଅନେକ ନକ୍ସଲଙ୍କୁ ଗୁଳି ବାଜିବା ସହ ଗୁଳି ସରିବା ପରିସ୍ଥିତି ସୃଷ୍ଟି ହେବାରୁ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ଗୁଳି ବର୍ଷଣ ଥମିବା ପରେ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ। ଘଟଣାସ୍ଥଳରୁ ୭ଜଣ ନକ୍ସଲଙ୍କ ମୃତଦେହ ମିଳିଥିଲା। ସେହିପରି ୪ଜଣ ଆହତ ନକ୍ସଲଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ୫ଟି ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଏନ୍‌କାଉଣ୍ଟରରେ ନକ୍ସଲ ଅତ୍ୟାଧୁନିକ ବନ୍ଧୁକ ବ୍ୟବହାର କରିଥିବା ଯବାନ ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରୁ ଖସି ଯାଇଥିବା ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯବାନମାନେ ଜଙ୍ଗଲରୁ ଫେରିବା ପରେ ହିଁ ଏହି ଗୁଳି ବିନିମୟର ସମସ୍ତ ବିବରଣୀ ପ୍ରଦାନ କରାଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର